ପୁଣେ: ପୁଣେରେ ଜଣେ ଅଜ୍ଞାତ ବ୍ୟକ୍ତି ନିଜକୁ କୋରିଅର୍ ଡେଲିଭରି ବୟ ପରିଚୟ ଦେଇ ଜଣେ ୨୨ ବର୍ଷୀୟା ଆଇଟି ପ୍ରଫେସନାଲଙ୍କୁ ତାଙ୍କ ଘରେ ପଶି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଜୋନ୍ ୫ର ଡିସିପି ରାଜକୁମାର ସିନ୍ଦେଙ୍କ କହିବା ଅନୁସାରେ, ଅଭିଯୁକ୍ତ ପୀଡ଼ିତାଙ୍କ ଫୋନରେ ଏକ ସେଲ୍ଫି ମଧ୍ୟ ଉଠାଇଥିଲା ଯେଉଁଥିରେ ପୀଡ଼ିତାଙ୍କ ପିଠି ଓ ଆଂଶିକ ମୁହଁ ଦେଖିବାକୁ ମିଳୁଛି। ସେ ତାଙ୍କ ଫୋନ୍‌ରେ ଏକ ମେସେଜ ଛାଡିଥିଲା, ଯେଉଁଥିରେ ସେ ତାଙ୍କ ଫଟୋ ଉଠାଇଥିବାରୁ କାହାକୁ ଅପରାଧ ବିଷୟରେ ନ ଜଣାଇବାକୁ ଚେତାବନୀ ଦେଇଥିଲା। ନ ହେଲେ ସେ ଏହି ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଦେବ ବୋଲି ଧମକ ଦେଇଥିଲା ଏବଂ ‘ମୁଁ ପୁଣି ଆସିବି’ ବୋଲି ଉଲ୍ଲେଖ କରିଥିଲା। ମହାରାଷ୍ଟ୍ର ପୁଣେ ସହରର କୋନ୍ଧୱା ଅଞ୍ଚଳରେ ଥିବା ଏକ ହାଉସିଂ ସୋସାଇଟିରେ ବୁଧବାର ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ଏହି ଘଟଣା ଘଟିଥିବା ବେଳେ ଅପରାଧୀକୁ ଖୋଜା ଚାଲିଛି। ଅଭିଯୁକ୍ତ ଜଣକ ମହିଳାଙ୍କୁ କୌଣସି ନିଶାଦ୍ରବ୍ୟ ସାହାଯ୍ୟରେ ଅଚେତ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।  ସନ୍ଦିଗ୍ଧର ସ୍କେଚ୍ ପ୍ରସ୍ତୁତ କରିବା ପାଇଁ କାମ ଚାଲିଛି। ଆମେ ହାଉସିଂ ସୋସାଇଟିରେ ଥିବା ସିସିଟିଭି କ୍ୟାମେରାକୁ ମଧ୍ୟ ଯାଞ୍ଚ କରୁଛୁ ବୋଲି ସିନ୍ଦେ କହିଛନ୍ତି। ଏହି ଘଟଣା ନେଇ ସ୍ଥାନୀୟ ଅଂଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି।