୨ ଦିନ ପର୍ଯ୍ୟନ୍ତ ପବନରେ ଅଟକିଲେ, ଉଡ଼େଇ ଉଡ଼େଇ ୩୦୦ କିମି ଦୂରରେ ଛାଡ଼ିଲା ହାଇଡ୍ରୋଜେନ୍‌ ବେଲୁନ୍‌

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ହାଇଡ୍ରୋଜେନ୍‌ ବେଲୁନ୍‌ରେ ଫଶି ଯାଇଥିବାର ଖବର ହସ୍ତଗତ ହୋଇଛି। ବ୍ୟକ୍ତି ଜଣକ ହାଇଡ୍ରୋଜେନ୍‌ ବେଲୁନ୍‌ରେ ଫଶି ଯାଇ ୨ ଦିନ କାଳ ପବନରେ ଅଟକି ରହିବା ପରେ ତାଙ୍କୁ ୩୦୦ କିଲେମିଟର ଦୂରରୁ ଉଦ୍ଧାର କରାଗଲା। ବ୍ୟକ୍ତି ଜଣକ ଫଶିଯିବାର ପ୍ରାୟ ୪୮ ଘଣ୍ଟା ପରେ ତାଙ୍କୁ ଉଦ୍ଧାର କରାଯାଇଛି। ଘଟଣାଟି ହେଉଛି ଚୀନର ହେଲଂଜିଆଙ୍ଗର। ବ୍ୟକ୍ତି ଜଣଙ୍କର ନାମ ‌ହେଉଛି ୟୁ ‌ଯୋଗେଁଶୁ।

ଜାଣିବାକୁ ମିଳିଛି ଯେ ଗଛରୁ ‌କୋଳି ତୋଳିବାକୁ ତାଙ୍କ ବନ୍ଧୁଙ୍କ ସହ ଜଙ୍ଗଲକୁ ଯାଇଥିଲେ। ମାତ୍ର ଗଛର ଉଚ୍ଚତା ବହୁତ ହୋଇଥିବାରୁ ସେ ଚଢ଼ିବାକୁ ଅସମର୍ଥ ହୋଇଥିଲେ। ଏହି କାରଣରୁ ସେ ହାଇଡ୍ରୋଜେନ୍‌ ବେଲୁନ୍‌ର ସହାୟତା ନେଇଥି‌ଲେ। ସେ ବେଲୁନ୍‌ର ସହାୟତା ନେଇଥିଲେ ସତ, ମାତ୍ର ତାହାକୁ ନିୟନ୍ତ୍ରଣ କରିପାରିନଥିଲେ।

ପରିସ୍ଥିତି ନିୟନ୍ତ୍ରଣ ବାହାର ହେବାରୁ ଯୋଗେଶୁଁଙ୍କ ବନ୍ଧୁ ତୁରନ୍ତ ଉକ୍ତ ବେଲୁନ୍‌ରୁ ତଳକୁ ଡେଇଁ ପଡ଼ିଥିଲେ। ମାତ୍ର ଉପରକୁ ଉପରକୁ ଉଡ଼ି ଉଡ଼ି ଯାଇଥି‌ଲେ ଯୋଗେଶୁଁ। ହଇରାଣର କଥା ହେଉଛି ୨ ଦିନ କାଳ ସେ ଉଡ଼ିବାକୁ ଲାଗିଲେ, ତାଙ୍କ ବେଲୁନ୍‌ ଆଉ ଅଟକିଲା ନାହିଁ। ଏହିପରି ଉଡ଼ି ଉଡ଼ି ସେ ପ୍ରାୟ ୩୦୦ କି‌ଲୋମିଟର ଦୂରରେ ପହଞ୍ଚିଗ‌ଲେ।

ଚୀନ ଗଣମାଧ୍ୟମରେ ଏହି ଖବର ପ୍ରକାଶ ପାଇବା ପରେ ଯୋଗେଶୁଁଙ୍କୁ ଉଦ୍ଧାର କରିବାକୁ କାର୍ଯ୍ୟ ଆରମ୍ଭ ହୋଇଗଲା। ପୁଲିସ୍‌ ଯୋଗେଶୁଁଙ୍କୁ ଫୋନ୍‌ ଯୋଗେ ଯୋଗାଯୋଗ କରି କିପରି ସୁରକ୍ଷିତ ଭାବେ ତଳକୁ ଆସି ହେବ ତାହା ବତାଇଥିଲା। ପୁଲିସ୍‌ର କହିବା କଥାକୁ ମାନି ଶେଷରେ ଯୋଗେଶୁଁ ଏକ ଜଙ୍ଗଲରେ ତଳକୁ ଓହ୍ଲାଇବାରେ ସମର୍ଥ ହେଲେ। ତା’ପରେ ତାଙ୍କ ଫୋନ୍‌ର ଲୋକେସନ୍‌ ଟ୍ରାକ୍‌ କରି ପୁଲିସ୍‌ ତାଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। ଯୋଗେଶୁଁଙ୍କର ବି‌ଶେଷ କିଛି କ୍ଷତି ହୋଇନାହିଁ। ତାଙ୍କ ପିଠିରେ ସାମାନ୍ୟ ଆଘାତ ଲାଗିଛି।

ସମ୍ବନ୍ଧିତ ଖବର