ସାନ୍ ମାଟେଓ: ବିମାନ ଯାତ୍ରା ବେଳେ ମୁଷ୍ଟିଯୋଦ୍ଧା ଚାମ୍ବିଆନ୍ ମାଇକ୍ ଟାଇନ୍ଙ୍କଠାରୁ ମୁଥ ଖାଇଥିବା ଜଣେ ସହଯାତ୍ରୀ ଆପୋସ ସମାଧାନ ବାବଦକୁ ୩ କୋଟି ଟଙ୍କା ଅର୍ଥ ଦାବି କରୁଥିବା ଟାଇସନ୍ଙ୍କ ଓକିଲ କହିଛନ୍ତି।
ସୂଚନାଯୋଗ୍ୟ, ଗତବର୍ଷ ସାନ୍ ଫ୍ରାନ୍ସିସ୍କୋରୁ ‘ବ୍ଲୁଜେଟ୍’ ବିମାନରେ ଆସୁଥିବା ବେଳେ ୫୫ ବର୍ଷୀୟ ମୁଷ୍ଟିଯୋଦ୍ଧା ତୃତୀୟ ମେଲ୍ଭିନ୍ ଟାଉନ୍ସେଣ୍ଡ୍ ନାମରେ ଜଣେ ସହଯାତ୍ରୀଙ୍କୁ ମୁଥ ମାରିଥିଲେ। ଏବେ ସେ ସହଯାତ୍ରୀଜଣକ ‘ପ୍ରିଲିଟିଗେସନ୍ ସେଟଲ୍ମେଣ୍ଟ୍ ଡିମାଣ୍ଡ’ (ଆପୋସ ବୁଝାମଣା ବାବଦ ଦାବି) ପଠାଇ ଟାଇସନ୍ଙ୍କ ଓକିଲଙ୍କ ନିକଟରେ ବିପୁଳ ପରିମାଣର ଅର୍ଥ ଦାବି କରିଛନ୍ତି।
ବିମାନରେ ଯାତ୍ରାବେଳେ ନିଶାସକ୍ତ ଅବସ୍ଥାରେ ଥିବା ଟାଉନ୍ସେଣ୍ଡ୍ ଟାଇସନ୍ଙ୍କ ସହିତ ଯୁକ୍ତିତର୍କ କରିଥିଲେ। ତା’ରେ ଟାଉନ୍ସେଣ୍ଡ୍ ଟାଇସନ୍ଙ୍କ ଉପରକୁ ଗୋଟାଏ ପାଣି ବୋତଲ ଫିଙ୍ଗିବାରୁ କଥା ହାତାହାତି ପର୍ଯ୍ୟନ୍ତ ଗଲା। ଚୁପ୍ ହୋଇଯିବା ପାଇଁ ଟାଇସନ୍ ଟାଉନ୍ସେଣ୍ଡ୍ଙ୍କୁ ଅନୁରୋଧ କରିବା ସତ୍ତ୍ବେ ସେ ପାଟିତୁଣ୍ଡ କରିବାରୁ ଟାଇସନ୍ ମୁଥ ମାରିଲେ।
ଉକ୍ତ ଘଟଣାର ଭିଡିଓ ମଧ୍ୟ ସମ୍ପ୍ରତି ‘ଏକ୍ସ୍’ରେ ପ୍ରସାରିତ ହେଉଛି।
ସାନ୍ ମାଟେଓ ଡିଷ୍ଟ୍ରିକ୍ଟ୍ ଆଟର୍ଣ୍ଣି ଷ୍ଟିଫେନ୍ ୱାଗ୍ଷ୍ଟଫି କହିଛନ୍ତି ଯେ, ଘଟଣା ପୂର୍ବରୁ ପୀଡ଼ିତ ଯେଭଳି ଆଚରଣ ପ୍ରଦର୍ଶନ କରିଛନ୍ତି, ସେହି କାରଣରୁ ଟାଇସନ୍ ଅଭିଯୋଗର ସମ୍ମୁଖୀନ ହେବେ ନାହିଁ। ମେଲ୍ଭିନ୍ ଟାଉନ୍ସେଣ୍ଡ୍ଙ୍କ ଓକିଲ ଜେକ୍ ଜୋଣ୍ଡଲ୍ ଟାଇସନ୍ଙ୍କ ଆଟର୍ଣ୍ଣିଙ୍କ ନିକଟକୁ ୪୫୦,୦୦୦ ଡଲାର୍ର ‘ପ୍ରିଲିଟିଗେସନ୍ ସେଟଲ୍ମେଣ୍ଟ୍ ଡିମାଣ୍ଡ୍’ ପଠାଇଛନ୍ତି। ମୁଥ ଯୋଗୁଁ ଆଜି ପର୍ଯ୍ୟନ୍ତ ଟାଉନ୍ସେଣ୍ଡ୍ଙ୍କର ଭୀଷଣ ମୁଣ୍ଡ ବ୍ୟଥା ସହିତ ବେକ ଦରଜ ଲାଗି ରହିଛି ବୋଲି ସେଥିରେ ଉଲ୍ଲେଖ ଅଛି।
ଟାଉନ୍ସେଣ୍ଡ୍ଙ୍କ ଓକିଲ ଲେଖିଛନ୍ତି, ଟାଇସନ୍ଙ୍କ ନିମନ୍ତେ କେତେଗୁଡ଼ିଏ ବିକଳ୍ପ ଥିଲା, କିନ୍ତୁ, ମାଡ଼ ମାରିଲେ। ସେଥିପାଇଁ ଆଜି ପର୍ଯ୍ୟନ୍ତ ଭୀଷଣ ମୁଣ୍ଡବଥା ଓ ବେକ ଦରଜ ଲାଗି ରହିଛି ବୋଲି ଜୋଣ୍ଡଲ୍ କହୁଛନ୍ତି।
କିନ୍ତୁ, ଟାଇସନ୍ଙ୍କ ଓକିଲ ଆଲେକ୍ସ୍ ସ୍ପାଇରୋ ଏହି ଦାବିକୁ ‘ଟଙ୍କା ଝଡ଼ାଇବା’ ବାହାନା କହି ଅର୍ଥ ଦେବାକୁ ମନା କରି ଦେଇଛନ୍ତି।