ମନ୍‌ କି ବାତ୍‌: ‘ଭାରତ୍‌ କି ଲକ୍ଷ୍ମୀ’ ଅଭିଯାନ ଚଳାଇବାକୁ ପ୍ରଧାନମନ୍ତ୍ରୀଙ୍କ ଆହ୍ବାନ

ମୋଦୀ ଆଜି ‘ମନ୍‌ କୀ ବାତ୍‌’ କାର୍ଯ୍ୟକ୍ରମରେ ନିଶାମୁକ୍ତିଠାରୁ ଆରମ୍ଭ କରି ସିଙ୍ଗଲ୍‌ ୟୁଜ୍‌ ପ୍ଲାଷ୍ଟିକ୍‌ରୁ ମୁକ୍ତି ପାଇଁ ନିବେଦନ କରିଛନ୍ତି। ଏହା ବ୍ୟତୀତ ଝିଅମାନଙ୍କ ସମ୍ମାନରେ ‘ସେଲ୍‌ଫି ୱିଦ୍‌ ଡଟର’ ଦ୍ବାରା ସୋସିଆଲ ମିଡିଆରେ ‘ଭାରତ କି ଲକ୍ଷ୍ମୀ’ ଅଭିଯାନ ଚଳାଇବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି। ନବରାତ୍ରୀ ଏବଂ ପାର୍ବଣର ଶୁଭକାମନା ଜଣାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଯେତେବେଳେ କୌଣସି ଘରେ ବି ଅନ୍ଧାର ନଥିବ, ସେତେବେଳେ ପାର୍ବଣର ଅସଲ ଆନନ୍ଦ ମିଳିବ। ଏହି ଅବସରରେ ପ୍ରଧାନମନ୍ତ୍ରୀ ସିଷ୍ଟର ମରିୟମ ଥ୍ରେସିୟାଙ୍କ ମାନବତା ପାଇଁ ସେବାକୁ ସ୍ମରଣ କରି କହିଥିଲେ ଯେ ସିଷ୍ଟର୍‌ ଥ୍ରେସିଆଙ୍କୁ ଖୁବ୍‌ଶୀଘ୍ର ସନ୍ଥ ମାନ୍ୟତା ମିଳିବ, ଯାହାକି ଦେଶପାଇଁ ଗର୍ବର କାରଣ।

ଆଜି ‘ମନ୍‌ କି ବାତ୍‌’ରେ ପ୍ରଧାନମନ୍ତ୍ରୀ କିମ୍ବଦନ୍ତୀ ଗାୟିକ ଲତା ମଙ୍ଗେସକରଙ୍କ ସହ ତାଙ୍କର ଟେଲିଫୋନ କଥାବାର୍ତ୍ତାକୁ ଶୁଣାଇଥିଲେ। ଗତକାଲି ୨୮ ସେପ୍‌ଟେମ୍ବରରେ ଲତା ୯୦ ବର୍ଷରେ ପଦାର୍ପଣ କରିଥିବାରୁ ପ୍ରଧାନମନ୍ତ୍ରୀ ଜନ୍ମଦିନ ଶୁଭକାମନା ଜଣାଇବା ପାଇଁ ଯେଉଁ ଫୋନ୍‌ କରିଥିଲେ ସେହି ବାର୍ତ୍ତାଳାପକୁ ଦେଶବାସୀଙ୍କ ସମ୍ମୁଖରେ ରଖିଥିଲେ । ପ୍ରଧାନମନ୍ତ୍ରୀ ଆମେରିକା ଯିବା ପୂର୍ବରୁ ଲତାଙ୍କୁ ଫୋନ୍‌ କରି ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ ଏବଂ ସେ ଲତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ତାଙ୍କ ବାସଭବନକୁ ଯିବେ ଏବଂ ସେଠାରେ ତାଙ୍କ ହାତରୁ ଗୁଜରାଟି ଖାଦ୍ୟ ଖାଇବେ। ପ୍ରଧାନମନ୍ତ୍ରୀ ମୋଦୀ ଦେଶବାସୀଙ୍କୁ ୨ ଅକ୍ଟୋବର ଗାନ୍ଧୀ ଜୟନ୍ତୀ ଅବସରରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ୍‌ ବିରୋଧରେ ଚାଲିବାକୁ ଥିବା ମହାଅଭିଯାନରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ। ଯୁବଗୋଷ୍ଠୀ ତମ୍ବାଖୁ ଏବଂ ଇ-ସିଗାରେଟ୍‌ଠାରୁ ଦୂରେଇ ରହିବାକୁ ମଧ୍ୟ ପ୍ରଧାନମନ୍ତ୍ରୀ କହିଥିଲେ କହିଥିଲେ।

ସମ୍ବନ୍ଧିତ ଖବର