‘ଲିଭ୍‌ ଇନ୍‌’ ଚୁକ୍ତି ବଳରେ ବିବାହିତା ପ୍ରେମିକାକୁ ନିଜ ପାଖକୁ ଆଣିବା ଦାବି ମହଙ୍ଗା ପଡ଼ିଲା; ଜରିମାନା ଠୁଙ୍କିଦେଲେ ହାଇକୋର୍ଟ

ଅହମ୍ମଦାବାଦ: ‘ଲିଭ୍‌ ଇନ୍‌’ ଚୁକ୍ତି ବଳରେ ବିବାହିତା ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କଠାରୁ ଅଲଗା କରି ନିଜ ପାଖକୁ  ଆଣିବାକୁ ଚାହୁଁଥିବା ଜଣେ ବ୍ୟକ୍ତିଙ୍କୁ ଗୁଜୁରାଟ ହାଇକୋର୍ଟ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି।

ଏହି ଘଟଣାଟି ଘଟିଛି ଗୁଜୁରାଟର ବନାସକଣ୍ଠା ଜିଲ୍ଲାରେ। ସଂପୃକ୍ତ ବ୍ୟକ୍ତି ଜଣକ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଦର୍ଶାଇଥିଲେ ଯେ ସେ ଯେଉଁ ମହିଳାଙ୍କୁ ତାଙ୍କ ନିକଟକୁ ଆଣିବାକୁ ଚାହୁଁଛନ୍ତି, ସେ ତାଙ୍କ ସହିତ ‘ଲିଭ୍‌ ଇନ୍‌’ ସମ୍ପର୍କରେ ଥିଲେ। ତାଙ୍କ ଇଚ୍ଛା ବିରୁଦ୍ଧରେ ସେ ଅନ୍ୟ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ଏବଂ ଦମ୍ପତିଙ୍କ ମଧ୍ୟରେ ଭଲ ସମ୍ପର୍କ ନଥିଲା। ମହିଳା ଜଣକ ତାଙ୍କ ସ୍ୱାମୀ ଓ ଶାଶୁଘର ଛାଡ଼ି ତାଙ୍କ ସହ ରହିବାକୁ ଆସିଥିଲେ। ପରେ ଦୁହେଁ ଏକାଠି ରହିବା ସହ ‘ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌’ ଚୁକ୍ତି ମଧ୍ୟ ସ୍ୱାକ୍ଷର କରିଥିଲେ।

ତେବେ, କିଛି ଦିନ ପରେ ମହିଳାଙ୍କ ପରିବାର ଓ ଶ୍ୱଶୁର ଘର ଲୋକେ ଆସି ତାଙ୍କୁ ତାଙ୍କ ସ୍ୱାମୀଙ୍କ ପାଖକୁ ନେଇ ଯାଇଥିଲେ। ପରେ ପ୍ରେମିକାଙ୍କ ପାଇଁ ‘ହେବିୟସ୍‌ କର୍ପସ’ ପିଟିସନ ଦାଖଲ କରିବା ସହ ବ୍ୟକ୍ତି ଜଣକ ଗୁଜୁରାଟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଦର୍ଶାଇଥିଲେ ଯେ ସେ ତାଙ୍କ ସ୍ୱାମୀଙ୍କ ବେଆଇନ ହେପାଜତରେ ଅଛନ୍ତି ଏବଂ ତାଙ୍କ ଇଚ୍ଛା ବିରୁଦ୍ଧରେ ତାଙ୍କୁ ଅଟକ ରଖାଯାଇଛି। ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କ ଠାରୁ ଗିରଫ କରି ଆଣି ତାଙ୍କୁ ହସ୍ତାନ୍ତର କରିବାକୁ ପୁଲିସକୁ ନିର୍ଦ୍ଦେଶ ଦେବାକୁ ସେ ନିଜ ଆବେଦନରେ ଅନୁରୋଧ କରିଥିଲେ।

ତେବେ, ରାଜ୍ୟ ସରକାର ଏହି ଆବେଦନକୁ ବିରୋଧ କରି ଯୁକ୍ତି ବାଢ଼ିଥିଲେ ଯେ ଏଭଳି ପିଟିସନ ଦାଖଲ କରିବା ପାଇଁ ବ୍ୟକ୍ତିଙ୍କର କୌଣସି ଅଧିକାର ନାହିଁ। ଯଦି ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ହେପାଜତରେ ଅଛନ୍ତି, ତେବେ ସେ ବେଆଇନ ହେପାଜତରେ ଅଛନ୍ତି ବୋଲି କୁହାଯାଇପାରିବ ନାହିଁ।

ମାମଲାର ଶୁଣାଣି କରି ଗୁଜୁରାଟ ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଭିଏମ୍‌ ପଞ୍ଚୋଲି ଓ ଜଷ୍ଟିସ୍‌ ଏଚ୍‌ ଏମ୍‌ ପ୍ରାଚକଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ମହିଳାଙ୍କ ସହ ଆବେଦନକାରୀଙ୍କ ବିବାହ ଏପର୍ଯ୍ୟନ୍ତ ସମ୍ପନ୍ନ ହୋଇନାହିଁ ଏବଂ ତାଙ୍କ ସ୍ୱାମୀଙ୍କ ଠାରୁ ମଧ୍ୟ ଛାଡ଼ପତ୍ର ହୋଇନାହିଁ।

ତେଣୁ, ତାଙ୍କ ସ୍ୱାମୀଙ୍କ ସହ ମହିଳାଙ୍କ ରହଣିକୁ ଆବେଦନକାରୀଙ୍କ ଅଭିଯୋଗ ଅନୁଯାୟୀ ବେଆଇନ ରହଣି ବୋଲି କୁହାଯାଇ ପାରିବ ନାହିଁ ଏବଂ ତଥାକଥିତ ‘ଲିଭ୍‌-ଇନ୍‌ ରିଲେସନ୍‌ସିପ୍‌’ ଚୁକ୍ତି ଆଧାରରେ ଆବେଦନକାରୀଙ୍କ ନିକଟରେ ଆବେଦନ କରିବାର କୌଣସି ଅଧିକାର ନାହିଁ ବୋଲି ଖଣ୍ଡପୀଠ କହିଛନ୍ତି ଏବଂ ଆବେଦନକାରୀଙ୍କୁ ୫,୦୦୦ ଟଙ୍କାର ଜରିମାନାରେ ଦଣ୍ଡିତ କରିଛନ୍ତି। ