ଓଡ଼ିଶାର ପଟ୍ଟଚିତ୍ର ପାଇଁ କାର୍ଯ୍ୟ କରୁଥିବା ଇଞ୍ଜିନିୟର୍‌ଙ୍କ କଥା ‘ମନ୍‌କି ବାତ୍‌’ରେ କହିଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ସାଂସ୍କୃତିକ ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କ ପ୍ରସଙ୍ଗ ଉଲ୍ଲେଖ କରି ଓଡ଼ିଶାର ପଟ୍ଟଚିତ୍ରର ବିକାଶ ନିମନ୍ତେ କାର୍ଯ୍ୟ କରୁଥିବା ଇଞ୍ଜିନିୟର୍‌ଙ୍କ କଥା ‘ଆଜି ମନ୍‌କି ବାତ୍‌’ରେ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଏହି ଇଞ୍ଜିନିୟର୍‌ ହେଉଛନ୍ତି, ରାଉରକେଲାବାସିନୀ ଭାଗ୍ୟଶ୍ରୀ। ବିଧିବଦ୍ଧ ତାଲିମ ନ ନେଇ ମଧ୍ୟ ସେ ସୁନ୍ଦର ପଟ୍ଟଚିତ୍ର ଅଙ୍କନ କରୁଛନ୍ତି।

ଏ ବର୍ଷର ଏହି ବେତାର କାର୍ଯ୍ୟକ୍ରମର ପ୍ରଥମ ସଂସ୍କରଣ ଆରମ୍ଭ କରି ସେ କହିଲେ, ‘ମନ୍‌କି ବାତ୍‌’ କହିବା ବେଳେ ମୋର ମନେହୁଏ ସତେ ଅବା ମୁଁ ଆପଣମାନଙ୍କ ପରିବାରର ଜଣେ ସଦସ୍ୟ ହୋଇ ଆପଣମାନଙ୍କ ଗହଣରେ ରହିଛି।

ଜାନୁଆରି ୨୬ ତାରିଖ ଦିନ ତ୍ରିରଙ୍ଗ ପତାକାର ଅପମାନ ଦେଖି ଦେଶ ଖୁବ୍‌ ଦୁଃଖିତ ଓ ମର୍ମାହତ ବୋଲି ସେ କହିଛନ୍ତି।

Image Courtesy of Hindustan Times

ପ୍ରଧାମନ୍ତ୍ରୀ ପୁଣି ମଧ୍ୟ କହିଛନ୍ତି, ଏ ମାସରେ କ୍ରିକେଟ୍‌ ପିଚ୍‌ ମଧ୍ୟ ସୁସମ୍ବାଦ ପାଇଛି। ପ୍ରାଥମିକ ପର୍ଯ୍ୟାୟରେ ଅସୁବିଧାର ସମ୍ମୁଖୀନ ହୋଇ ଅଷ୍ଟ୍ରେଲିଆ ସିରିଜ୍‌ ବିଜୟୀ ହୋଇ ଆମ କ୍ରିକେଟ୍‌ ଦଳ ପ୍ରତ୍ୟାବର୍ତ୍ତନ କରିଛି। ଆମ ଖେଳାଳିମାନଙ୍କର କଠିନ ଶ୍ରମ ଏବଂ ମିଳିତ କଠିନ ଶ୍ରମ ପ୍ରେରଣାଦାୟୀ।

ସମ୍ପ୍ରତି ଔଷଧ ଏବଂ ଟିକା କ୍ଷେତ୍ରରେ ଆତ୍ମନିର୍ଭର ହୋଇ ପାରିଥିବାରୁ ଟିକାକରଣ କାର୍ଯ୍ୟକ୍ରମରେ ଭାରତ ଅନ୍ୟ ଦେଶମାନଙ୍କୁ ସାହାଯ୍ୟ କରିବାରେ ସମର୍ଥ ହେଉଥିବା ଆପଣମାନେ ଲକ୍ଷ୍ୟ କରୁଥିବେ ନିଶ୍ଚୟ। ଏଥିପାଇଁ ବିଭିନ୍ନ ଦେଶର ନେତାମାନେ ଭାରତକୁ ଧନ୍ୟ ଧନ୍ୟ କହୁଛନ୍ତି।

