ନୂଆଦିଲ୍ଲୀ: ପୋଷା ବିଲେଇ ଆକ୍ରମଣ ହେତୁ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତେବେ ପୋଷା ବିଲେଇ ମାଲିକଙ୍କ ଏକ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା। ଏହି ଘଟଣାର ୪ବର୍ଷ ପରେ ମାଲିକଙ୍କ ମୃତ୍ୟୁ ହୋଇଯାଇଥିବା ଘଟଣା ସାମ୍ନାକୁ ଆସିଛି।
ଏଭଳି ଏକ ଘଟଣା ଡେନମାର୍କରେ ଘଟିଥିବା ଜଣାପଡ଼ିଛି। ୨୦୧୮ ମସିହାରେ ହେନରିକ କ୍ରେଗବାଉମ ପ୍ଲେଟନର ଏକ ବିଲେଇ ଓ ତାର ଛୁଆକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ବିଲେଇର ଛୁଆକୁ ଧରୁଥିବା ସମୟରେ ସେ ହେନରିକଙ୍କ ଆଙ୍ଗୁଠିକୁ କାମୁଡ଼ି ଦେଇଥିଲା। ତେବେ ଏହି ବିଲେଇ କାମୁଡ଼ା ହେତୁ ଆଗକୁ ହେନରିକଙ୍କ ଜୀବନ ଚାଲିଯିବ ସେ କେବେ ଚିନ୍ତା ବି କରି ନଥିଲେ।
ଏହି ଘଟଣାର କିଛିଦିନ ପରେ ତାଙ୍କ ହାତ ଫୁଲି ଯାଇଥିଲା। ଏହା ଏତେ ମାତ୍ରାରେ ସଂକ୍ରମଣ ହୋଇଯାଇଥିଲା କି ହେନରିକଙ୍କୁ ଗୋଟିଏ ମାସ ପର୍ଯ୍ୟନ୍ତ ହସ୍ପିଟାଲରେ ରହିବାକୁ ପଡ଼ିଥିଲା। ଆଉ ଏହି ସମୟରେ ଡାକ୍ତର ତାଙ୍କର ୧୫ଟି ଅସ୍ତ୍ରୋପଚାର କରିଥିଲେ। କିନ୍ତୁ ଅସ୍ତ୍ରୋପଚାରର ଚାରିମାସ ପରେ ତାଙ୍କ ଆଙ୍ଗୁଠି ଠିକରେ କାମ କରି ନଥିଲା। ଶେଷରେ ଡାକ୍ତର ତାଙ୍କ ଆଙ୍ଗୁଠିକୁ କାଟି ବାହାର କରି ଦେଇଥିଲେ। ଏସବୁ ପରେ ବି ୩୩ବର୍ଷୀୟ ହେନରିକଙ୍କ ସ୍ବାସ୍ଥ୍ୟ ଆଦୌ ଠିକ ରହିଲା ନାହିଁ। ତାଙ୍କର ରୋଗପ୍ରତିରୋଧକ ଶକ୍ତି ଧୀରେଧୀରେ ହ୍ରାସ ପାଇବାରେ ଲାଗିଲା। ଶେଷରେ ତାଙ୍କର ଅକ୍ଟୋବରରେ ମୃତ୍ୟୁ ହୋଇଯାଇଥିଲା।
ଏହି ଘଟଣାକୁ ନେଇ ହେନରିକଙ୍କ ମା’ କହନ୍ତି, ‘ମୋ ପୁଅ ଭଳି ଭୁଲ ଯେମିତି କେହି ବି ନକରନ୍ତୁ। ଯେଉଁମାନେ ବି କୌଣସି ପଶୁପକ୍ଷୀଙ୍କୁ ପୋଷିଛନ୍ତି, ଆଉ କୌଣସି ସମୟରେ ସେମାନଙ୍କ ଆକ୍ରମଣର ଶିକାର ହେଉଛନ୍ତି, ତେବେ ବିଳମ୍ବ ନକରି ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।’