ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମାନବ କଲ୍ୟାଣରେ ବ୍ୟବହାର ହେବା ଆବଶ୍ୟକ: ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ: ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମାନବ କଲ୍ୟାଣରେ ବ୍ୟବହାର ହେବା ଆବଶ୍ୟକ। ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ବିଦ୍ୟା ସ୍ଥାଣୁ ହୋଇ ଥାଆନ୍ତି। ଆମ ବ୍ୟବହାର ଉପରେ ହିଁ ତା’ର ପରିଣତି ନିର୍ଭର କରିଥାଏ। ମିରଟରୁ ଏକ ଫୋନ୍ କଲ୍ ପାଇବା ପରେ ପ୍ରଧାନମନ୍ତ୍ରୀ ତାଙ୍କ ‘ମନ୍ କି ବାତ୍’ର ୪୧ତମ ସଂସ୍କରଣରେ ଏ କଥା କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ସେ କହିଲେ ଜାତୀୟ ବିଜ୍ଞାନ ଦିବସରେ ମୁଁ ଆମ ସମସ୍ତ ବୈଜ୍ଞାନିକ ଏବଂ ବିଜ୍ଞାନକ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଭାରତ ଅନେକ ବିଖ୍ୟାତ ବୈଜ୍ଞାନିକଙ୍କ ଦେଶ। ଏହା ମହାନ୍ ଗାଣିତିକ ବୌଦ୍ଧଯାନ, ଭାସ୍କର, ବ୍ରହ୍ମଗୁପ୍ତ ଏବଂ ଆର୍ଯ୍ୟଭଟ୍ଟଙ୍କ ଦେଶ। ଏଠାରେ ଚିକିତ୍ସା କ୍ଷେତ୍ରରେ ଥିଲେ ସୁଶ୍ରୂତ ଏବଂ ଚରକ। ସାର୍ ଜଗଦୀଶ ଚନ୍ଦ୍ର ବୋଷ, ହରଗୋବିନ୍ଦ ଖୁରାନା ଓ ସତ୍ୟେନ୍ଦ୍ରନାଥ ବୋଷଙ୍କ ଭଳି ବୈଜ୍ଞାନିକ। ବିଜ୍ଞାନ କ୍ଷେତ୍ରରେ ଭାରତର ଅବଦାନ ବିଷୟ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଏମାନଙ୍କୁ ସ୍ମରଣ କରିଛନ୍ତି। ଦିବ୍ୟାଙ୍ଗ ଭାଇଭଉଣୀଙ୍କ ସହାୟତା ପାଇଁ ବିଜ୍ଞାନର ସହଯୋଗ ଯୋଗାଇଦେବାକୁ ମୁଁ ବୈଜ୍ଞାନିକମାନଙ୍କୁ ଅନୁରୋଧ କରୁଛି।
ସେ କହିଛନ୍ତି, ଜାତୀୟ ବିପତ୍ତିକୁ ବାଦ ଦେଲେ ଅଧିକାଂଶ ଦୁର୍ଘଟଣା ଆମ ଅବହେଳାରୁ ଘଟୁଛି। ଆମେ ବିପଦ ସଚେତନ ସମାଜ ହେବା ସହ ନିରାପତ୍ତାର ମୂଲ୍ୟ ବୁଝିବା ଆବଶ୍ୟକ। ସତର୍କ ଏବଂ ଜାଗ୍ରତ ରହିବା ଦ୍ୱାରା ଦୁର୍ଘଟଣା ରୋକି ହୁଏ। ଦେଶରେ ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ କରୁଥିବା ବୀରମାନଙ୍କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।
ଗ୍ରାମୀଣ ସ୍ୱଚ୍ଛ ଭାରତ ଅଭିଯାନ ବିଷୟରେ ମୋଦି କହିଲେ, ଗୋବର-ଧନ ଯୋଜନା ମଫସଲ ଅଞ୍ଚଳର ଲୋକଙ୍କୁ ତୁରନ୍ତ ଲାଭ ଦେବ। ଛତିଶଗଡ଼ର ଟ୍ରାସ୍ ମହୋତ୍ସବକୁ ସେ ପସନ୍ଦ କରିଛନ୍ତି। ସେ କହିଲେ: କ୍ଲିନ୍ ଏନର୍ଜି ଏବଂ ଗ୍ରିନ୍ ଜବ୍ ଆନ୍ଦୋଳନରେ ଅଂଶ ହେବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି। ଆବର୍ଜନାକୁ ଗାଁର ସମ୍ପତ୍ତିରେ ପରିଣତ କରନ୍ତୁ। ଗୋବରକୁ ଗୋବର-ଧନରେ ପରିଣତ କରନ୍ତୁ।
ସେ କହିଥିଲେ ସମାଜ ମହିଳାଙ୍କ ବିକାଶରୁ ମହିଳାଙ୍କ ନେତୃତ୍ୱାଧୀନ ବିକାଶ ଆଡ଼କୁ ଗତି କରୁଛି। ଆଜି ଜୀବନର ପ୍ରତ୍ୟେକ କ୍ଷେତ୍ରରେ ମହିଳାଙ୍କୁ ସମାନ ଭୂମିକା ଦେବା ଆମର କର୍ତ୍ତବ୍ୟ ହେବା ଉଚିତ।
ମାର୍ଚ ୮ ତାରିଖ ମହିଳା ଦିବସ ଉପଲକ୍ଷେ ମୋଦି ସ୍ୱାମୀ ବିବେକାନନ୍ଦଙ୍କ କଥା ଉଦ୍ଧାର କରି କହିଥିଲେ: ପୂର୍ଣ୍ଣାଙ୍ଗ ନାରୀତ୍ୱ ହେଉଛି ପୂର୍ଣ୍ଣାଙ୍ଗ ସ୍ୱାଧୀନତା।
ସତୁରୀ ବର୍ଷ ଅନ୍ଧକାରରେ ରହିବା ପରେ ବିଜୁଳି ସଂଯୋଗ ପାଇଥିବା ଏଲିଫାଣ୍ଟା ଦ୍ୱୀପର ତିନୋଟି ଗାଁର ବାସିନ୍ଦାଙ୍କୁ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ଏହାକୁ ସେ ନୂତନ ବିକାଶର ପର୍ଯ୍ୟାୟ ବୋଲି କହିବାକୁ କହିଛନ୍ତି।
ହୋଲି ଉତ୍ସବ ପାଇଁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।