ନଓ୍ବାଡା (ବିହାର) : ବିହାରର ନଓ୍ବାଡ଼ାରେ ହୋଇଥିବା ଏକ ଅସଦାଚର ମାମଲାରେ ଗାଁର ପଂଚାୟତ ଅଭିଯୁକ୍ତକୁ ୫ ଥର ବସଉଠ କରିବା ପରେ ଛାଡ଼ିଦେଇଥିବା ଜଣାପଡ଼ିଛି ।

Advertisment

ମିଳିଥିବା ସୂଚନା ଅନୁସାରେ ନଓ୍ବାଡ଼ା ଜିଲ୍ଲାର ଆକବରପୁର ଅଞ୍ଚଳର ଜଣେ ବ୍ୟକ୍ତି ଏକ ନାବାଳିକାକୁ ଚକଲେଟ ଦେବା ବାହାନାରେ ଏକ କୁକୁଡା ଫାର୍ମକୁ ନେଇ ଅସଦାଚରଣ କରିଥିଲା । ନାବାଳିକାର ପରିବାର ଲୋକ ଏ ନେଇ ଅଭିଯୁକ୍ତର ପରିବାରକୁ ଜଣାଇବା ସତ୍ତ୍ବେ ସେମାନେ ତାହାକୁ ମାନିନଥିଲେ । ଫଳରେ ସେମାନେ ଗାଁ ପଞ୍ଚାୟତରେ ଅଭିଯୋଗ କରିଥିଲେ ।

ଗାଁର ପୂର୍ବତନ ମୁଖିଆଙ୍କ ନେତୃତ୍ୱରେ ବସିଥିବା ଗାଁ ପଞ୍ଚାୟତ ଦ୍ୱାରା ସୋମବାର ଏହି ମାମଲାର ବିଚାର କରାଯିବା ପରେ ଅଭିଯୁକ୍ତ ସେପରି କୌଣସି ଅପରାଧ କରିନଥିବା ରାୟ ଶୁଣାଇଥିଲେ । ପଂଚାୟତ ମତରେ ଅଭିଯୁକ୍ତର ଏକମାତ୍ର ଅପରାଧ ହେଲା ସେ ଏକ ନିଛାଟିଆ ସ୍ଥାନକୁ ନାବାଳିକାକୁ ନେଇଥିଲା । ଏହି ଅପରାଧ ପାଇଁ ତାକୁ ମାତ୍ର ୫ ଥର ବସଉଠ କରାଯାଇ ଛାଡ଼ିଦିଆଯାଇଥିଲା । ଏହା ସହିତ ପୁଲିସରେ ଅଭିଯୋଗ କଲେ ଉଭୟ ପରିବାରର ବଦନାମ ହେବ କହି ଏଫଆଇଆର ନ ଦେବାକୁ ପୀଡିତା ପରିବାରକୁ ପଂଚାୟତ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା ।

କିନ୍ତୁ  ସୋସିଆଲ ମିଡିଆରେ ଏ ଘଟଣା ସଂପର୍କିତ ଏକ ଭିଡିଓ ଭାଇରାଲ ହେବା ପରେ ଏହି ମାମଲା ସାମ୍ନାକୁ ଆସିଥିଲା । ଭାଇରାଲ ଭିଡିଓ ଅନୁଯାୟୀ, ଅଭିଯୁକ୍ତ ବସଉଠ ହେଉଥିବାବେଳେ ସେଠାରେ ଉପସ୍ଥିତ କିଛି ପୁରୁଷ ଓ ମହିଳା ତାଙ୍କୁ ଗାଳି ଦେଉଥିଲେ ।

ପୁଲିସ ଏନେଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି ।