ସମୁଦ୍ରରେ ବିନା ଖାଦ୍ୟ ଓ ପାଣିରେ ୧୧ଦିନ: ନିଜ ଦେଶରେ ଡଙ୍ଗାବୁଡ଼ିଲା, ଉଦ୍ଧାର ହେଲେ ଅନ୍ୟଦେଶରେ

ନୂଆଦିଲ୍ଲୀ:  କଥାରେ ଅଛି ରଖେ ହରି ତ ମାରେ କିଏ, ମାରେ ହରି ତ ରଖେ କିଏ ? କଥାଟି ଏହି ମତ୍ସ୍ୟଜୀବୀଙ୍କ ପାଇଁ ଉଦ୍ଦିଷ୍ଟ । ମତ୍ସ୍ୟଜୀବୀ ଜଣକ ସମୁଦ୍ରରେ ମାଛ ଧରିବାକୁ ଯାଇଥିଲେ, କିନ୍ତୁ କୌଣସି କାରଣରୁ ତାଙ୍କ ଡଙ୍ଗାଟି ବୁଡ଼ିଯାଇଥିଲା । ସେ ନିଜ ଜୀବନ ବଞ୍ଚାଇବା ପାଇଁ ଫ୍ରିଜ ଭିତରେ ପଶିଗଲେ  । ୧୧ଦିନ ଧରି ମତ୍ସ୍ୟଜୀବୀ ଜଣକ ଫ୍ରିଜ ଭିତରେ ରହି ବଞ୍ଚି ରହିବା ଏକ ଆଶ୍ଚର୍ଯ୍ୟଜନକ କଥା ।

ଯେଉଁ ସ୍ଥାନରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ବୁଡ଼ି ଯାଇଥିଲା, ସେଠାରୁ ୪୫୦ କିଲୋମିଟର ଦୂରରେ ଅନ୍ୟ ଦେଶର ଲୋକମାନେ ତାଙ୍କୁ ଉଦ୍ଧାର କରିଥିଲେ। ଚିକିତ୍ସା ପରେ ତାଙ୍କୁ ୧୬ ଦିନ ଜେଲରେ ରଖାଯାଇଥିଲା । ଗଣମାଧ୍ୟମର ତଥ୍ୟ ଅନୁଯାୟୀ ରୋମୁଆଲ୍ଡୋ ନାମକ ଜଣେ ଯୁବକ ବ୍ରାଜିଲର ଓୟାପୋକ୍ ସହରରୁ ମାଛ ଧରିବାକୁ ସମୁଦ୍ରକୁ ଯାଇଥିଲେ। ସମୁଦ୍ରରେ ମାଛ ଧରିବା ସମୟରେ ହଠାତ୍ ତାଙ୍କ ତାଙ୍କ ଡଙ୍ଗା ବୁଡ଼ିବାକୁ ଲାଗିଲା, ଏହା ପରେ ସେ ଫ୍ରିଜ୍ ଭିତରେ ରହି ନିଜ ଜୀବନ ରକ୍ଷାକଲେ।

ଦୀର୍ଘ ୧୧ ଦିନ ଧରି ରୋମୁଆଲ୍ଡୋ ଫ୍ରିଜ୍ ସାହାଯ୍ୟରେ ସମୁଦ୍ରରେ ରହିଲେ,  ଖାଇବା କିମ୍ବା ପିଇବା ପାଇଁ କିଛି ପାଇଲେ ନାହିଁ ଫଳରେ ତାଙ୍କର ଓଜନ ୫କେଜି କମିଯାଇଥିଲା । ଅଗଷ୍ଟ ୧୧ ରେ, ଉଦ୍ଧାରକାରୀମାନେ ରୋମୁଆଲ୍ଡୋଙ୍କୁ ସମୁଦ୍ର ମଝିରୁ ପାଇଲେ ଏବଂ ପାଣି ଓ ଖାଦ୍ୟ ଦେଇଥିଲେ । ଆଶ୍ଚର୍ଯ୍ୟର କଥା ହେଉଛି ବ୍ରାଜିଲର ସମୁଦ୍ର ସୀମାରେ ମତ୍ସ୍ୟଜୀବୀଙ୍କ ଡଙ୍ଗା ବୁଡ଼ି ଯାଇଥିବାବେଳେ ସୁରିନାମ (ଅନ୍ୟ ଦେଶ) ରୁ ମତ୍ସ୍ୟଜୀବୀଙ୍କୁ  ଉଦ୍ଧାର କରାଯାଇଥିଲା।  ରୋମୁଆଲ୍ଡୋ କହିଛନ୍ତି ଯେ ଶୋଷ ତାଙ୍କୁ ଅଧିକ କଷ୍ଟ ଦେଉଥିଲା । ଡଙ୍ଗା ବୁଡ଼ିଯିବା ପରେ ଫ୍ରିଜ୍ ତାଙ୍କ ପାଇଁ ଇଶ୍ୱର ହୋଇଗଲା । ଏତେ ଦିନ ସମୁଦ୍ରରେ ରହିବା ପରେ ତାଙ୍କୁ ଡିହାଇଡ୍ରେସନରେ ହୋଇଥିଲା । ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁତ ବିଗିଡି ଯାଇଥିଲା ।

ସ୍ଥାନୀୟ ଗଣମାଧ୍ୟମ ସହିତ କଥାବାର୍ତ୍ତା କରି ରୋମୁଆଲ୍ଡୋ କହିଛନ୍ତି – ‘ମୁଁ ଭାବିଲି ଶାର୍କ ମୋତେ ଖାଇଯିବେ’ । ଡଙ୍ଗାରେ ଯାଉଥିବା ଲୋକମାନେ ମୋ ନିକଟକୁ ଆସି ସାହାଯ୍ୟ କଲେ। ଏହି ମାମଲାରେ ଜଣେ ପୁଲିସ ଅଧିକାରୀ କହିଛନ୍ତି ଯେ ଏତେ ଦିନ ସମୁଦ୍ରରେ ରହିବା ପରେ ମତ୍ସ୍ୟଜୀବୀଙ୍କ କେବଳ ଚକ୍ଷୁ ପ୍ରଭାବିତ ହୋଇଛି, କିନ୍ତୁ ସ୍ୱାସ୍ଥ୍ୟ ଭଲ ଅଛି। ରୋମୁଆଲ୍ଡୋଙ୍କୁ ଆଉ ଏକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଲା । ବାସ୍ତବରେ, ଯେଉଁଠାରେ ସେ ଉଦ୍ଧାର ହେଲେ ତାହା ଥିଲା ସୁରିନାମ । ବିନା କାଗଜପତ୍ରରେ ସୁରିନାମ ସୀମାରେ ପ୍ରବେଶ କରି ସେ ଦୋଷୀ ସାବ୍ୟସ୍ତ ହୋଇଥିଲେ। ବେଆଇନ ଭାବେ ସୁରିନାମ ପ୍ରବେଶ କରିଥିବାରୁ ତାଙ୍କୁ ୧୬ ଦିନ ଜେଲରେ ରହିବାକୁ ପଡିଲା । ନିକଟରେ ସେ ତାଙ୍କ ଦେଶକୁ ଫେରିଛନ୍ତି ।

ସମ୍ବନ୍ଧିତ ଖବର