ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ ଫାଟକରେ କାର୍‌ ଧକ୍କା କରିଥିବା ବ୍ୟକ୍ତି ଗିରଫ; ଅଫିସ୍‌ରେ ଥିଲେ ପ୍ରଧାନମନ୍ତ୍ରୀ ଋଷି ସୁନକ

ଲଣ୍ଡନ୍‌: ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଆବାସିକ କାର୍ଯ୍ୟାଳୟ ୧୦ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ର ଫାଟକରେ କାର୍‌ ଧକ୍କା କରିଥିବା ଜଣେ ବ୍ୟକ୍ତିଙ୍କୁ ଅପରାଧିକ କ୍ଷତି ଏବଂ ବିପଜ୍ଜନକ ଗାଡ଼ି ଚାଳନା ସନ୍ଦେହରେ ଗୁରୁବାର ଦିନ ଗିରଫ କରାଯାଇଥିବା କଥା ମେଟ୍ରୋପଲିଟାନ୍‌ ପୁଲିସ କହିଛି।

ଦୁର୍ଘଟଣା ସମୟରେ ସୁନକ ଅଫିସ୍‌ରେ ଥିଲେ କନ୍ତୁ, ପୂର୍ବରୁ ନିର୍ଦ୍ଧାରିତ ହୋଇଥିବା କୌଣସି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ତୁରନ୍ତ ଅନ୍ୟ ଏକ ଫାଟକ ବାଟେ ବାହାରକୁ ଗଲେ ବୋଲି ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ ସୂତ୍ରରୁ ଜଣାପଡ଼ିଛି।

ଫାଟକରେ କାର୍‌ ଧକ୍କା ଦେବା ପରେ ପରେ ରାସ୍ତା ଚତୁଃପାର୍ଶ୍ବରେ ପୁଲିସ କରିଥିବା କର୍ଡନ୍‌ ଉଠାଇ ଦିଆଯାଇଥିଲେ ସୁଦ୍ଧା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିକଟରେ ସଶସ୍ତ୍ର ଅଧିକାରୀମାନେ ସ୍ବାଭାବିକ ଭାବେ ପହରା ଦେଇଥି‌ଲେ।

Image Courtesy of South China Morning Post

ଘଟଣା ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ମେଟ୍‌ ପୋଲିସ କହିଛି, ସ୍ଥାନୀୟ ସମୟ ପ୍ରାୟ ୧୬.୨୦ରେ ଗୋଟାଏ କାର୍‌ ଡାଉନିଙ୍ଗ୍‌ ଷ୍ଟ୍ରିଟ୍‌ର ହ୍ବାଇଟ୍‌ହଲ୍‌ ଫାଟକରେ ଧକ୍କା ଖାଇଥିଲା। ଅପରାଧିକ କ୍ଷତି ଏବଂ ବିପଜ୍ଜନକ ଗାଡ଼ି ଚାଳନା ସନ୍ଦେହରେ ସଶସ୍ତ୍ର ଅଧିକାରୀମାନେ ଘଟଣାସ୍ଥଳରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି। ଏହି ଦୁର୍ଘଟଣାରେ କେହି ଆହତ ହୋଇଥିବା ଖବର ଆସିନାହିଁ। ତଦନ୍ତ ଚାଲିଛି।

କିନ୍ତୁ, ତଦନ୍ତକାରୀ ଅଧିକାରୀମାନେ ଉକ୍ତ କାର୍‌ରେ ଖାନତଲାସ କରି ଗୋଟାଏ ଏଭିଡେନ୍‌ସ୍‌ (କାଗଜ ବ୍ୟାଗ୍‌) ବ୍ୟାଗ୍‌ରୁ ମୋବାଇଲ୍‌ ଫୋନ୍‌ ଉଦ୍ଧାର କରିଛନ୍ତି। ଜଣେ ଫୋରେନ୍‌ସିକ୍‌ ଅଧିକାରୀ କାର୍‌ଟିକୁ ଯାଞ୍ଚ କରୁଥିବା ବ‌େଳେ ସନ୍ଧାନୀ କୁକୁରମାନେ ଘଟଣାସ୍ଥଳରେ ଉପସ୍ଥିତ ଥିଲେ।

ପ୍ରାପ୍ତ ରିପୋର୍ଟ ଅନୁସାରେ, ତଦନ୍ତର ଏହି ପର୍ଯ୍ୟାୟରେ ଆତଙ୍କବାଦ-ମୁକାବିଲା କରୁଥିବା ପୁଲିସଙ୍କୁ ସାମିଲ କରାଯାଇନାହିଁ।

ସମ୍ବନ୍ଧିତ ଖବର