ଆଗ୍ରା: ଉତ୍ତର ପ୍ରଦେଶର ଆଗ୍ରାସ୍ଥିତ ତାଜମହଲ ପରିସରରେ ଜଣେ ବ୍ୟକ୍ତିଙ୍କର ହଠାତ୍ ହୃଦ୍ଘାତ ହେବାରୁ ତାଙ୍କ ପୁଅ ତୁରନ୍ତ ‘କାର୍ଡିଓ-ପଲ୍ମୋନାରି ରିସିସିଟେସନ୍’ (ସିପିଆର୍) ଉପଚାର କରି ତାଙ୍କ ଜୀବନ ରକ୍ଷା କରିଛନ୍ତି।
ବାପାଙ୍କ ଜୀବନ ରକ୍ଷା ପାଇଁ ପୁଅର ଏହି ଉଦ୍ୟମ ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି।
ସଂଗୃହୀତ ସୂଚନା ଅନୁସାରେ, ରାଜୁ ନାମରେ ଜଣେ ୭୦ ବର୍ଷିୟ ଦିଲ୍ଲୀ ବାସିନ୍ଦା ଭାରତୀୟ ନୌସେନା ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ପୁଅ ଓ ପରିବାରବର୍ଗଙ୍କ ସାଥିରେ ତାଜମହଲ ସମେତ ଆଗ୍ରାରେ ଥିବା ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଦେଖିବାକୁ ଯାଇଥିଲେ। ବୁଧବାର ଅପରାହ୍ଣ ପ୍ରାୟ ୧୨.୩୦ରେ ତାଜମହଲ ପରିସରରେ ଥିବା ବେଳେ ରାଜୁଙ୍କର ହୃଦ୍ଘାତ ହେଲା। ଅଚେତ ହୋଇ ସେ ତଳେ ପଡ଼ିଗଲେ।
ଉପସ୍ଥିତ ବୁଦ୍ଧି ଖଟାଇ ପୁଅ ବାପା ରାଜୁଙ୍କୁ ଗୋଟାଏ ବାରଣ୍ଡାରେ ଶୁଆଇ ଦେଇ ଘଟଣାସ୍ଥଳରେ କାର୍ଯ୍ୟରତ ସୁରକ୍ଷାକର୍ମୀଙ୍କୁ ଡାକ୍ତରୀ ସହାୟତା ଯୋଗାଇ ଦେବାକୁ ନିବେଦନ କଲେ। କିନ୍ତୁ, ଡାକ୍ତରୀ ସହାୟତା ପହଞ୍ଚିବା ପୂର୍ବରୁ ପୁଅ ନିଜେ ‘ସିପିଆର୍’ ଆରମ୍ଭ କରି ଦେଇଥିଲେ। କିଛି ସମୟ ପରେ ରାଜୁଙ୍କ ଚେତା ଫେରିଲା। ପରେ ପରେ ଅଧିକ ଚିକିତ୍ସା ନିମନ୍ତେ ‘ତାଜ୍ମହଲ୍ ସିକ୍ୟୁରିଟି’ ଓ ‘ସେଣ୍ଟ୍ରାଲ୍ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସ’ର କର୍ମଚାରୀମାନେ ଆମ୍ବୁଲାନ୍ସ୍ ଯୋଗେ ରାଜୁଙ୍କୁ ସେନା ହସ୍ପିଟାଲ୍କୁ ପଠାଇବା ବ୍ୟବସ୍ଥା କଲେ।
ଠିକଣା ସମୟରେ ‘ସିପିଆର୍’ ଦେଇ ମୃତ୍ୟୁକୁ ଏଡ଼ାଇ ପାରିଥିବାରୁ ଡାକ୍ତରମାନେ ରାଜୁଙ୍କ ପୁଅକୁ ଖୁବ୍ ପ୍ରଶଂସା କରିଛନ୍ତି।