ବାରାବଙ୍କି (ଉତ୍ତରପ୍ରଦେଶ): ବିବାହର ମାତ୍ର ୨୪ ଘଣ୍ଟା ମଧ୍ୟରେ ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ‘ତିନି ତଲାକ୍‌’ କହି ଛାଡ଼ପତ୍ର ଦେବା ଘଟଣା ଏବେ ସମଗ୍ର ଉତ୍ତରପ୍ରଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି। ଏଘଟଣା ସଂପର୍କରେ ପୁଲିସ୍‌ରେ ଅଭିଯୋଗ ହେବାପରେ ପୁଲିସ୍‌ ପକ୍ଷରୁ ଘଟଣା ସଂପର୍କରେ ତନାଘନା ସହ ତଦନ୍ତ ଆରମ୍ଭ ହୋଇଛି।

Advertisment

publive-image

ପୁଲିସ୍‌ ସୂତ୍ରରୁ ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଉତ୍ତରପ୍ରଦେଶ ଜାହାଙ୍ଗିରାବାଦର ଶାହା ଆଲମ୍‌ ନାମକ ଜନୈକ ମୁସଲମାନ ବ୍ୟକ୍ତି ଗତ ୧୩ ତାରିଖରେ ବାରାବଙ୍କିର ରୁକ୍‌ସାନା ବାନୋଙ୍କୁ ବିବାହ କରିଥିଲେ। ତେବେ, ରୁକ୍‌ସାନାଙ୍କ ବାପଘର ଲୋକେ ଆଲମ୍‌ଙ୍କୁ ବିବାହ ସମୟରେ ଯୌତୁକ ଆକାରରେ ଏକ ମୋଟର ସାଇକେଲ ଦେବାକୁ ଅସମର୍ଥ ହୋଇଥିଲେ। ଏହି ଘଟଣାରେ ରାଗିଯାଇ ଆଲାମ୍‌ ବିବାହର ମାତ୍ର ୨୪ ଘଣ୍ଟା ମଧ୍ୟରେ ରୁକ୍‌ସାନାଙ୍କୁ ‘ତିନି ତଲାକ୍‌’ କହି ଛାଡ଼ପତ୍ର ଦେବା ସହ ତାଙ୍କୁ ବାପଘରକୁ ପଠାଇ ଦେଇଥିଲେ। ପରେ ରୁକ୍‌ସାନାଙ୍କ ବାପା ଏସଂପର୍କରେ ଫତେପୁର ଥାନାରେ ଅଭିଯୋଗ କଲାପରେ ପୁଲିସ୍‌ ପକ୍ଷରୁ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ପରେ ଅଭିଯୁକ୍ତ ସ୍ୱାମୀ ଆଲମ୍‌ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗଣମାଧ୍ୟମକୁ କହିଛନ୍ତି ଏସ୍‌ପି ଆକାଶ ତୋମାର।