ଗାଁଲୋକେ ସାହାଯ୍ୟ ନକରି କବାଟ ବନ୍ଦ କରି ଘରେ ରହିଲେ, ସ୍ତ୍ରୀର ମୃତଦେହକୁ ସାଇକେଲରେ ଧରି କେମିତି ଅନ୍ତିମ ସଂସ୍କାର କରିବେ ବୋଲି ଭୋଭୋ ହୋଇ ରାସ୍ତାରେ କାନ୍ଦୁଛନ୍ତି ବୃଦ୍ଧ

ଲକ୍ଷ୍ମୌ: କରୋନା ମହାମାରୀ ସଂକ୍ରମଣ ଯୋଗୁ ଦେଶରେ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଛି। ଏପରି ପରିସ୍ଥିତିରେ କିଛିଲୋକ ସାହାଯ୍ୟ ପାଇଁ ଆଗେଇ ଆସୁଥିବା ବେଳେ ଆଉ କେତେକଙ୍କ ଭିତରେ ମାନବିକତା ମରି ଯାଇଛି । ଏହି କ୍ରମରେ ଉତ୍ତରପ୍ରଦେଶର ଜୋନପୁରରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।

ସୂଚନାଯୋଗ୍ୟ, ସ୍ଥାନୀୟ ମଣ୍ଡିୟାହୁଂ ଅଞ୍ଚଳରେ ତିଲକଧାରୀ ସିଂ ଓ ତାଙ୍କ ସ୍ତ୍ରୀ ରାଜକୁମାରୀ ବସବାସ କରନ୍ତି। କିଛିଦିନ ହେବ ରାଜକୁମାରୀଙ୍କ ସ୍ବାସ୍ଥ୍ୟ ଅସୁସ୍ଥ ହୋଇ ପଡ଼ିଥିଲା। ତେଣୁ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସୁସ୍ଥ ଅନୁଭବ କରିବା ପରେ ସେ ଘରକୁ ଫେରି ଆସିଥିଲେ।

ଗତ ସୋମବାର ତାଙ୍କ ଶରୀର ଅବସ୍ଥା ଗୁରୁତର ହେବାରୁ ରାଜକୁମାରୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ରାଜକୁମାରୀଙ୍କ ମୃତ୍ୟୁ ହୋଇଥିବା ଚିକିତ୍ସା କରୁଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ।

ମୃତ୍ୟୁପରେ ଆମ୍ବୁଲାନ୍ସ ଯୋଗେ ରାଜକୁମାରୀଙ୍କ ମୃତଦେହକୁ ହସ୍ପିଟାଲରୁ ଘରକୁ ଅଣାଯାଇଥିଲା। କିନ୍ତୁ ବୃଦ୍ଧାଙ୍କ ଅନ୍ତିମ ସଂସ୍କାର ପାଇଁ ଗାଁରେ ସମସ୍ୟା ଦେଖା ଦେଇଥିଲା। କରୋନା ସଂକ୍ରମଣ ଭୟରେ ତିଲକଧାରୀଙ୍କ ଘରକୁ କେହି ଆସି ନଥିଲେ। ଏମିତି କି ଗାଁ ଲୋକ କବାଟ ଝରକା ବନ୍ଦ କରି ଘରେ ରହିଥିଲେ।

ଶେଷରେ ବୃଦ୍ଧ ସ୍ବାମୀ ସ୍ତ୍ରୀର ମୃତଦେହର ଅନ୍ତିମ ସଂସ୍କାର ପାଇଁ ସାଇକେଲରେ ବୋହିବାକୁ ବାଧ୍ୟ ହୋଇଥିଲେ। ସାଇକେଲରେ ସ୍ତ୍ରୀର ମୃତଦେହକୁ ରଖି କେଉଁଠି ଅନ୍ତିମ ସଂସ୍କାର କରିବେ ସେନେଇ ଟାଣ ଖରାରେ ଡହଳବିକଳ ହୋଇ କାନ୍ଦିକାନ୍ଦି ଏଣେତେଣେ ବୁଲୁଥିଲେ।

ଏହି ଘଟଣାର ଦୃଶ୍ୟକୁ କେହି ଜଣେ ଫୋନରେ କୈଦ କରି ସୋସିଆଲ ମିଡିଆରେ ପୋଷ୍ଟ କରି ଦେଇଥିଲେ। ଆଉ ତା’ପରେ ଏହା ଭାଇରାଲ ହୋଇଯାଇଥିଲା।

ସମ୍ବନ୍ଧିତ ଖବର