ପଦ୍ମ ସମ୍ମାନପ୍ରାପ୍ତଙ୍କ ପାଇଁ ଭାରତ ଗୌରବାନ୍ଵିତ ହୋଇଛି। ବଡ଼ କାର୍ଯ୍ୟ କରି ମଧ୍ୟ ଚର୍ଚ୍ଚିତ ହୋଇ ନ ଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରିବାର ଧାରା ବଜାୟ ରଖିଛି ପଦ୍ମ ସମ୍ମାନ। ସେମାନଙ୍କ ଠାରୁ କିଛି ଶିକ୍ଷା କରିବାକୁ ସେ ନାଗରିକମାନଙ୍କୁ ଅନୁରୋଧ କରିଛନ୍ତି।

ଭାରତୀୟ ସଂସ୍କୃତି ଏବଂ ପୂର୍ବଜଙ୍କ ଠାରୁ ପ୍ରାପ୍ତ ଜୀବନଧାରା ସମ୍ବନ୍ଧରେ ଲେଖିବା ଲାଗି ତରୁଣ ଲେଖକମାନଙ୍କୁ ଉତ୍ସାହ ଦେବା ନିମନ୍ତେ ଏକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରାଯାଉଛି। ଦେଶବାସୀ, ବିଶେଷତଃ ତରୁଣମାନଙ୍କୁ ମୋର ଅନୁରୋଧ, ସେମାନେ ଭାରତର ସ୍ୱାଧୀନତା ସଂଗ୍ରାମୀ, ସ୍ୱାଧୀନତା ସଂଗ୍ରାମବିଜଡ଼ିତ ଘଟଣାବଳୀ ଏବଂ ସ୍ୱାଧୀନତା ସଂଗ୍ରାମ ସମୟରେ ସେମାନଙ୍କ ଅଞ୍ଚଳର ଶୌର୍ଯ୍ୟର କାହାଣୀ ପୁସ୍ତକ ରଚନା କରନ୍ତୁ।

ଭାରତ ତା’ର ୭୫ତମ ସ୍ୱାଧୀନତା ଦିବସକୁ ‘ଅମୃତ ମହୋତ୍ସବ’ ଭାବେ ପାଳନ କରିବ। ସ୍ୱାଧୀନତା ଆନ୍ଦୋଳନର ବୀରମାନଙ୍କ ପ୍ରତି ଆପଣମାନଙ୍କ ରଚନା ଆଦର୍ଶ ଶ୍ରଦ୍ଧାଞ୍ଜଳି ହୋଇପାରିବ।

କିଛି ଦିନ ତଳେ ଯୁକ୍ତରାଷ୍ଟ୍ର ଆମେରିକାର ସାନ୍‌ ଫ୍ରାନ୍‌ସିସ୍‌କୋରୁ ସିଧାସଳଖ ବିମାନ ଚଳାଇ ବେଙ୍ଗାଲୁରୁରେ ପହଞ୍ଚିଥିବା ୪ଜଣ ଭାରତୀୟ ମହିଳା ପାଇଲଟ୍‌ଙ୍କ କଥା ମଧ୍ୟ ପ୍ରଧାନମନ୍ତ୍ରୀ ଆଜି ‘ମନ୍‌କି ବାତ୍‌’ରେ ଉଲ୍ଲେଖ କରିଛନ୍ତି। ୨୨୫ରୁ ଊର୍ଦ୍ଧ୍ୱ ବ୍ୟକ୍ତିଙ୍କୁ ନେଇ ଉକ୍ତ ବିମାନଟି ୧୦, ୦୦୦ କିଲୋମିଟର୍‌ ଦୂରରୁ ଆସିଥିଲା। ଯେ କୌଣସି କ୍ଷେତ୍ରରେ ହେଉ, ସମ୍ପ୍ରତି ମହିଳାମାନଙ୍କ ଭୂମିକା କ୍ରମାଗତ ବୃଦ୍ଧି ପାଉଛି। ଗ୍ରାମୀଣ ଭାରତରେ ମଧ୍ୟ ଏହା ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି।

