ଚୀନ ଭୂମିକମ୍ପ : ୧୭ ଦିନ ପରେ ଆଶ୍ଚର୍ଯ୍ୟଜନକଭାବେ ଉଦ୍ଧାର ହେଲେ ଯୁବକ

ବେଜିଂ : ସେପ୍ଟେମ୍ବର ୫ରେ ଚୀନର ସିଚୁଆନରେ ହୋଇଥିବା ଭୂମିକମ୍ପରେ ପ୍ରାୟ ୯୩ ଜଣ ଲୋକ ମୃତ୍ୟୁବରଣ କରିଥିବାବେଳେ ୪୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ତେବେ ଏହି ଭୂମିକମ୍ପର ଧ୍ବଂସସ୍ତୁପରୁ ଏକ ଆଶ୍ଚର୍ଯ୍ୟଜନକ ଖବର ହସ୍ତଗତ ହୋଇଛି । ପ୍ରାୟ ୧୭ ଦିନ ଧରି ନିଖୋଜ ଥିବା ଜଣେ ବ୍ୟକ୍ତିକୁ ଜଣେ ଗ୍ରାମବାସୀ ଉଦ୍ଧାର କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଗେନ ୟୁ ନାମକ ଏହି ବ୍ୟକ୍ତି ସିଚୁଆନ ପ୍ରଦେଶରେ ଥିବା ଓ୍ବାଙ୍ଗଡଙ୍ଗ ଜଳବିଦ୍ୟୁତ କେନ୍ଦ୍ରରେ କାର୍ଯ୍ୟ କରୁଥିଲେ । ସେ ଦିନ ଭୂମିକମ୍ପ ଆସିବା ପରେ ଜଳଭଣ୍ଡାରକୁ ଯେପରି କୌଣସି କ୍ଷତି ନହୁଏ ସେଥିପାଇଁ ସେ ଓ ତାଙ୍କ ସାଥୀ କର୍ମଚାରୀ ଲୁ ୟଙ୍ଗଙ୍କ ସହ ସେଠାରେ ସହ ଅଟକି ଯାଇଥିଲେ । ଭୂମିକମ୍ପରେ ଆହତ ହୋଇଥିବା ଆଉ କିଛି କର୍ମଚାରୀଙ୍କ ପ୍ରାଥମିକ ଚିକିତ୍ସା ପାଇଁ ସେମାନେ ଅଟକି ଯାଇଥିଲେ । କିନ୍ତୁ ଭୂମିକମ୍ପ ପରେ ଉକ୍ତ ପାହାଡ଼ିଆ ଅଂଚଳକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ପରେ ସେମାନେ ଆଉ ବାହାରି ପାରିନଥିଲେ ।

ଗେନ ୟୁଙ୍କର ଆଉ ଏକ ସମସ୍ୟା ଥିଲା । ତାଙ୍କର ଆଖି ଖରାପ ଥିବାରୁ ସେ ସବୁବେଳେ ଚଷମା ପିନ୍ଧନ୍ତି । ଚଷମା ଖୋଲିଦେଲେ ସେ ଏକରକମ ଅନ୍ଧ ପାଲଟି ଯାଆନ୍ତି । ଦୁର୍ଭାଗ୍ୟବଶତଃ ଭୂମିକମ୍ପ ପରେ କୌଣସି କାରଣରୁ ତାଙ୍କର ଚଷମା ମଧ୍ୟ ଭାଙ୍ଗି ଯାଇଥିଲା । ଏଣୁ ସେ ରାସ୍ତା ଖୋଜିବାକୁ ସମସ୍ୟାରେ ପଡ଼ି ବାଟବଣା ହୋଇଯାଇଥିଲେ ।

ଲୁ ୟଙ୍ଗଙ୍କୁ ଗତ ୮ ତାରିଖରେ ଉଦ୍ଧାର କରାଯାଇଥିଲେ ବି ଗେନ ନିଖୋଜ ଥିଲେ । ଇତି ମଧ୍ୟରେ ୧୭ ଦିନ ବିତିଯାଇଥିବାରୁ ଉଦ୍ଧାରକାରୀ ଦଳ ମଧ୍ୟ ତାଙ୍କର ଆଶା ଛାଡ଼ିଦେଇଥିଲେ । କିନ୍ତୁ ସପ୍ଟେମ୍ବର ୨୧ ବୁଧବାର ଦିନ ଜଣେ ସ୍ଥାନୀୟ ଗ୍ରାମବାସୀ ତାଙ୍କ ସନ୍ଧାନ ପାଇଥିଲେ । ତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।

 

 

ସମ୍ବନ୍ଧିତ ଖବର