ମୋଦିଙ୍କ ଉପରେ ବୋମା ପକାଇ ଉଡ଼ାଇ ଦେବି, ନିଶାରେ ୧୦୦ ଡାଏଲ କରି ଏଭଳି ଧମକ ଦେଲେ ଯୁବକ, ତା’ପରେ….
ନୂଆଦିଲ୍ଲୀ : ନିଶାଗ୍ରସ୍ତ ହୋଇ ଲୋକମାନେ କେତେ ବଡ଼ ଭୁଲ କରି ପକାନ୍ତି, ତାହା ସେମାନଙ୍କୁ ସେ ସମୟରେ ଜଣା ପଡ଼ି ନଥାଏ । କିନ୍ତୁ ପରେ ପଶ୍ଚାତାପ କରିବାକୁ ସମୟ ମଧ୍ୟ ମିଳି ନ ଥାଏ । ଦିଲ୍ଲୀର ବୁରାଡି ଅଞ୍ଚଳରେ ଅରୁଣ ନାମକ ଜଣେ ଯୁବକ ନିିଶାଗ୍ରସ୍ତ ହୋଇ ଏକ ବଡ଼ ଭୁଲ କରି ଦେଇଥିବା ଜଣା ପଡ଼ିଛି ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, କିଛି ଦିନ ତଳେ ବୁରାଡିକୁ ରହିବାକୁ ଆସିଥିଲେ ଅରୁଣ । ଭଡ଼ା ଘରେ ରହିବା ସେହି ଦିନ ମଜୁରିଆ କାମ କରି ନିଜ ପେଟ ପୋଷୁଥିଲେ । କିନ୍ତୁ ରବିବାର ସେ ମଦ ପିଇ ଆସିବା ସହ ଘର ବାହାରେ ଠିଆ ହୋଇଥିବା ଘର ମାଲିକଙ୍କୁ ଖରାପ ଭାଷାରେ ଗାଳି ଗୁଲଜ କରିଥିଲେ । ଯାହା ପରେ ଘର ମାଲିକ ସତୀଶ ଅରୁଣଙ୍କୁ ଚୁପ୍ କରାଇବାକୁ ଯାଇ ତାଙ୍କୁ ଚାପୁଡ଼ା ମାରିଥିଲେ । କିନ୍ତୁ ଚୁପ୍ ହୋଇ ନ ଥିଲେ ଅରୁଣ । ଅରୁଣ ନିଶାରେ ଥିବା ଜାଣି ସତୀଶ ସେଠାରୁ ଚାଲି ଆସିଥିଲେ । କିନ୍ତୁ ଚାପୁଡ଼ା ମାଡ଼ ଖାଇ ପ୍ରତିଶୋଧ ନେବା ପାଇଁ ଅରୁଣ ପୁଲିସକୁ ଫୋନ କରିଥିଲେ ।
୧୦୦ନମ୍ବର ଡାଏଲ କରି ସତୀଶଙ୍କ ବିଷୟରେ କହିବା ପରିବର୍ତ୍ତେ ସେ ବୋମା ପକାଇ ମୋଦିକୁ ଉଡ଼ାଇ ଦେବି ବୋଲି ପୁଲିସକୁ ଧମକ ଦେଇଥିଲେ । ଏହା ଶୁଣି ତୁରନ୍ତ ପୁଲିସ ଫୋନ କଲ୍କୁ ଟ୍ରାକ୍ କରି ଅରୁଣ ରହୁଥିବା ଘରେ ପହଞ୍ଚିଥିଲେ । ଅରୁଣଙ୍କୁ ପୁଲିସ ଷ୍ଟେସନ ଅଣାଯାଇ ପଚରାଉଚରା କରାଯିବା ପରେ ନିଶାଗ୍ରସ୍ତ ହୋଇ ସେ ଏପରି କରିଥିବା ଜଣା ପଡ଼ିଥିଲା ।