ନୂଆଦିଲ୍ଲୀ: ୟୁଟ୍ୟୁବରେ ପ୍ରଦର୍ଶିତ ହୋଇଥିବା ଏକ ବିଜ୍ଞାପନ ପାଇଁ ଗୁଗୁଲ ଇଣ୍ଡିଆରୁ ୭୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବିକରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ଜନୈକ ଆବେଦନକାରୀଙ୍କ ଉପରେ ଅଦାଲତ ଶୁକ୍ରବାର ଦିନ ୨୫,୦୦୦ ଟଙ୍କାର ଜରିମାନା ଲଦି ଦେଇଛନ୍ତି।
ମଧ୍ୟପ୍ରଦେଶର ସଂପୃକ୍ତ ଆବେଦନକାରୀଙ୍କ ଦ୍ୱାରା ଦାଖଲ ହୋଇଥିବା ଆବେଦନକୁ ଖାରଜ କରିବା ସମୟରେ ଶୀର୍ଷ ଅଦାଲତ ଏହାକୁ ସମୟର ଅପବ୍ୟୟ ବୋଲି କହିଛନ୍ତି। ଆବେଦନକାରୀ ଦାବି କରଥିଲେ ଯେ ଏହି ବିଜ୍ଞାପନ କାରଣରୁ ତାଙ୍କର ଧ୍ୟାନଭଙ୍ଗ ଓ ଲକ୍ଷ୍ୟଚ୍ୟୁତି ଘଟିଛି ଏବଂ ସେ ଏକ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ପାରିନାହାନ୍ତି। ଗୁଗୁଲ୍ ମାଲିକାନାରେ ଥିବା ସଂସ୍ଥା ୟୁଟ୍ୟୁବ୍ ଦ୍ୱାରା ଏହି ଭିଡିଓ ପ୍ରଦର୍ଶିତ ହୋଇଥିଲା।
ସୁପ୍ରିମ୍କୋର୍ଟର ବିଚାରପତି ଜଷ୍ଟିସ୍ ଏସ୍କେ କୌଲ୍ ଏବଂ ଜଷ୍ଟିସ୍ ଏଏସ୍ ଓକାଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଏହି ମାମଲାର ଶୁଣାଣି କାଳରେ ଆବେଦନକାରୀଙ୍କୁ ପଚାରିଥିଲେ, ‘ଆପଣ କ୍ଷତିପୂରଣ ଚାହୁଁଛନ୍ତି; କାରଣ ଆପଣ ଇଣ୍ଟରନେଟରେ ବିଜ୍ଞାପନ ଦେଖିଛନ୍ତି, ଏବଂ ଆପଣ କହୁଛନ୍ତି ଯେ ଏହି କାରଣ ପାଇଁ ଆପଣଙ୍କ ଲକ୍ଷଚ୍ୟୁତି ଘଟିଲା, ଧ୍ୟାନ ଭଙ୍ଗ ହେଲା, ଏବଂ ଆପଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲେ ନାହିଁ?’
ଖଣ୍ଡପୀଠ କହିଛନ୍ତି, ସମ୍ବିଧାନର ଧାରା ୩୨ ଅନୁଯାୟୀ ଦାଖଲ ହୋଇଥିବା ଏହା ସବୁଠାରୁ ହାସ୍ୟାସ୍ପଦ ଆବେଦନ ମଧ୍ୟରୁ ଗୋଟିଏ। ଏହି ପ୍ରକାରର ଆବେଦନ କେବଳ ମାତ୍ର ନ୍ୟାୟିକ ସମୟର ସମ୍ପୂର୍ଣ୍ଣ ଅପଚୟ ପାଇଁ ଉଦ୍ଦଷ୍ଟ। ଆଗତ ଆବେଦନରେ ଆବେଦନକାରୀ ସୋସିଆଲ ମିଡିଆ ପ୍ଲାଟଫର୍ମରେ ନଗ୍ନତା ଉପରେ ପ୍ରତିବନ୍ଧକ ଲଗାଇବାକୁ ମଧ୍ୟ ଦାବି କରିଥିଲେ।
ଖଣ୍ଡପୀଠ କହିଛନ୍ତି ଯେ ଆବେଦନକାରୀ ଦାବି କରିଛନ୍ତି ଯେ ସେ ଏକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ ୟୁଟ୍ୟୁବରେ ସଦସ୍ୟତା ଗ୍ରହଣ କରିଥିଲେ, ଯେଉଁଠାରେ ସେ ଯୌନ ବିଷୟବସ୍ତୁ ଥିବା ନଗ୍ନ ବିଜ୍ଞାପନ ଦେଖିଥିଲେ। ‘ଯଦି ଆପଣ ଏକ ବିଜ୍ଞାପନ ପସନ୍ଦ କରନ୍ତି ନାହିଁ, ତେବେ ଏହାକୁ ଦେଖନ୍ତୁ ନାହିଁ’ ବୋଲି ଖଣ୍ଡପୀଠ କହିଛନ୍ତି। ସେ କାହିଁକି ବିଜ୍ଞାପନ ଦେଖିବାକୁ ପସନ୍ଦ କଲେ ତାହା ତାଙ୍କର ଅଧିକାର।
ପ୍ରାରମ୍ଭରେ ଖଣ୍ଡପୀଠ ଏପରି ଅର୍ଥହୀନ ମାମଲା ଲାଗି ଆବେଦନକାରୀଙ୍କ ଉପରେ ୧ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଥିବା ବେଳେ ଆବେଦନକାରୀ ଜଣେ ବେକାର ହୋଇଥିବା ଦର୍ଶାଇବା ପରେ ଏହାକୁ ୨୫,୦୦୦ ଟଙ୍କାକୁ ହ୍ରାସ କରିଥିଲେ। ଏଥିସହ ଖଣ୍ଡପୀଠ କହିଥିଲେ ଯେ କେବଳ ପ୍ରଚାର ପାଇଁ ଏପରି ଆବେଦନ ଦାଖଲ କରିପାରିବେ ନାହିଁ କିମ୍ବା ଅଦାଲତର ଦ୍ୱାରସ୍ଥ ହୋଇ ପାରିବେ ନାହିଁ।