ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ହତ୍ୟା କରିବା ଉଦ୍ଦେଶ୍ୟରେ ଯାଉଥିବା ୨୫-ବର୍ଷୀୟ ଯୁବକକୁ ଗିରଫ କରିଛି ପୁଲିସ । ତାର ନାଁ ହେଉଛି କ୍ବାଚୁଆ ବ୍ରିଲିଅନ ସିଅଙ୍ଗ୍ । ହ୍ବାଇଟ୍ ହାଉସକୁ ‘ଦୁଷ୍ଟ ଦାନବ’ କବଳରୁ ମୁକ୍ତ କରିବା ଉଦ୍ଦେଶ୍ୟରେ ଯାଉଥିଲା ବୋଲି ଜେରା ବେଳେ ଏହି ଯୁବକ ପୁଲିସ ଆଗରେ ସ୍ବୀକାର କରିଛି । ସେ ଆହୁରି ମଧ୍ୟ କହିଛି ଯେ ଜେଲରୁ ମୁକ୍ତ ହେଲେ ପୁଣି ନିଜ ଅଭିଯାନରେ ବାହାରିବ ।
ପୁଲିସ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ସେ କାଲିଫର୍ଣ୍ଣିଆର ସାକ୍ରାମେଣ୍ଟୋରୁ ଓ୍ବାସିଂଟନ ଆଡକୁ ଏକ କାରରେ ଯାଉଥିଲା । ଦ୍ରୁତ ଡ୍ରାଇଭିଂ ପାଇଁ ତାକୁ ପୁଲିସ ଧରିବା ପରେ ତାହାର ଅଭିପ୍ରାୟ ସମ୍ପର୍କରେ ଜଣାପଡ଼ିଥିଲା । ତା କାରରୁ ଏକ ଅଟୋମେଟିକ୍ ଏଆର-୧୫ ରାଇଫଲ, ଗୁଳି ଭର୍ତ୍ତି ମାଗାଜିନ, ବଡି ଆର୍ମର ( ବୁଲେଟ ପ୍ରୁଫ ଜ୍ୟାକେଟ୍) ଓ ମେଡିକାଲ କିଟ ମିଳିଛି ।
ସେ ମଧ୍ୟ ପୁଲିସକୁ ଅଦ୍ଭୁତ ପ୍ରକାରର କଥା କହିଛି । ସେ କହିଛି ଯେ ସେ ଏକ ଗ୍ରୋସରୀ ଡିପାର୍ଟମେଣ୍ଟାଲ ଷ୍ଟୋରରେ କାମ କରୁଥିଲା । ତେବେ ସ୍ବୟଂ ଭଗବାନଙ୍କ ନିର୍ଦ୍ଦେଶରେ ସେ ଆମେରିକାକୁ ଦୁଷ୍ଟ ଦାନବମାନଙ୍କ କବଳରୁ ମୁକ୍ତ କରିବାକୁ ବାହାରିଛି । ତା ମତରେ ଏହି ଦୁଷ୍ଟ ଦାନବମାନେ ହେଲେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ହ୍ବାଇଟ ହାଉସର ପ୍ରମୁଖ ଡାକ୍ତରୀ ପରାର୍ଶଦାତା ଡ. ଆନ୍ଥୋନୀ ଫାଉସି, ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ଓ ମେଟା (ଫେସବୁକ) ସିଇଓ ମାର୍କ ଜୁକରବର୍ଗ ।