ଗର୍ଭବତୀ ପତ୍ନୀଙ୍କ ଚିକିତ୍ସା ପାଇଁ ପିଲା ବିକ୍ରି କରୁଥିବା ବ୍ୟକ୍ତିକୁ ପୁଲିସର ଆର୍ଥିକ ସାହାଯ୍ୟ ପ୍ରତିଶ୍ରୁତି

କନ୍ନୌଜ: ଅନ୍ତଃସତ୍ତ୍ୱା ପତ୍ନୀଙ୍କ ଚିକିତ୍ସା ପାଇଁ ନିଜର ପିଲା ବିକ୍ରୟ କରିବାକୁ ଉତ୍ତର ପ୍ରଦେଶର କନ୍ନୌଜର ଜଣେ ବ୍ୟକ୍ତି ଉଦ୍ୟମ କରିଥିବା କଥା ଶୁକ୍ରବାର ଦିନ ପୁଲିସ କହିଛି। ୨୫, ୦୦୦ ଟଙ୍କାରେ ନିଜ ପିଲାକୁ ବିକ୍ରୟ କରିବାକୁ ସ୍ଥିର କରିଥିବା ଲୋକଟିକୁ ଉତ୍ତର ପ୍ରଦେଶ ପୁଲିସ ନିବୃତ କରିଛି।

ସେ ଦମ୍ପତିଙ୍କର ରୋଶଣୀ ନାମ୍ନୀ ଗୋଟିଏ ୪ ବର୍ଷୀୟ ଝିଅ ଏବଂ ଜାନୁ ନାମରେ ବର୍ଷକର ପୁଅଟିଏ ଅଛନ୍ତି। ସେମାନେ ରୋଶଣିକୁ ବିକ୍ରୟ କରିବାକୁ ଯାଉଥିଲେ।

ବାରେଥି ଦାରାପୁର ଗାଁ‘ର ସ୍ୱାମୀ ଅରବିନ୍ଦ ବଞ୍ଜାରା ୭ ମାସର ଅନ୍ତଃସତ୍ତ୍ୱା ପତ୍ନୀ ସୁଖଦେବୀଙ୍କର ଚିକିତ୍ସା କରାଇବାକୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଚିକିତ୍ସା ନିମନ୍ତେ ରକ୍ତ ଯୋଗାଡ଼ କରିବାକୁ ଡାକ୍ତରମାନେ ତାଙ୍କୁ କହିଥିଲେ।

ବଞ୍ଜାରା କହନ୍ତି: ଜିଲ୍ଲା ଡାକ୍ତରଖାନାରେ ତା’ ପାଇଁ ରକ୍ତ ଆଣିବାକୁ କୁହାଗଲା। ଯଦି ରକ୍ତ ଯୋଗାଡ଼ ନ କରାଯାଏ ସେ ବଞ୍ଚିବ ନାହିଁ। ମୋ ପାଖରେ ଟଙ୍କାପଇସା ନ ଥିଲା। ତେଣୁ ପିଲାକୁ ବିକ୍ରି କରିବା ଛଡ଼ା ମୋର ପାଖରେ ଅନ୍ୟ ଉପାୟ ନ ଥିଲା।

ସୁଖଦେବୀ କହନ୍ତି: ପିଲା ବିକ୍ରି କରିବା ସହଜ କଥା ନୁହେଁ, କିନ୍ତୁ ଆମ ପାଖରେ ଅନ୍ୟ ଗତି ନ ଥିଲା। ଚିକିତ୍ସା ପାଇଁ ଆମେ ଆଗରୁ କେତୋଟି ଡାକ୍ତରଖାନାକୁ ମଧ୍ୟ ଯାଇଥିଲୁ।

ସେ ଯାହାହେଉ, ପୂର୍ବ ଆର୍ଥିକ ସାହାଯ୍ୟ ଦେବେ ବୋଲି ପ୍ରତିଶ୍ରୁତି ଦେଇ ପୁଲିସ ସେମାନଙ୍କୁ ପିଲା ବିକ୍ରି କରିବାରୁ ନିବୃତ କରିଛନ୍ତି।

ତିର୍‌ଓ୍ଵା ଥାନାର ଏସ୍‌ଏଚ୍‌ଓ ଅମୋଦ କୁମାର ସିଂହ କହନ୍ତି: ଲୋକଙ୍କ ଠାରୁ ଆମେ ଶୁଣିବାକୁ ପାଇଲୁ ଯେ ଚିକିତ୍ସା ନିମନ୍ତେ ଟଙ୍କା ଲୋଡୁଥିବା ଏକ ଦମ୍ପତି ବଡ଼ ବ୍ୟତିବ୍ୟସ୍ତ ହେଉଛନ୍ତି। ସେମାନେ ନିଜର ତିନି ବର୍ଷୀୟ ଝିଅଟିକୁ ମଧ୍ୟ ବିକିବାକୁ ବସିଛନ୍ତି। ପରେ ଆମେ ଜାଣିବାକୁ ପାଇଲୁ ରକ୍ତପାତରେ ଆକ୍ରାନ୍ତ ହୋଇଥିବା ସେ ମହିଳା ଜଣକ ସହାୟତା ଲୋଡୁଛନ୍ତି। ସେଥିପାଇଁ ତିର୍‌ଓ୍ଵା ଥାନା ନିଷ୍ପତ୍ତି ନେଲେ କି, ସେ ପରିବାରର ସାହାଯ୍ୟାର୍ଥେ ସେମାନେ ପୂର୍ଣ୍ଣ ଆର୍ଥିକ ସହାୟତା ଯୋଗାଇ ଦେବେ। ଟଙ୍କା ଛଡ଼ା, ଆବଶ୍ୟକ ପଡ଼ିଲେ ଆମେ ରକ୍ତ ମଧ୍ୟ ଦେବୁ।

ସମ୍ବନ୍ଧିତ ଖବର