କରୋନାର କରୁଣ ଚିତ୍ର: ଆକ୍ରାନ୍ତଙ୍କୁ ଘୋଷାରି ଆମ୍ବୁଲାନ୍ସରେ ଉଠାଇବା ବେଳେ ଚାଲିଗଲା ଜୀବନ

କୋଲକାତା: ସମ୍ପ୍ରତି କରୋନାର କରୁଣ ଚିତ୍ର ଏଭଳି ପରିସ୍ଥିତିରେ ପହଞ୍ଚିଛି ଯେ ତାକୁ କଳ୍ପନା କରାଯାଇ ନପାରେ। କେଉଁଠି ଆକ୍ରାନ୍ତଙ୍କୁ କେହି ସହଯୋଗର ହାତ ବଢ଼ାଉ ନାହାନ୍ତି ତ ଆଉ କେଉଁଠି କରୋନା ମୃତକଙ୍କୁ କାନ୍ଧ ମିଳୁ ନାହିଁ। ସବୁ ପ୍ରକାର ସମ୍ପର୍କକୁ ଛିନ୍ନ କରି ଦେଇଛି ମହାମାରୀ କରୋନା। ମରିଯାଇଛି ମାନବିକତା। ଏଭଳି ଏକ କରୁଣ ଚିତ୍ର ଦେଖିବାକୁ ମିଳିଛି ବନଗାଓଁ ସବ୍‌ଡିଭିଜନାଲ ହସ୍ପିଟାଲରେ। କରୋନାରେ ଆକ୍ରାନ୍ତ ଜଣେ ବ୍ୟକ୍ତିଙ୍କୁ ଆମ୍ବୁଲାନ୍ସକୁ ଉଠାଇବା ପାଇଁ ତାଙ୍କ ପତ୍ନୀ କାନ୍ଦି କାନ୍ଦି ବିକଳ ହୋଇ ନିବେଦନ କରୁଥାନ୍ତି। ହେଲେ କେହି ସାହାଯ୍ୟ କଲେ ନାହିଁ। ଶେଷରେ ବାଧ୍ୟହୋଇ ସେ ନିଜ ସ୍ବାମୀଙ୍କୁ ଘୋଷାରି ଘୋଷାରି ଆମ୍ବୁଲାନ୍ସରେ ଚଢ଼ାଇବା ପାଇଁ ଉଦ୍ୟମ କରୁଥିବାବେଳେ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଏଭଳି କରୁଣ ଦୃଶ୍ୟ ଦେଖୁଥିବା ଲୋକମାନଙ୍କ ମନରେ କିଛି ବି ପ୍ରତିକ୍ରିୟା ସୃଷ୍ଟି କଲା ନାହିଁ।

ଘଟଣାରୁ ଜଣାପଡ଼ିଛି, ଶ୍ବାସକ୍ରିୟାରେ କଷ୍ଟ ଅନୁଭବ କରିବାରୁ ମାଧବ ନାରାୟଣ ଦତ୍ତ(୬୮)ଙ୍କୁ ରବିବାର ସନ୍ଧ୍ୟାରେ ବନଗାଓଁ ସବ୍‌ଡିଭିଜନାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଡାକ୍ତରଖାନାର କୋଭିଡ୍‌-୧୯ ୱାର୍ଡରେ ତାଙ୍କୁ ରଖାଯାଇ ଚିକିତ୍ସା କରାଯାଉଥିଲା। ବିଳମ୍ବିତ ରାତିରେ ତାଙ୍କ ସ୍ବାସ୍ଥ୍ୟରେ ଅବନତି ହେବାରୁ ୮୦ କିମି ଦୂର କୋଲକାତାର ଏକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯିବାକୁ କୁହାଯାଇଥିଲା। ନାରାୟଣଙ୍କ ସହ ତାଙ୍କ ପତ୍ନୀ ଥିଲେ। ଆମ୍ବୁଲାନ୍ସ ଆସି ପହଞ୍ଚିଲା। ହେଲେ ନାରାୟଣ ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଯାଇ ପାରିଲେ ନାହିଁ। ସେଠାରେ ଉପସ୍ଥିତ ଲୋକଙ୍କୁ କେତେ ନେହୁରା ହେଲେ ନାରାୟଣଙ୍କ ପତ୍ନୀ। ଆମ୍ବୁଲାନ୍ସ ଡ୍ରାଇଭର ପିପିଇ ସୁଟ୍‌ ପିନ୍ଧିଥିଲେ ମଧ୍ୟ ନାରାୟଣଙ୍କୁ ଛୁଇଁ ନଥିଲେ। ଶେଷରେ ବାଧ୍ୟ ହୋଇ ତାଙ୍କ ପତ୍ନୀ ଏକାକୀ ତାଙ୍କୁ ଘୋଷାରି ଘୋଷାରି ଆମ୍ବୁଲାନ୍ସରେ ଚଢ଼ାଇବାକୁ ଉଦ୍ୟମ କରିଥିଲେ। ହେଲେ ପତ୍ନୀଙ୍କ ଉଦ୍ୟମ ବ୍ୟର୍ଥ ହେଲା। ଅଧଘଣ୍ଟାର କସରତ ପରେ ବି ପତ୍ନୀ ନାରାୟଣଙ୍କୁ ବଛାଇ ପାରିଲେ ନାହିଁ। ସେହିଠାରେ ତାଙ୍କ ମୃତ୍ୟୁ ହେଲା।

ସମ୍ବନ୍ଧିତ ଖବର