ଭୋପାଳ: ଲିଭ୍-ଇନ୍ ସମ୍ପର୍କଟା ପ୍ରେମ ନା ପାପ ଏହାକୁ ନେଇ ଏବେ ସନ୍ଦେହ ବଢ଼ିବାରେ ଲାଗିଲାଣି। ସୁପ୍ରିମ୍କୋର୍ଟ ଲିଭ୍-ଇନ୍ ସମ୍ପର୍କକୁ ଅନୁମୋଦନ ଦେବା ପରେ ଏହାକୁ ନେଇ ଅପରାଧ ଓ ହତ୍ୟା ଘଟଣା ବୃଦ୍ଧି ପାଇବାରେ ଲାଗିଛି। ନିକଟରେ ଭୋପାଳର ଗାୟତ୍ରୀନଗରରେ ଜଣେ ୨୯ ବର୍ଷୀୟା ଯୁବତୀଙ୍କୁ ତାଙ୍କ ଲିଭ୍-ଇନ୍ ପାର୍ଟନର ଗଳା ଚିପି ହତ୍ୟା କରିଛି। ଅଭିଯୁକ୍ତ ସଚିନ ରାଜପୁତ (୩୨) ରିତିକା ସେନଙ୍କୁ ହତ୍ୟା କରିବା ସହ ତାଙ୍କ ମୃତଦେହକୁ ଏକ କମ୍ବଳରେ ଗୁଡ଼ାଇ ଦୁଇ ରାତି ପର୍ଯ୍ୟନ୍ତ ଏହା ପାଖରେ ଶୋଇଥିଲା।
ଜୁନ୍ ୨୭ ତାରିଖ ରାତିରେ ଦୁହିଁଙ୍କ ଭିତରେ ଝଗଡ଼ା ହେବା ପରେ ଏହି ହତ୍ୟାକାଣ୍ଡ ଘଟିଥିଲା। ସଚିନ ନିଜେ ବେରୋଜଗାର ଥିଲା ଏବଂ ରିତିକା ଚାକିରି କରିଥିବାରୁ ତାଙ୍କ ପ୍ରତି ଈର୍ଷାରେ ପୀଡ଼ିତ ଥିଲେ। ଏଥିସହ ଏକ ଘରୋଇ ସଂସ୍ଥାରେ କାମ କରୁଥିବା ରିତିକାଙ୍କର ମାଲିକଙ୍କ ସହ ପ୍ରେମସମ୍ପର୍କ ଥିବା ତା’ର ସନ୍ଦେହ ହୋଇଥିଲା। ଏହାକୁ ନେଇ ଯୁକ୍ତିତର୍କ ହିଂସାତ୍ମକ ରୂପ ନେଇଥିଲା ଏବଂ କ୍ରୋଧରେ ସେ ରିତିକାଙ୍କୁ ଗଳା ଚିପି ହତ୍ୟା କରିଥିଲା। କିନ୍ତୁ ଏହା ପରେ ଯାହା ଘଟିଲା ତାହା ଆହୁରି ଚିନ୍ତାଜନକ ଥିଲା। ସଚିନ ମୃତଦେହକୁ କମ୍ବଳରେ ଗୁଡ଼ାଇ ବିଛଣା ଉପରେ ରଖିବା ସହ ନିଜେ ସେହି କୋଠରିରେ ରହୁଥିଲା। ପୁଲିସ ସୂଚନା ଅନୁଯାୟୀ, ସେ ଦୁଇ ଦିନ ଧରି ମୃତଦେହ ପାଖରେ ଶୋଇଥିଲା ଓ ପ୍ରବଳ ମଦ୍ୟପାନ କରିଥିଲା।
ରବିବାର ମଦ୍ୟପାନ କରି ସଚିନ ମିସ୍ରୋଡରେ ଥିବା ତା’ର ବନ୍ଧୁ ଅନୁଜଙ୍କ ନିକଟରେ ହତ୍ୟାକାଣ୍ଡ ଘଟଣା ସ୍ୱୀକାର କରିଥିଲା। ଅନୁଜ ତାକୁ ବିଶ୍ୱାସ କରି ନ ଥିଲେ। କିନ୍ତୁ ପରଦିନ ସକାଳେ ସଚିନ ସମାନ ସ୍ୱୀକାର କରିବାରୁ ଅନୁଜ ଶେଷରେ ସୋମବାର ଅପରାହ୍ଣ ପ୍ରାୟ ୫ଟାରେ ପୁଲିସକୁ ଫୋନ୍ କରିଥିଲେ। ବଜରିଆ ପୁଲିସ ଭଡ଼ାଘରେ ପହଞ୍ଚି ମୃତଦେହ ସେମିତି କମ୍ବଳରେ ଗୁଡ଼ାଇ ହୋଇ ବିଛଣା ଉପରେ ପଡ଼ିଥିବା ଦେଖିଥିଲା। ସେମାନେ ସାଢ଼େ ୩ ବର୍ଷ ଧରି ଲିଭ୍-ଇନ୍ ରିଲେସନ୍ସିପ୍ରେ ଥିଲେ ବୋଲି ପୁଲିସ କହିଛି। ଥାନା ଅଧିକାରୀ ଶିଳ୍ପା କୌରବ କହିଛନ୍ତି, ରିତିକା ସେନ ତାଙ୍କ ପ୍ରେମିକ ସଚିନ ରାଜପୁତ ସହ ରହୁଥିଲେ, ଯିଏ ବିବାହିତ ଓ ତାଙ୍କର ଦୁଇଟି ସନ୍ତାନ ଅଛି। ସଚିନ ବିଦିଶାର ସିରୋଞ୍ଜର ବାସିନ୍ଦା। ରିତିକା ଓ ସେ ପ୍ରାୟ ୯ ମାସ ତଳେ ଗାୟତ୍ରୀନଗର ବାସଭବନକୁ ଚାଲି ଆସିଥିଲେ। ସଚିନକୁ ପୁଲିସ ଗିରଫ କରିଛି ଓ ହତ୍ୟା ମାମଲା ରୁଜୁ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରାଯାଇଛି ଓ ତଦନ୍ତ ଜାରି ରହିଛି।