ଶ୍ୱଶୁର ଘରେ ଥିବାବେଳେ ପତ୍ନୀଙ୍କ ଉପରେ ଶାରୀରିକ ଆକ୍ରମଣ ହେଲେ ଉତ୍ତରଦାୟୀ ରହିବେ ସ୍ୱାମୀ: ସୁପ୍ରିମ୍‌କୋର୍ଟ 

ନୂଆଦିଲ୍ଲୀ: ଜଣେ ବିବାହିତା ମହିଳା ଶ୍ୱଶୁର ଘରେ ଥିବା କାଳରେ ଯଦି କୌଣସି ପ୍ରକାରର ଶାରୀରିକ ଆକ୍ରମଣର ଶିକାର ହୁଅନ୍ତି ତେବେ ସେଥିପାଇଁ ତାଙ୍କର ସ୍ୱାମୀ ସଂପୂର୍ଣ୍ଣ ଭାବେ ଉତ୍ତରଦାୟୀ ରହିବେ ବୋଲି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି।

ରିପୋର୍ଟ ଅନୁଯାୟୀ, ଦମ୍ପତି ୨୦୧୮ରେ ବିବାହ କରିଥିଲେ ଏବଂ ସେମାନଙ୍କର ଏକ ସନ୍ତାନ ମଧ୍ୟ ରହିଛି । ଗତ ବର୍ଷ ଜୁନ୍‌ରେ ମହିଳା ତାଙ୍କ ସ୍ୱାମୀ ଏବଂ ଶ୍ବଶୁର-ଶାଶୂଙ୍କ ବିରୋଧରେ ଲୁଧିଆନା‌ ଥାନାରେ ଏକ ଅଭିଯୋଗ ଆଗତ କରିଥିଲେ। ଆଗତ ଅଭିଯୋଗ ପତ୍ରରେ ମହିଳା ଜଣକ କହିଥିଲେ ଯେ ସେ ଦ୍ୱିତୀୟ ଥର ପାଇଁ ଗର୍ଭବତୀ ହେବା ପରେ ତାଙ୍କ ସ୍ୱାମୀ ନିଜର ପିତାମାତାଙ୍କ ସହ ମିଶି ଅଧିକ ଯୌତୁକ ଆଣିବା ପାଇଁ ବାଧ୍ୟ କରି ତାଙ୍କୁ ଶାରୀରିକ ନିର୍ଯାତନା ଦେଉଥିଲେ। ଘଟଣା ଦିନ ରାତିରେ ସ୍ୱାମୀ ଓ ଶ୍ୱଶୁର ମିଶି ତାଙ୍କୁ ଏକ କ୍ରିକେଟ ବ୍ୟାଟରେ ପିଟି ରକ୍ତାକ୍ତ କରି ଦେଇଥିଲେ। ଏପରିକି ତାଙ୍କ ତଣ୍ଟିକୁ ଚିପି ହତ୍ୟା କରିବାକୁ ସୁଦ୍ଧା ସ୍ୱାମୀ ଚେଷ୍ଟା କରିଥିଲେ। ଏହି ଘଟଣାରେ ତାଙ୍କର ପ୍ରଚୁର ରକ୍ତସ୍ରାବ ହୋଇ ଗର୍ଭ ନଷ୍ଟ ହୋଇଯିବା ପରେ ତାଙ୍କୁ ଘରୁ ତଡ଼ି ଦେଇଥିଲେ।

ଘଟଣା ସଂପର୍କରେ ଖବର ପାଇବା ପରେ ମହିଳାଙ୍କ ଘରଲୋକ ଆସି ଚିକିତ୍ସା ପାଇଁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ପୁଲିସ୍‌ରେ ଅଭିଯୋଗ କରିଥିଲେ। ପୁଲିସ୍‌ରେ ମାମଲା ଆଗତ ହେବାପରେ ଆଗୁଆ ଜାମିନ ପାଇଁ ପୀଡ଼ିତାଙ୍କ ସ୍ୱାମୀ ପଞ୍ଜାବ- ହରିୟାଣା ହାଇକୋର୍ଟରେ ଆବେଦନ କରିଥିଲେ। ହେଲେ, ହାଇକୋର୍ଟ ମହିଳାଙ୍କ ମେଡିକାଲ ରିପୋର୍ଟ ଦେଖିବା ପରେ ଅଭିଯୁକ୍ତଙ୍କ ଆଗୁଆ ଜାମିନ ଆବେଦନକୁ ଖାରଜ କରି ଦେଇଥିଲେ। ଏହାପରେ ଅଭିଯୁକ୍ତ ଆଗୁଆ ଜାମିନ ପାଇଁ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆଜି ଅଭିଯୁକ୍ତଙ୍କ ପକ୍ଷରୁ ଆଗତ ଆଗୁଆ ଜାମିନ ଆବେଦନର ଶୁଣାଣି ସୁପ୍ରିମ୍‌କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ନେତୃତ୍ୱରେ ଗଠିତ ଏକ ଖଣ୍ଡପୀଠରେ ହୋଇଥିଲା। ତାଙ୍କ ଓକିଲ ଖଣ୍ଡପୀଠଙ୍କୁ କହିଥିଲେ ଯେ ମହିଳାଙ୍କ ଉପରେ ବ୍ୟାଟ ସାହାଯ୍ୟରେ ଆକ୍ରମଣ ତାଙ୍କ ସ୍ୱାମୀ ନୁହେଁ; ବରଂ ଶ୍ୱଶୁର କରିଛନ୍ତି। ତେଣୁ, ସ୍ୱାମୀଙ୍କୁ ଆଗୁଆ ଜାମିନ ପ୍ରଦାନ କରାଯାଉ। ଏହା ଶୁଣିବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେ କହିଥିଲେ ଯେ ଜଣେ ବିବାହିତା ମହିଳା ଶ୍ୱଶୁର ଘରେ ଥିବା କାଳରେ ଯଦି କୌଣସି ପ୍ରକାରର ଶାରୀରିକ ଆକ୍ରମଣର ଶିକାର ହୁଅନ୍ତି ତେବେ ସେଥିପାଇଁ ତାଙ୍କର ସ୍ୱାମୀ ସଂପୂର୍ଣ୍ଣ ଭାବେ ଉତ୍ତରଦାୟୀ ରହିବେ। ଏବଂ ପତ୍ନୀଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ସ୍ୱାମୀ ହିଁ ସଂପୂର୍ଣ୍ଣ ରୂପେ ଦାୟୀ ରହିବେ। ଏହା କହିବା ସହ ଆଗତ ଆଗୁଆ ଜାମିନ ଆବେଦନକୁ ଖାରଜ କରିଥିଲେ ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡେ।

ସମ୍ବନ୍ଧିତ ଖବର