ଏହି ବ୍ୟକ୍ତି କୁକୁର ନାମରେ ବର୍ଷ ସାରା ନେଇ ଆସୁଥିଲେ ରାସନ୍‌, ଆଧାର କାର୍ଡ ଏପରି ଖୋଲି ଦେଲା ରାଜ୍‌

ମଧ୍ୟପ୍ରଦେଶ: ଆଧାରକୁ ସୁପ୍ରିମ କୋର୍ଟ ବୁଧବାର ସାମ୍ବିଧାନିକ ଭାବେ ବୈଧ ବୋଲି ଘୋଷଣା କରିଛନ୍ତି। ସେହିପରି  ଆୟକର ଦାଖଲ ଲାଗି ପାନ୍‌ କାର୍ଡ ସହ ଆଧାର ସଂଯୋଗ ଜରୁରୀ ବୋଲି ସୁପ୍ରିମ କୋର୍ଟ ରାୟ ଦେଇଛନ୍ତି।

ତେବେ ମଧ୍ୟପ୍ରଦେଶର ଧାରା ଜିଲ୍ଲାରେ ଆଧାର କାର୍ଡ ହେତୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି କୁକୁର ନାମରେ ବର୍ଷସାରା ଅର୍ଥାତ୍‌ ୬୦କିଲୋ ରାସନ୍‌ ନେଇ ଆସୁଥିବା ଜଣାପଡ଼ିଛି। ସେ ନିଜର ପୋଷା କୁକୁରକୁ ପୁଅ ବୋଲି କହି ରାସନ୍‌ କାର୍ଡରେ ତାର ନାମ ରାଜୁ ବୋଲି ଉଲ୍ଲେଖ କରିଥିଲେ।

ଏହି ମାମଲାକୁ ନେଇ ସେଲ୍ସମ୍ୟାନ୍‌ କୈଳାଶ ମାରୁ କହିଛନ୍ତି, ଗୁଲରିପଡାରେ ବସବାସ କରୁଥିବା ନୃସିଂହ ବୋଦରଙ୍କ ବୟସ ୭୦ବର୍ଷ । ସେ ତିନିଜଣଙ୍କ ରାସନ୍‌ ପାଇଁ ଦୋକାନକୁ ଅାସିଥିଲେ। ସେଠାରେ ଲାଗିଥିବା ପିଓଏସ୍‌ ମେସିନରେ  କାର୍ଡରେ ଥିବା ବ୍ୟକ୍ତିଙ୍କ ଆଧାର ନମ୍ବର ଦିଆଯିବାର ଥିଲା, କାରଣ ପରିଚୟ ସଠିକ୍‌ ଭାବେ ଯାଞ୍ଚ ହୋଇପାରିବ। କିନ୍ତୁ ନୃସିଂହ କେବଳ ଦୁଇଜଣଙ୍କର ହିଁ ଆଧାର ନମ୍ବର ଦେଇ କହିଥିଲେ ତୃତୀୟଜଣଙ୍କ ଆଧାର କାର୍ଡ ନାହିଁ କାରଣ ସେ ହେଉଛି ତାଙ୍କ ପୋଷା କୁକୁର।

ଯାଞ୍ଚରୁ ଜଣାପଡ଼ିଲା କି ଗ୍ରାମ ପଞ୍ଚାୟତ ଯେଉଁ ରାସନ୍‌ କାର୍ଡ ବନାଇଥିଲେ, ତାହାର ଯାଞ୍ଚ କରାଯାଇ ନଥିଲା। ଏହି ଘଟଣା ବିଷୟରେ ଖାଦ୍ୟ ଅଧିକାରୀଙ୍କୁ ସୂଚନା ଦିଆଯାଇ ସାରିଛି । ରାସନ୍‌ ନେବା ତାଲିକାରୁ ରାଜୁ ନାମକ ରାସନ୍‌ କାର୍ଡକୁ  ହଟାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  ରାସନ୍‌ ଦୋକାନରୁ ରାସନ୍‌ କାର୍ଡରେ ଥିବା ନାମ ଅନୁସାରେ ବ୍ୟକ୍ତିଙ୍କୁ ପ୍ରତି ମାସରେ ପାଞ୍ଚ କିଲୋ ରାସନ୍‌ ଦିଆଯାଇଥାଏ। ଅର୍ଥାତ କୁକୁର ନାମରେ ନୃସିଂହ ୬୦କିଲୋ ରାସନ୍‌ ନେଇସାରିଛନ୍ତି।

ସମ୍ବନ୍ଧିତ ଖବର