ବ୍ୟସ୍ତବହୁଳ ରାସ୍ତା ଉପରେ ସ୍ପଷ୍ଟ ଦିବାଲୋକରେ ଶତାଧିକ ଜନତା ଓ ପୁଲିସ୍‌ର ସମ୍ମୁଖରେ ଘଟିଲା ଜଘନ୍ୟ ହତ୍ୟା; ସମସ୍ତେ ସାଜିଲେ ନିରବ ଦ୍ରଷ୍ଟା: ଭିଡିଓ ହେଲା ଭାଇରାଲ

ହାଇଦ୍ରାବାଦ: ହାଇଦ୍ରାବାଦର ଏକ ବ୍ୟସ୍ତବହୁଳ ସଡ଼କ ଉପରେ ଆଜି ସ୍ପଷ୍ଟ ଦିବାଲୋକରେ ଶତାଧିକ ଜନତା ଓ ଖୋଦ୍‌ ପୁଲିସ୍‌ର ସମ୍ମୁଖରେ ଘଟିଥିବା ଏକ ଜଘନ୍ୟ ହତ୍ୟା ଘଟଣା ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି କରିଛି। ପୂରା ହତ୍ୟା ଘଟଣାର ଭିଡିଓ ଚିତ୍ର ଏକାଧିକ କ୍ୟାମେରାରେ କୈଦ ହୋଇ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଆରମ୍ଭ କରିଛି।

ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ଆଜି ଦିନ ପ୍ରାୟ ୧୧ଟା ବେଳେ ହାଇଦ୍ରାବାଦର ଏକ ବ୍ୟସ୍ତବହୁଳ ସଡ଼କ ଉପରେ ପୂରା ଫିଲ୍ମି ଷ୍ଟାଇଲ୍‌ରେ ହଠାତ୍‌ ଜଣେ ଯୁବକର ଆବିର୍ଭାବ ଘଟିଲା। ଯୁବକ ଜଣକ ଗୋଟିଏ ଜିନ୍‌ ପ୍ୟାଣ୍ଟ ଉପରେ ପିନ୍ଧିଥିଲା ଖଣ୍ଡିଏ ହଳଦିଆ ରଙ୍ଗର ସାର୍ଟ ଆଉ ହାତରେ ଧରିଥିଲା ଗୋଟିଏ ଟାଙ୍ଗିଆ। ହାତରେ ଧରିଥିବା ଟାଙ୍ଗିଆଟିକୁ ଯୁବକ ଜଣକ ବୁଲାଇ ଚାଲିଥିଲା ଖଣ୍ଡା ବୁଲାଇବା ପରି। ଘଟଣା କ’ଣ କେହି କିଛି ବୁଝିବା ପୂର୍ବରୁ ଯୁବକ ଜଣକ ଅଳ୍ପ ଦୂରରେ ସେଇ ସଡ଼କ ଉପରେ ଛିଡ଼ା ହୋଇଥିବା ଅନ୍ୟ ଜଣେ ଯୁବକକୁ ଟାଣି ଆଣିବା ସହ ହାତରେ ଧରିଥିବା ଟାଙ୍ଗିଆ ସାହାଯ୍ୟରେ ତା’ ଉପରେ ବସାଇ ଚାଲିଥିଲା ଚୋଟ ଉପରେ ଚୋଟ। ରାସ୍ତା ଉପରେ ସ୍ପଷ୍ଟ ଦିବାଲୋକରେ ସର୍ବ ସମ୍ମୁଖରେ ଘଟୁଥିବା ଏହି ଘଟଣାକୁ ସେତେବେଳେ ସେଠାରେ ଉପସ୍ଥିତ ଥିବା ଶତାଧିକ ଲୋକ ଦେଖୁଥିଲେ ସୁଦ୍ଧା କେହି ଆଗକୁ ଆସି ଯୁବକଟିର ପ୍ରତିରୋଧ କରି ନଥିଲେ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଏହି ଘଟଣା ଘଟୁଥିବା ବେଳେ ଘଟଣାସ୍ଥଳ ଠାରୁ ମାତ୍ର ୧୦୦ ମିଟର ଦୂରରେ ସିକନ୍ଦରାବାଦ ପୁଲିସ୍‌ ଥାନାର ଏକ ପାଟ୍ରୋଲିଂ ଭ୍ୟାନ ଛିଡ଼ା ହୋଇଥିବା ବେଳେ ତା’ ଭିତରେ ୫ ଜଣ ପୁଲିସ୍‌ କର୍ମଚାରୀ ବସି ରହି ପୂରା ଘଟଣାକୁ ଦେଖୁଥିଲେ।

ଆକ୍ରମଣକାରୀ ଯୁବକଟିର ଟାଙ୍ଗିଆ ଚୋଟରେ ପ୍ରାଣ ହରାଇ ଅନ୍ୟ ଯୁବକଟି ରାସ୍ତା ଉପରେ ପଡ଼ିଯିବା ପରେ ଟାଙ୍ଗିଆଟିକୁ ମୃତ ଯୁବକ ଉପରେ ଫୋପାଡ଼ି ଦେଇ ଆକ୍ରମଣକାରୀ ଯୁବକ ଜଣକ ପାଗଳ ପରି ସେଠାରେ କିଛି ସମୟ ନାଚିବା ପରେ ସେଠାରୁ ଚାଲି ଯାଇଥିଲା। ପରେ ଏକ ନୀଳ ସାର୍ଟ ପରିଧାନ କରି ସେଠାରେ ଉପସ୍ଥିତ ଥିବା ଅନ୍ୟ ଜଣେ ଯୁବକ ଟାଙ୍ଗିଆଟିକୁ ନେଇ ସେଠାରୁ ଚାଲି ଯାଇଥିଲା। ଏହି ପୂରା ହତ୍ୟା ଘଟଣାର ଭିଡିଓ ଚିତ୍ର ଏକାଧିକ କ୍ୟାମେରାରେ କୈଦ ହୋଇ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୁଲିସ୍‌ ହତ୍ୟାକାରୀ ଯୁବକକୁ ଗିରଫ କରିଛି। କୌଣସି ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ୍‌ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର