ପ୍ରତିଶୋଧ ନେବାକୁ ସାପ ମୁଣ୍ଡକୁ କାମୁଡ଼ି ପକାଇଥିବା ଲୋକ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ହାର୍ଦୋଇଠାରେ ଜଣେ ଲୋକ ଗୋଟାଏ ସାପର ମୁଣ୍ଡକୁ କାମୁଡ଼ି ଚୋବାଇବା ପରେ ପିଙ୍ଗି ଦେଇଛନ୍ତି। ସାପଟି ତାଙ୍କୁ କାମୁଡ଼ିବାରୁ ଅହନ୍ତା ରଖି ଏମିତି କରିଥିବା କଥା ସୋନେଲାଲ୍‌ ନାମକ ସେ ବ୍ୟକ୍ତି କହିଛନ୍ତି।

ଅଚେତ ହୋଇ ପଡ଼ିବା ପରେ ତାଙ୍କୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆ ଯାଇଥିଲା। କିନ୍ତୁ, ତାଙ୍କ ଠାରେ ଡାକ୍ତର କୌଣସି ସାପକାମୁଡ଼ା ଚିହ୍ନ ଦେଖି ନ ଥିଲେ।

ଶନିବାର ଦିନ ଘଟଣାଟି ଘଟିଥିଲା ଶୁକ୍ଳାପୁର ଭାଗର ଗାଁ’ରେ। ଜଣେ ଚାଷୀ ବେହୋସ ହୋଇ ଯାଇଛନ୍ତି ବୋଲି ମୋହାଗଞ୍ଜ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୮ ଆମ୍ବୁଲାନ୍‌ସ୍‌ ଖବର ପାଇଲା। ସନ୍ଧ୍ୟା ସାତଟା ସମୟରେ ସେ ଚାଷୀ ଅର୍ଥାତ୍‌ ସୋନେଲାଲ୍‌ଙ୍କୁ ଡାକ୍ତରଖାନାକୁ ଅଣାଯିବା ପରେ ଜରୁରୀକାଳୀନ ମେଡିକାଲ ଅଫିସର ଡାକ୍ତର ମହେନ୍ଦ୍ର ବର୍ମା ଏବଂ ଫାର୍ମସିଷ୍ଟ୍‍ ହିତେଶ କୁମାର ତାଙ୍କର ଚିକିତ୍ସା କରିଥିଲେ।

ତାଙ୍କ ପଡ଼ୋଶୀ ରାମ ସେବକ ଏବଂ ରାମ ସ୍ୱରୂପ କହିଥିଲେ କି, ସୋନେଲାଲ୍‌କୁ ସାପଟାଏ କାମୁଡ଼ିଛି। କିନ୍ତୁ, ତା’ ଦେହ ଯାଞ୍ଚ ହେବା ପରେ ମଧ୍ୟ କୌଣସି ସ୍ଥାନରେ ସାପକାମୁଡ଼ା ଚିହ୍ନ ମିଳିଲା ନାହିଁ।

ତାଙ୍କ ପୁତୁରା କହନ୍ତି, ଘଟଣା ଘଟିବା ସମୟରେ ସୋନେଲାଲ୍‌ ଏକା ଥିଲେ। ତାଙ୍କୁ ସାପ କାମୁଡ଼ିଥିବା କଥା ଜଣେ କିଏ କହିବାରୁ ତାଙ୍କୁ ଜରୁରୀକାଳୀନ ଔଷଧ ଦିଆଯାଇ ଅନୁଧ୍ୟାନରେ ରଖାଗଲା।

ରାତି ପ୍ରାୟ ୧୦ଟା ବେଳକୁ ତାଙ୍କ ଚେତା ଫେରିଲାରୁ ସେ ଘଟଣା ବର୍ଣ୍ଣନା କରିଥିଲେ। ସେ କହିଲେ: ଗୋରୁ ଚରାଉଥିବାବେଳେ ତାଙ୍କୁ ସାପ କାମୁଡ଼ିଲା। ରାଗରେ ସେ ସାପକୁ ଉଠାଇ ଆଣି ତା’ର ମୁଣ୍ଡ କାମୁଡ଼ି ଛିଣ୍ଡାଇ ପକାଇଲେ।

ଡାକ୍ତରଙ୍କ କହିବାନୁସାରେ, ତା’ ଦେହରେ ସାପ କାମୁଡ଼ା କ୍ଷତ ତ ନ ଥିଲା। ବୋଧହୁଏ ସାପ ମୁଣ୍ଡକୁ କାମୁଡ଼ିଲା ବେଳେ କିଛି ଅଂଶ ଖାଇପକାଇ ଥିବାରୁ ସେଥିରେ ଥିବା ବିଷ ପ୍ରଭାବରୁ ସେ ବେହୋସ ହୋଇ ଯାଇଥିଲେ।

ସ୍ଥାନୀୟ ଲୋକେ କହନ୍ତି, ସୋନେଲାଲ୍‌ ନିଶା ଔଷଧ ଖାଏ।

ସମ୍ବନ୍ଧିତ ଖବର