ବେହରୋଲା (ହରିୟାଣା): ପୁଣି ହରିୟାଣାରେ ଘଟିଛି ଏକ ଭିଡ଼ ହତ୍ୟା। ବେହରୋଲା ଗ୍ରାମରେ ଗତ ଶୁକ୍ରବାର ବିଳମ୍ବିତ ରାତ୍ରରେ ଜଣେ ଅଜ୍ଞାତ ଯୁବକକୁ କିଛି ଗ୍ରାମବାସୀ ଗାଈ ଚୋର ସନ୍ଦେହରେ ଧରିବା ସହ ତାକୁ ପଚରାଉଚୁରା ଜରି ରଖିଥିଲେ। ଏହି ସମୟରେ ଆଉ କିଛି ଉତ୍ୟକ୍ତ ଲୋକ ଘଟଣାସ୍ଥଳରେ ପହଞ୍ଚି ଯାଇ ଭିଡ଼ ଜମାଇ ଥିଲେ। ପରେ ଭିଡ଼ ଜମାଇ ଥିବା ଉତ୍ୟକ୍ତ ଲୋକମାନେ ଗାଈ ଚୋର ସନ୍ଦେହରେ ଧରିଥିବା ଅଜ୍ଞାତ ଯୁବକଟିର ଗୋଡ଼ ହାତକୁ ବାନ୍ଧି ପକାଇବା ସହ ତାକୁ ନିର୍ଘାତ ମାଡ଼ ମାରିଥିଲେ। ଭିଡ଼ ଜମାଇ ଥିବା ଉତ୍ୟକ୍ତ ଲୋକଙ୍କର ମାଡ଼ରେ ଅଜ୍ଞାତ ଯୁବକଟିର ମୁତ୍ୟୁ ହୋଇଥିଲା।

Advertisment

publive-image

ସ୍ଥାନୀୟ ପୁଲିସ୍‌ ଘଟଣା ସଂପର୍କରେ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଭିଡ଼ ହତ୍ୟାର ଶିକାର ହୋଇଥିବା ଅଜ୍ଞାତ ଯୁବକର ମୃତଦେହକୁ ଡାକ୍ତରଖାନାକୁ ପଠାଇବା ସହ ଘଟଣା ସଂପର୍କରେ ତଦନ୍ତ ଆରମ୍ଭ କରିଥିଲା। ଏହି ଭିଡ଼ ହତ୍ୟା ଘଟଣାରେ ସଂପୃକ୍ତ ଥିବା ଗୋଟିଏ ପରିବାରର ତିନି ଭାଇଙ୍କ ମଧ୍ୟରୁ ଜଣେ ଭାଇକୁ ପୁଲିସ୍‌ ଗିରଫ କରିଥିବା ବେଳେ, ଅନ୍ୟ ଦୁଇ ଭାଇ ଫେରାର ହୋଇ ଯାଇଛନ୍ତି। ଫେରାର ଦୁଇ ଭାଇଙ୍କୁ ଗିରଫ କରିବା ପାଇଁ ବର୍ତ୍ତମାନ ହରିୟାଣା ପୁଲିସ୍‌ ପକ୍ଷରୁ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଥିବା ସମ୍ବାଦ ସରବରାହ ସଂସ୍ଥା ସୂତ୍ରରୁ ପ୍ରକାଶ।