ଫାରୁକଙ୍କ ଘରେ ଧସେଇ ପଶିଲା ଯୁବକ, ସିଆର୍‌ପିଏଫ୍‌ ଗୁଳିରେ ନିହତ

ଶ୍ରୀନଗର : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍‌ ଅବଦୁଲ୍ଲାଙ୍କ ଘର ମଧ୍ୟକୁ ଧସେଇ ପଶିଥିବା ଜଣେ ଯୁବକ ସୁରକ୍ଷା କର୍ମୀଙ୍କ ଗୁଳିରେ ପ୍ରାଣ ହରାଇଛି। ଜେଡ୍‌ ପ୍ଲସ୍‌ ସୁରକ୍ଷା ଶ୍ରେଣୀରେ ରହିଥିବା ଉଭୟ ଫାରୁକ୍‌ ଏବଂ ପୁଅ ଓମାର ଅବଦୁଲ୍ଲା ଏହି ସମୟରେ ଘରେ ନଥିଲେ।

ସୂଚନାନୁଯାୟୀ, ପୁଞ୍ଚ୍‌ ଜିଲ୍ଲାର ମୁରଦ୍‌ ଅଲ୍ଲୀ ଶାହ ନାମକ ଜଣେ ଯୁବକ ଆଜି ସକାଳ ପ୍ରାୟ ୯ଟା ୩୦ରେ ଏକ ମହିନ୍ଦ୍ରା ଏକ୍ସୟୁଭି୫୦୦ ଗାଡ଼ି ଦ୍ରୁତ ଗତିରେ ଚଳାଇ ସିଧା ଫାରୁକ୍‌ଙ୍କୁ ମୁଖ୍ୟ ଗେଟ୍‌ରେ ପିଟିଥିଲା। ଗେଟ୍‌ ଖୋଲିଯିବା ପରେ ସେ ଭିତରକୁ ଧସେଇ ପଶିଥିଲା। ଉପସ୍ଥିତ ସିଆରପିଏଫ୍‌ ଯବାନ ତାକୁ ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ସେ କାହା କଥା ଶୁଣି ନଥିଲା। ଓଲଟା ସିଆରପିଏଫ୍‌ କର୍ମୀଙ୍କ ଉପରକୁ ଆକ୍ରମଣ କରିଥିଲା। ତେବେ ଉକ୍ତ ଯୁବକଙ୍କ ନିକଟରେ କୌଣସି ଅସ୍ତ୍ର ନଥିଲା। ସିଆର୍‌ପିଏଫ୍‌ କର୍ମୀଙ୍କ ହାତରୁ ଖସିଯିବା ପରେ ମୁରଦ୍‌ ସିଧା ଲବି ଗୃହକୁ ଯାଇ ସେଠାରେ ଜିନିଷପତ୍ର ଭଙ୍ଗାରୁଜା କରିଥିଲା। ଏହାପରେ ସୁରକ୍ଷା ବାହିନୀ ସହିତ ଧସ୍ତାଧସ୍ତି ହୋଇଥିଲା। ଯେତେ ଉଦ୍ୟମ କଲେ ବି ମୁରଦ୍‌ କାହା କଥା ଶୁଣି ନଥିଲା। ଶେଷରେ ବାଧ୍ୟହୋଇ ସୁରକ୍ଷାବାହିନୀ ଗୁଳି ଚଳାଇଥିଲା। ଫଳରେ ଘଟଣାସ୍ଥଳରେ ତା’ର ମୃତ୍ୟୁ ହୋଇଥିଲା।

ମୁରଦ୍‌ର ବାପା ତାଙ୍କ ପୁଅର ମୃତ୍ୟୁ ପାଇଁ ସୁରକ୍ଷା ବାହିନୀକୁ ଦାୟୀ କରିଛନ୍ତି। ସେ କହିଛନ୍ତି, ଯଦି ତାଙ୍କ ପୁଅ ଗେଟ୍‌ ଭାଙ୍ଗି ଭିତରକୁ ପଶିଲା ଏବଂ ଭଙ୍ଗାରୁଜା କଲା, ସେହି ସମୟରେ ସୁରକ୍ଷାକର୍ମୀ କେଉଁଠି ଥିଲେ। ସେମାନେ ପ୍ରଥମେ ତାକୁ ଗିରଫ କଲେନି କାହିଁକି? ତା’ ହାତରେ ତ କୌଣସି ବନ୍ଧୁକ ନଥିଲା କି ଅସ୍ତ୍ରଶସ୍ତ୍ର ନଥିଲା। ତେବେ ତାକୁ ହତ୍ୟା କ’ଣ ପାଇଁ କରାଗଲା ବୋଲି ସେ ପ୍ରଶ୍ନ କରିଛନ୍ତି। ମୃତ ମୁରଦ୍‌ଙ୍କ ପରିବାର ସଦସ୍ୟ ଏବେ ଏହି ଘଟଣାର ତଦନ୍ତ ଦାବି କରିଛନ୍ତି। ଜମ୍ମୁ କଶ୍ମୀର ବରିଷ୍ଠ ପୁଲିସ ଅଧିକାରୀ ଏସ୍‌ ପି ବୈଦ କହିଛନ୍ତି ଯେ ମାମଲା ରୁଜୁ ହେବା ସହିତ ସୁରକ୍ଷା ଭଙ୍ଗ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଫାରୁକ୍‌ ଅବଦୁଲ୍ଲା ଏବେ ସଂସଦ ଅଧିବେଶନ ପାଇଁ ଦିଲ୍ଲୀରେ ଥିବା ଜଣାପଡ଼ିଛି। ଉଲ୍ଲେଖଯୋଗ୍ୟ, ଜମ୍ମୁର ବନ୍ତଲାବ୍‌ରେ ମୁରଦ୍‌ଙ୍କ ବାପାଙ୍କର ଏକ ବନ୍ଧୁକ ଦୋକାନ ଅଛି।

ସମ୍ବନ୍ଧିତ ଖବର