ଆଣ୍ଠୁ ଖଣ୍ଡିଆ ହୋଇଥିବା ରୋଗୀ ପିନ୍ଧିଥିବା ଜିନ୍‌ସ୍‌ ଉପରେ ବ୍ୟାଣ୍ଡେଜ୍‌ ବାନ୍ଧିଲେ ଡାକ୍ତରଖାନାର ଓ୍ଵାର୍ଡ ବୟ

ବର୍‌ଓ୍ଵାନି: ମଧ୍ୟପ୍ରଦେଶର ସେନ୍ଧଓ୍ଵା ସରକାରୀ ଡାକ୍ତରଖାନାରେ ଗୋଡ଼ରେ ଆଘାତ ଲାଗିଥିବା ଜଣେ ଗ୍ରାମବାସୀ ପିନ୍ଧିଥିବା ଜିନ୍‌ସ୍‌ ପ୍ୟାଣ୍ଟ୍‌ ଉପରେ ବ୍ୟାଣ୍ଡେଜ୍‌ ବାନ୍ଧି ଦେଇଛନ୍ତି ଜଣେ ଓ୍ଵାର୍ଡ ବୟ।

ଦୁଇ ଚକିଆ ଯାନ ଦୁର୍ଘଟନା ଯୋଗୁଁ ଗୋଡ଼ରେ ଆଘାତ ଲାଗିଥିବା ଦୀଓ୍ଵାନିୟା ଗ୍ରାମର ଶୋଭାରାମଙ୍କୁ ଗୁରୁବାର ଦିନ ୧୦୦ ଶଯ୍ୟାବିଶିଷ୍ଟ ସିଭିଲ୍‌ ହସ୍‌ପିଟାଲ୍‌କୁ ଅଣାଯାଇଥିଲା। ଡାକ୍ତର ବିଜେନ୍ଦ୍ର କାଲେନ ତାଙ୍କୁ ପରୀକ୍ଷା କରିବା ପରେ କ୍ଷତରେ ବ୍ୟାଣ୍ଡେଜ୍‌ ବାନ୍ଧିବାକୁ ଜଣେ କର୍ମଚାରିଙ୍କୁ କହିଥିଲେ ବୋଲି ସେନ୍ଧଓ୍ଵା ବ୍ଲକ୍‌ ମେଡିକାଲ୍‌ ଅଫିସର ଡାକ୍ତର ଜେପି ପଣ୍ଡିତ କହିଛନ୍ତି।

ସେ କହିଛନ୍ତି, ଡ୍ରେସର୍‌ ଅନୁପସ୍ଥିତ ଥିବାରୁ ଜଣେ ଓ୍ଵାର୍ଡ ବୟ ସେ ରୋଗୀଙ୍କ କ୍ଷତ ଉପରେ ସିଧାସଳଖ ବ୍ୟାଣ୍ଡେଜ୍‌ ନ ବାନ୍ଧି ସେ ପିନ୍ଧିଥିବା ଜିନ୍‌ସ୍‌ ପ୍ୟାଣ୍ଟ୍‌ ଉପରେ ବାନ୍ଧିଥିଲେ। ଘଟନା ଜଣାପଡ଼ିବା ପରେ ଶୋଭାରାମଙ୍କ ଜିନ୍‌ସ୍‌ କଟାଯାଇ ଠିକ୍‌ ଭାବେ ଆଣ୍ଠୁରେ ବ୍ୟାଣ୍ଡେଜ୍‌ ବନ୍ଧା ଯାଇଥିଲା।

୧୦୦ ଶଯ୍ୟାବିଶିଷ୍ଟ ଡାକ୍ତରଖାନା ଲାଗି ୪ଜଣ ଡ୍ରେସର୍‌ ନିଯୁକ୍ତି ରହିବା କଥା, କିନ୍ତୁ, ଏଠାରେ ଜଣେ ମାତ୍ର ଡ୍ରେସର୍‌ ଥିବାରୁ ତାଙ୍କୁ ୨୪ ଘଣ୍ଟା କାମରେ ଲଗାଇବା ଅସମ୍ଭବ। ତେଣୁ ଓ୍ଵାର୍ଡ ବୟ ଜଣେ ନର୍ସଙ୍କ ତତ୍ତ୍ୱାବଧାନରେ ବ୍ୟାଣ୍ଡେଜ୍‌ କରନ୍ତି। ଏ ଘଟନାରେ ଡାକ୍ତର ନିର୍ଦେଶ ଦେବା ପରେ ଶୋଭାରାମଙ୍କ ଏମ୍‌ଏଲ୍‌ସି ପ୍ରସ୍ତୁତିରେ ବ୍ୟସ୍ତ ରହିବାରୁ ଏମିତି ଘଟିଲା। ସେ ଓ୍ଵାର୍ଡ ବୟଙ୍କୁ କାମରୁ ହଟାଇ ଦିଆଯାଇଛି।

ସମ୍ବନ୍ଧିତ ଖବର