ମୁମ୍ବାଇର ବିଳାସପୂର୍ଣ୍ଣ ହୋଟେଲକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ଦେଇ ଯୁବକ ଗିରଫ

ମୁମ୍ବାଇ: ମୁମ୍ବାଇର ଉପାନ୍ତ ଅଞ୍ଚଳ ଭାକୋଲାରେ ଥିବା ଏକ ବିଳାସପୂର୍ଣ୍ଣ ହୋଟେଲକୁ ବିସ୍ଫୋରଣରେ ଉଡ଼ାଇ ଦେବାକୁ ଧମକ ଦେଇଥିବା ଅଭିଯୋଗରେ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି ବୋଲି ମୁମ୍ବାଇ ପୁଲିସର ଜନୈକ ବରିଷ୍ଠ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ସଂପୃକ୍ତ ହୋଟେଲକୁ ଗୁରୁବାର ରାତି ୮:୪୯ରେ ଏକ ଫୋନ୍‌କଲ ଆସିଥିଲା। ଯେଉଁଥିରେ ଜଣେ ଅଜ୍ଞାତ ବ୍ୟକ୍ତି ଧମକ ଦେଇଥିଲେ ଯେ ସେ ବିସ୍ଫୋରଣ ଘଟାଇ ସଂପୃକ୍ତ ବିଳାସପୂର୍ଣ୍ଣ ହୋଟେଲଟିକୁ ମାଟିରେ ମିଶାଇ ଦେବେ। ଏହି କଲ୍‌ ମିଳିବା ପରେ ପୁଲିସରେ ଅଭିଯୋଗ କରାଯାଇଥିଲା। ପରବର୍ତ୍ତୀ ସମୟରେ ପୁଲିସର ଏକ ଅନୁସନ୍ଧାନକାରୀ ଦଳ କଲ୍‌ ବିବରଣୀ ରେକର୍ଡ ଏବଂ ମୋବାଇଲ୍‌ ଟାୱାର ଅବସ୍ଥାନ ସଂଗ୍ରହ କରି ସଂପୃକ୍ତ ବ୍ୟକ୍ତିଙ୍କୁ ଧରିବା ପାଇଁ ପ୍ରୟାସ ଆରମ୍ଭ କରିଥିଲେ ବୋଲି ମୁମ୍ବାଇ ପୁଲିସର ବରିଷ୍ଠ ଅଧିକାରୀ ଜଣକ ସୂଚନା ଦେଇଛନ୍ତି।
‘ଆମର ଅନୁସନ୍ଧାନରୁ ଜଣାପଡିଛି ଯେ ଅଭିଯୁକ୍ତ ଜଣେ ମଦ୍ୟପ। ଏହା ପୂର୍ବରୁ ସେ ମୁମ୍ବାଇ ବିଶ୍ୱବିଦ୍ୟାଳୟକୁ ମଧ୍ୟ ବିସ୍ଫୋରଣ କରି ଉଡ଼ାଇ ଦେବାକୁ ଧମକ ଦେଇଥିଲେ’ ତାଙ୍କ ବିରୋଧରେ ବିକେସି ଏବଂ ଭାକୋଲା ପୁଲିସ ଷ୍ଟେସନରେ ଏଫଆଇଆର ପଞ୍ଜୀକୃତ କରାଯାଇଛି ବୋଲି ଅଧିକାରୀ କହିଛନ୍ତି।

ଏହା ପୂର୍ବରୁ ମଙ୍ଗଳବାର ଦିନ ଆନ୍ଧେରୀର ଏକ ମଲରେ ବୋମା ବିସ୍ଫୋରଣ, ଜୁହୁର ମଲ୍‌ଟିପ୍ଲେକ୍ସ ଏବଂ ବିମାନବନ୍ଦର ନିକଟରେ ଥିବା ଏକ ହୋଟେଲ ବିଷୟରେ ହେଲ୍‌ପଲାଇନ ନମ୍ବର ୧୧୨ ରେ ନାଭି ମୁମ୍ବାଇରୁ ଏକ କଲ୍‌ ଆସିଥିଲା ଏହି କଲ୍‌ ସଂକ୍ରାନ୍ତରେ ଏକ ମାମଲା ଆଜାଦ ମଇଦାନ ପୁଲିସ ଥାନାରେ ପଞ୍ଜୀକୃତ ହୋଇଥିଲା। ଏହି ମାମଲାର ଅନୁସନ୍ଧାନ ଜାରି ରହିଛି ବୋଲି ଜଣେ ଅଧିକାରୀ କହିଛନ୍ତି। ଏଥିସହ ମୁମ୍ବାଇ ପୁଲିସ ଲୋକଙ୍କୁ ଏପରି ଗୁଜବ ଏବଂ ପ୍ରତାରଣା କଲ୍‌ ଉପରେ ବିଶ୍ୱାସ ନକରିବାକୁ କହଛି, ଯାହା ଭୟ ବିସ୍ତାର କରିବାକୁ ଚାହୁଁଥିବା ବ୍ୟକ୍ତିମାନେ ତିଆରି କରିଛନ୍ତି। ଏବେ ମୁମ୍ବାଇରେ ଅତ୍ୟଧିକ ନିରାପତ୍ତା ଏବଂ ସୁରକ୍ଷା ସତର୍କତା ଥିବାରୁ ଏହା ଲୋକଙ୍କୁ ବିନା ଭୟରେ ଉତ୍ସବ ପାଳନ କରିବାକୁ ପରାମର୍ଶ ଦେଇଛି।

ସମ୍ବନ୍ଧିତ ଖବର