ପତ୍ନୀ ସହ ବେଦିରେ ବସି ଶାଳୀକୁ ବିବାହ କଲେ ଯୁବକ

ଭିଣ୍ଡ: ମଧ୍ୟପ୍ରଦେଶର ଭିଣ୍ଡରେ ଏବେ ଏମିତି ଏକ ବାହାଘର ହୋଇଛି ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି | କାରଣ ଜଣେ ଯୁବକ ନିଜ ପତ୍ନୀଙ୍କ ସହ ବେଦିରେ ବସି ନିଜ ଶାଳୀଙ୍କୁ ବିବାହ କରିଛନ୍ତି | ବିବାହ ବେଦିରେ ପତ୍ନୀ ଓ ଶାଳୀ ନବବଧୂ ଭଳି ସଜେଇ ହୋଇଥିବାବେଳେ ଯୁବକ ଜଣକ ଦୁଇଜଣଙ୍କୁ ବରଣମାଳା ମଧ୍ୟ ପିନ୍ଧାଇଛନ୍ତି | ଏହି ଯୁବକଙ୍କ ନାମ ଦିଲ୍ଲୀପ ହୋଇଥିବାବେଳେ ସେ ନିଜ ପତ୍ନୀ ବିନିତାଙ୍କ ସହମତିରେ ବିବାହ କରିଛନ୍ତି | ବିନିତା ସରପଂଚ ଥିବାବେଳେ ଉଭୟ ସ୍ୱାମୀ-ସ୍ତ୍ରୀଙ୍କର ବିବାହ ୯ ବର୍ଷ ତଳେ ହୋଇଥିଲା |

ଏମାନଙ୍କର ତିନିଟି ସନ୍ତାନ ଥିବାବେଳେ ସେ ତାଙ୍କ ସମ୍ପର୍କୀୟ ଶାଳୀ ରଚନାଙ୍କୁ ବିବାହ କରିଛନ୍ତି | ଏହି ନିଆରା ବିବାହ କାର୍ଯ୍ୟକ୍ରମରେ ଉଭୟ ପତ୍ନୀ ଓ ଶାଳୀ ବେଦିରେ ବସିଥିବାବେଳେ ଦୁହିଁଙ୍କୁ ବରଣମାଳା ଓ ସିନ୍ଦୁର ପିନ୍ଧାଇ ସେ ପତ୍ନୀ ଭାବେ ଗ୍ରହଣ କରିଛନ୍ତି |

ଦ୍ଵିତୀୟ ବିବାହକୁ ନେଇ ଦିଲ୍ଲୀପ କହିଛନ୍ତି ଯେ ପ୍ରଥମ ପତ୍ନୀଙ୍କ ସ୍ୱାସ୍ଥ୍ୟ ଠିକ ରହୁନଥିବାରୁ ଓ ଘରେ ତିନିଟି ସନ୍ତାନ ଥିବାରୁ ସେମାନଙ୍କ ଦେଖାଶୁଣା କରିବାକୁ ସେ ଏଭଳି ପଦକ୍ଷେପ ନେଇଛନ୍ତି | ଦିଲ୍ଲୀପ କହିଛନ୍ତି ଯେ ବହୁ ଦିନ ଧରି ସେ ରଚନାଙ୍କୁ ପସନ୍ଦ ମଧ୍ୟ କରୁଥିଲେ | ତେବେ ପରିବାର ଓ ପତ୍ନୀ ଯେତେବେଳେ ଦ୍ଵିତୀୟ ବିବାହ ପାଇଁ ପରାମର୍ଶ ଦେଇଥିଲେ ସେ ରଚନାଙ୍କ ନାମ କହିଥିଲେ | ଯାହାପରେ ସମସ୍ତେ ରାଜି ହୋଇଯାଇଥିଲେ |

ସମ୍ବନ୍ଧିତ ଖବର