ସାଲ୍‌ଜ୍‌ବର୍ଗ: ଅଷ୍ଟ୍ରିଆର ସାଲ୍‌ଜ୍‌ବର୍ଗ ନିକଟରେ ଦାସ୍ତାଇନ୍‌ ପର୍ବତମାଳାରେ ଥିବା ଗୋଟାଏ ଝୁଲନ୍ତା ଶିଡି ଚଢୁଥିବା ବେଳେ ଜଣେ ୪୨ ବର୍ଷିୟ ବ୍ରିଟିସ୍‌ ନାଗରିକ ୩୦୦ ଫୁଟ୍‌ ତଳକୁ ଖସିପଡ଼ି ପ୍ରାଣ ହରାଇଥିବା କଥା ‘ଡେଲି ମେଲ୍‌’ ରିପୋର୍ଟ କରିଛି।

Advertisment

ରିପୋର୍ଟ ଅନୁସାରେ, ଘଟଣା ସେପ୍ଟେମ୍ବର ୧୨ ତାରିଖରେ ଘଟିଥିଲା। ୧୩୦ ଫୁଟ୍‌ ଉଚ୍ଚ ଉକ୍ତ ଶିଡ଼ିରେ ଏକାକୀ ଚଢୁଥିବା ବେଳେ ତାଙ୍କ ଗୋଡ଼ ଖସିଯିବାରୁ ସେ ତଳକୁ ଖସିପଡ଼ିଲେ। ଶିଡ଼ି ତଳେ ଥିବା ଗଭୀର ଖାଇ ମଧ୍ୟରୁ ପରେ ତାଙ୍କର ଶବ ଉଦ୍ଧାର କରାଯାଇଥିଲା। ଅଘଟଣ ସମୟରେ ଆରୋହୀ ଏକାକୀ ଥିବାରୁ ଏଥିରେ କ‌ୌଣସି ୩ୟ ପକ୍ଷର ଅବହେଳା ନାହିଁ ବୋଲି ପୁଲିସ ଓ ସରକାରୀ କର୍ତ୍ତୃକ୍ଷ କହିଛନ୍ତି।

ତାଙ୍କୁ ଉଦ୍ଧାର କରିବା ଲାଗି ୨ଟି ହେଲିକପ୍ଟର୍‌ ଟିମ୍‌ ଏବଂ ହେଲିନ୍‌ ଆଲ୍‌ପାଇନ୍‌ ଓ ଏବ୍‌ଟେନାଉ ପୁଲିସର କେତେକ ଅଧିକାରୀ ନିୟୋଜିତ ‌ହୋଇଥିଲେ। କିନ୍ତୁ, ସେତେବେ‌ଳକୁ ତାଙ୍କର ମୃତ୍ୟୁ ଘଟିସାରିଥିଲା।

Austria Mountain Image Courtesy of Times Now

ଏହା ଦୁର୍ଘଟଣା ବୋଲି ତଦନ୍ତ ଶେଷ କରି ପୁଲିସ ସୁନିଶ୍ଚିତ କରିଥିବା କଥା ଜଣେ ପୁଲିସ ମୁଖପାତ୍ର କହିଛନ୍ତି।

ମୃତ ବ୍ରିଟିସ୍‌ ନାଗରିକଙ୍କ ପରିଚୟ ପ୍ରକାଶ କରାଯାଇନାହିଁ।

ଉଲ୍ଲେଖଯୋଗ୍ୟ, ‘ଭାୟା ଫେରାଟା’ ବା ‘ଲୌହପଥ’ ବୋଲି କୁହାଯାଉଥିବା ଏହି ଶିଡ଼ିରେ ଡୋନର୍‌କୋଗେଲ୍‌ ପର୍ବତ ଶିଖରକୁ ଯିବା ରାସ୍ତା ଭାବେ ବ୍ୟବହାର କରାଯାଏ। ପର୍ବତାରୋହୀମାନେ ଏହି ଶିଡ଼ିକୁ ‘ସ୍ବର୍ଗକୁ ନିଶୁଣି’ ବ‌ୋଲି କହନ୍ତି।