ଗୌହାଟୀ: ଆଜି ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବନ୍ୟା ପ୍ରଭାବିତ ବରାକ୍ ଉପତ୍ୟକା ଗସ୍ତରେ ଯାଇଥିବା ବେଳେ ସେଠାକାର ଜଣେ ବ୍ୟକ୍ତି ଛାତି ପର୍ଯ୍ୟନ୍ତ ବୁଡ଼ିଯାଉଥିବା ବଢ଼ିପାଣିରେ ପଶି ଆସି ତାଙ୍କୁ ଗାମୁଛାଟିଏ (ଅହମୀୟା ଭାଷାରେ ଗାମୁସା) ଦେଇ ସ୍ବାଗତ କରିଥିଲେ।
ମୁଖ୍ୟମନ୍ତ୍ରୀ ମନାକରିବା ସତ୍ତ୍ବେ ବ୍ୟକ୍ତିଜଣକ ଗାମୁଛାଟିଏ ଧରି ଛାତିଏ ପାଣିରେ ପଶି ତାଙ୍କ ଆଡ଼କୁ ଆସିବାକୁ ଉଦ୍ୟମ କରିବାରୁ ଦୁଇଜଣ ସୁରକ୍ଷାକର୍ମୀ ପାଣିରେ ପଶି ଉକ୍ତ ବ୍ୟକ୍ତିଙ୍କ ପାଖକୁ ଯାଇ ତାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଖକୁ ଆଣିଥିଲେ। ମୁଖ୍ୟମନ୍ତ୍ରୀ ତାଙ୍କ ଠାରୁ ଗାମୁଛାଟିକୁ ଗ୍ରହଣ କରିଥିଲେ ଏବଂ ଅନ୍ୟ କୌଣସି ଦିନ ଆସି ତାଙ୍କ ଘରେ କପେ ଚା ପିଇବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ସେହିପରି ସିଲ୍ଚର୍ରେ ମଧ୍ୟ ମୁଖ୍ୟମନ୍ତ୍ରୀ ବନ୍ୟା ପ୍ଳାବିତ ଅଞ୍ଚଳ ପରିଦର୍ଶନ କରି ଜନସାଧାରଣଙ୍କ ଦୁଃଖଦୁର୍ଦ୍ଦଶା କଥା ଶୁଣିଥିଲେ।
ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଦେଇଥିବା ରିପୋର୍ଟ ଅନୁସାରେ, ବଢ଼ିପାଣି ଖସୁଥିବାରୁ ଆସାମର ମୋରିଗାଓଁ ଜିଲ୍ଲାରେ ବନ୍ୟା ପରିସ୍ଥିତି କ୍ରମଶଃ ସୁଧୁରିବାରେ ଲାଗିଛି।
ପ୍ରାପ୍ତ ସୂଚନା ଅନୁସାରେ, ଗତ ୨୪ ଘଣ୍ଟା ମଧ୍ୟରେ ଆସାମରେ ବନ୍ୟା ଯୋଗୁଁ ୨ଜଣ ପିଲାଙ୍କ ସମେତ ଅନ୍ୟୂନ ୪ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିବାରୁ ଶନିବାର ସୁଦ୍ଧା ବନ୍ୟାଜନିତ ସମୁଦାୟ ମୃତ୍ୟୁସଂଖ୍ୟା ୧୨୧ରେ ପହଞ୍ଚିଛି। ବାରପେଟା, କାଚର୍, ଦାରାଙ୍ଗ୍ ଏବଂ ଗୋଲାଘାଟ ଜିଲ୍ଲାରେ ଜଣେ ଲେଖାଏଁ ମୃତ୍ୟୁ ବରଣ କରିଛନ୍ତି।
ଶନିବାର ସୁଦ୍ଧା ଆସାମର ମୋଟାମୋଟି ବନ୍ୟା ପରିସ୍ଥିତି ସାମାନ୍ୟ ସୁଧୁରିଥିଲେ ବି ରାଜ୍ୟର ୨୭ ଜିଲ୍ଲାର ୨,୮୯୪ ଗାଁର ୨୫.୧୦ ଲକ୍ଷ ଜନତା ଏବେ ବି ଅସୁବିଧାରେ ଅଛନ୍ତି।