ନୂଆଦିଲ୍ଲୀ : ଦିଲ୍ଲୀ ବିମାନବନ୍ଦରରେ ଜଣେ ଯୁବକଙ୍କୁ କମେଣ୍ଟ ମାରିବା ମହଙ୍ଗା ପଡ଼ିଛି । ଏହି ଘଟଣାଟି ଜୁନ୍ ୨୭ ଦିଲ୍ଲୀ ବିମାନବନ୍ଦରର ଟର୍ମିନାଲ ୩ରେ ଘଟିଥିଲା । ଜଣେ ଯୁବକ ରାତି ୨ଟା ସମୟରେ କୁଏତ୍ ଯିବା ପାଇଁ ଦିଲ୍ଲୀ ବିମାନ ବନ୍ଦରରେ ପହଞ୍ଚିଥିଲେ । ବିମାନବନ୍ଦରରେ ଥିବା କାଉଣ୍ଟରରେ ଚେକ୍ ଇନ୍ କରିବା ପରେ ସେଠାରେ ଥିବା ଜଣେ ମହିଳାଙ୍କୁ ଦେଖିବା ଆରମ୍ଭ କରିଥିଲେ ଯୁବକ । ଧିରେ ଧିରେ ମହିଳାଙ୍କ ସହ କଥା ହେବାକୁ ଚେଷ୍ଟା କରିବା ପରେ ମହିଳା ଜଣକ ଅଣଦେଖା କରିବାରୁ ଯୁବକ ଜଣଙ୍କ ଖରାପ କମେଣ୍ଟ ମାରିବା ଆରମ୍ଭ କରିଥିଲେ । ଯୁବକଙ୍କ ଏଭଳି ବ୍ୟବହାର ଦେଖି ମହିଳା ତାଙ୍କୁ ଧରି ପୁଲିସରେ ଦେଇଥିବା ଜଣାପଡ଼ିଛି । ତେବେ ଯୁବକଙ୍କୁ ପ୍ରକୃତ ଝଟ୍କା ସେତେବେଳେ ଲାଗିଥିଲା ଯେତେବେଳେ ସେ ମହିଳାଙ୍କ ଅସଲ ପରିଚୟ ଜାଣିବାକୁ ପାଇଥିଲେ ।
/sambad/media/post_attachments/wp-content/uploads/2018/07/download-2-9.jpg)
ଯେଉଁ ମହିଳାଙ୍କୁ ସେ ସାଧାରଣ ଭାବି କମେଣ୍ଟ ମାରିଥିଲେ ସେ ପ୍ରକୃତରେ ସିଆଇଏସ୍ଏଫ୍ର ମହିଳା କନେଷ୍ଟବଳ ଥିଲେ । ସିଆଇଏସ୍ଏଫ୍ ଦିଲ୍ଲୀ ବିମାନବନ୍ଦରରେ ସନ୍ଦିଗ୍ଧ ଯାତ୍ରୀମାନଙ୍କୁ ଧରିବା ପାଇଁ ସାଧା ପୋଷାକରେ କିଛି ମହିଳା କନେଷ୍ଟବଳଙ୍କୁ ନିୟୋଜିତ କରିଥିଲା । ଯାହା ଫଳରେ ଯୁବକ ଜଣଙ୍କ ଜାଣି ନ ପାରି ଏପରି ଭୁଲ କରି ବସିଥିଲେ । ପୁଲିସ ଦେଇଥିବା ସୂଚନା ଅନୁଯାୟୀ,ଗିରଫ ହୋଇଥିବା ଯୁବକଙ୍କ ବୟସ ୫୦ ହୋଇଥିବା ବେଳେ କମେଣ୍ଟ ମାରିବା ସମୟରେ ସେ ନିଶାଗ୍ରସ୍ତ ଥିଲେ ।