ନିଜ ପୁଅଝିଅଙ୍କର ତଣ୍ଟି ଚିପିବା ପରେ ଟ୍ରେନ୍ ଆଗକୁ ଡେଇଁଲେ ୪୪ ବର୍ଷିୟ ବାପା

ନୂଆଦିଲ୍ଲୀ: ଜଣେ ବ୍ୟକ୍ତି ନିଜର ପୁଅଝିଅଙ୍କୁ ହତ୍ୟା କରିବା ପରେ ମେଟ୍ରୋ ଟ୍ରେନ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଘଟଣା ଦିଲ୍ଲୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଘରେ ତାଙ୍କର ପତ୍ନୀ ନ ଥିବା ହେତୁ ସେ ଏଥିରୁ ବର୍ତ୍ତିଯାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ନୂଆଦିଲ୍ଲୀ ଦିଲସାଦ୍ ଗାର୍ଡେନରେ ପରିବାର ସହ ରହୁଥିବା ୪୪ ବର୍ଷିୟ ମଧୁର ମଲାନୀ ଏଭଳି କାଣ୍ଡ ଭିଆଇଛନ୍ତି। ସେ ନିଜର ୧୪ ବର୍ଷର ଝିଅ ଓ ୬ ବର୍ଷର ପୁଅର ତଣ୍ଟି ଚିପି ହତ୍ୟା କରିବା ପରେ ମେଟ୍ରୋ ଟ୍ରେନ୍ ଆଗକୁ ଡେଇଁଥିଲେ । ତାଙ୍କର ଝିଅ ସପ୍ତମ ଶ୍ରେଣୀରେ ପଢ଼ୁଥିଲା ବେଳେ ପୁଅ ପ୍ରଥମ ଶ୍ରେଣୀର ଛାତ୍ର ଥିଲା ବୋଲି ଜଣାଯାଇଛି । ପୁଲିସର କହିବା ମୁତାବକ ଘଟଣା ସମୟରେ ମଧୁର ମଲାନୀଙ୍କ ସ୍ତ୍ରୀ ଘରେ ନ ଥିଲେ ।

'Depressed' Delhi Businessman Kills His Children, Commits Suicide: Cops
image source-ndtv.com

ପୁଲିସର ସୂଚନା ଅନୁଯାୟୀ, ମଧୁର ମଲାନୀ ନାବାଳକ ପୁଅ ଓ ଝିଅଙ୍କୁ ହତ୍ୟା କରିବା ପରେ ସନ୍ଧ୍ୟା ୫ଟା ୪୭ ମିନିଟରେ ଦିଲ୍ଲୀ ମେଟ୍ରୋ ଟ୍ରେନର ୟେଲୋ ଲାଇନସ୍ଥିତ ହାଇଦରପୁର୍ ବାଦଲି ମୋଡ୍ ଷ୍ଟେସନରେ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ଏହାପରେ ପୁଲିସ୍ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ନେଇଥିଲା। ସେଠାରେ ଡାକ୍ତର ମଧୁର ମଲାନୀଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପାଖରୁ କୌଣସି ଆତ୍ମହତ୍ୟାଜନିତ ନୋଟ୍ ଉଦ୍ଧାର କରାଯାଇ ନଥିବା ବି ପୁଲିସ୍ କହିଛି । ବ୍ୟକ୍ତି ଜଣକ ଆତ୍ମହତ୍ୟା କରିବା ପରେ କିଛି ସମୟ ଧରି ମେଟ୍ରୋ ଟ୍ରେନ ଗମନାଗମନରେ ଅସୁବିଧା ହୋଇଥିବା ଜଣାଯାଇଛି ।

ତେବେ ମଧୁର କାହିଁକି ଏଭଳି ପଦକ୍ଷେପ ନେଲେ ତାହାର କାରଣ ଜଣାପଡ଼ିନାହିଁ। ପୁଲିସ୍ ଘଟଣାର ତଦନ୍ତ କରୁଛି। ତେବେ ମଧୁର ଗତ କିଛି ମାସ ହେବ ବେକାର ଥିଲେ ବୋଲି ପ୍ରାରମ୍ଭିକ ତଦନ୍ତରୁ ସ୍ପଷ୍ଟ ହୋଇଛି। ସେ ମାନସିକ ଅବସାଦ ଭିତରେ ଗତି କରୁଥିଲେ ବୋଲି ଜଣାଯାଇଛି।

ସମ୍ବନ୍ଧିତ ଖବର