Image Courtesy of India Today

କୃଷିର ଆଧୁନିକିକରଣ ନିମନ୍ତେ ସରକାର ପ୍ରତିବଦ୍ଧ ଏବଂ ଏଥିନିମନ୍ତେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଏ କ୍ଷେତ୍ରରେ ଆହୁରି ମଧ୍ୟ ସରକାରଙ୍କ ଉଦ୍ୟମ ଚାଲୁ ରହିବ। ପ୍ରଦୂଷିତ ଜଳକୁ ଶୋଧନ କରି ହରିୟାଣା ଗ୍ରାମ ପଞ୍ଚାୟତ ଜଳସେଚନରେ ବ୍ୟବହାର କରିବା, ବୁନ୍ଦେଲଖଣ୍ଡର ଛାତ ବଗିଚାରେ ଷ୍ଟ୍ର’ବେରି ଚାଷକୁ ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଶଂସା କରିଛନ୍ତି।

କରୋନାଭାଇରସ୍‌ ବିରୋଧରେ ସଂଗ୍ରାମ ସମୟରେ ସମଗ୍ର ଭାରତରେ ଅନେକ ବଡ଼ ବଡ଼ ଘଟଣା ଘଟିଯାଇଛି ବୋଲି ସେ କହିଛନ୍ତି।

ବିଶ୍ୱରେ ସବୁଠୁ ଦ୍ରୁତ ବେଗରେ ଭାରତ କୋଭିଡ୍‌-୧୯ ଟିକାକରଣ ଚଳାଇ ୧୫ ଦିନ ମଧ୍ୟରେ ୩୦ ଲକ୍ଷ କରୋନା ଯୋଦ୍ଧାଙ୍କୁ ଟିକା ଦେଇ ସାରିଲାଣି ବୋଲି ସେ କହିଛନ୍ତି।

ସଡ଼କ ସୁରକ୍ଷା ଉପରେ ଗୁରୁତ୍ୱାରୋପ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଲେ, କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱରେ ସଡ଼କ ଦୁର୍ଘଟଣା ବଡ଼ ଚିନ୍ତାର କାରଣ। ନିଜ ଜୀବନ ସହ ଅନ୍ୟମାନଙ୍କ ଜୀବନର ସୁରକ୍ଷା ପ୍ରତି ଧ୍ୟାନ ଦେବାକୁ ସେ ଲୋକମାନଙ୍କୁ ଅନୁରୋଧ କରିଛନ୍ତି।

ରାଜପଥ ବ୍ୟବହାରକାରୀଙ୍କ ନିମନ୍ତେ ‘ଫାଷ୍ଟ୍ୟାଗ୍‌’ର ଉପକାରୀତା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଲେ ଯେ, ଏଥିଯୋଗୁଁ ଟୋଲ୍‌ ପ୍ଲାଜାମାନଙ୍କରେ ଗହଳି ହ୍ରାସ ପାଉଛି।

ପ୍ରଧାନମନ୍ତ୍ରୀ କହିଲେ, କେରଳର କୋଟ୍ଟାୟମ୍‌ରେ ଏନ୍‌ଏସ୍‌ ରାଜପ୍ପାନ ନାମକ ଜଣେ ବୟୋବୃଦ୍ଧ ଦିବ୍ୟାଙ୍ଗ ଅଛନ୍ତି। ପକ୍ଷାଘାତ ଯୋଗୁଁ ସେ ଚାଲିବାକୁ ଅସମର୍ଥ।  କିନ୍ତୁ, ପରିଚ୍ଛନ୍ନତା ପ୍ରତି ତାଙ୍କର ପ୍ରତିବଦ୍ଧତା ମଉଳି ଯାଇନାହିଁ। ଗତ କେତେ ବର୍ଷ ହେବ ସେ ତାଙ୍କ ନୌକା ବାହି ବେମବାନାଦ ହ୍ରଦରୁ ପ୍ଲାଷ୍ଟିକ୍‌ ବୋତଲ ବାହାର କରି ଫିଙ୍ଗୁଛନ୍ତି। ତାଙ୍କର ଚିନ୍ତାଧାରା କେଡ଼ ଉତ୍ତୁଙ୍ଗ କଳ୍ପନା କରନ୍ତୁ ତ!

ଶେଷରେ ପ୍ରଧାନମନ୍ତ୍ରୀ କହିଲେ, ଭାରତ ନୂଆ ଦଶନ୍ଧିରେ ପ୍ରବେଶ କରୁଛି। ଏକଥା ମନେରଖି ଭାରତର ଲକ୍ଷ୍ୟ ହାସଲ ନିମନ୍ତେ ସମସ୍ତେ କାର୍ଯ୍ୟ କରନ୍ତୁ।

ସମ୍ବନ୍ଧିତ ଖବର