କୁକୁରଙ୍କ ପରି ଭୁକି ବିଡିଓଙ୍କୁ ପ୍ରତିବାଦ ଜଣାଇଲେ ଯୁବକ

କୋଲକାତା : ପଶ୍ଚିମବଙ୍ଗର ଜଣେ ଯୁବକ ପ୍ରଶାସନ ଆଗରେ ଅଭିନବ ଢଙ୍ଗରେ ପ୍ରତିବାଦ ଜଣାଇ ସମଗ୍ର ଦେଶରେ ଚର୍ଚ୍ଚାକୁ ଆସିଯାଇଛନ୍ତି । ରାସନ କାର୍ଡରେ ତାଙ୍କ ନାଁ ଦତ୍ତ ବଦଳରେ କୁତ୍ତା ହେବାରୁ ସେ କୁକୁରଙ୍କ ପରି ଭୁକି ଏହି ପ୍ରତିବାଦ କରିଥିଲେ ।

ଘଟଣାଟି ଏହିପରି… ପଶ୍ଚିମବଙ୍ଗର ବାଙ୍କୁରାର ଶ୍ରୀକାନ୍ତ କୁମାର ଦତ୍ତଙ୍କ ନାଁ ରାସନ କାର୍ଡରେ ଭୁଲରେ କୁତ୍ତା ହୋଇଯାଇଥିଲା । ଇଂରାଜୀରେ ଲେଖାଥିବା ତାଙ୍କ ନାଁ Duttaର ଡି (D) ଅକ୍ଷରଟି ବଦଳରେ ଟି (T) ଲେଖା ହୋଇଥିଲା । ଫଳରେ ତାହା କୁତ୍ତା ହୋଇଯାଇଥିଲା । ଏହାକୁ ସଂଶୋଧନ କରିବାକୁ ସେ ବାରମ୍ବାର ବ୍ଲକ ଅଫିସକୁ ଆସି ଅଧିକାରୀମାନଙ୍କୁ ଜଣାଇବା ସତ୍ତ୍ବେ କୌଣସି ସୁଫଳ ମିଳିନଥିଲା ।

 

ବାରମ୍ବାର ଦୌଡ଼ିବା ସତ୍ତ୍ବେ କୌଣସି ସୁଫଳ ନ ମିଳିବାରୁ ଶେଷରେ ସେ ବାଧ୍ୟ ହୋଇ ଏକ ଅଭିନବ ଉପାୟ ଅବଲମ୍ବନ କରିଥିଲେ । ସେ ବିଡିଓଙ୍କ ଗାଡ଼ି ଯାଉଥିବାବେଳେ ତାହାକୁ ଅଟକାଇ କୁକୁରଙ୍କ ପରି ଭୁକିବା ଆରମ୍ଭ କଲେ । କଣ ହୋଇଛି ବୋଲି ବିଡିଓ ପଚାରିବା ସତ୍ତ୍ବେ ସେ ଭୁକି ଚାଲିଥିଲେ । ଭୁକି ଭୁକି ସେ ନିଜର ପ୍ରତିବାଦ ପତ୍ର ବିଡ଼ିଓଙ୍କୁ ଧରାଇଦେଇଥିଲେ । ବିଡିଓ ତାହାକୁ ଗ୍ରହଣ କରିବା ସହ ପାଖରେ ଥିବା ଜଣେ ସରକାରୀ ଅଧିକାରୀଙ୍କୁ ଆବଶ୍ୟକ ସଂଶୋଧନ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏ ନେଇ ଏକ ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।

 

ସମ୍ବନ୍ଧିତ ଖବର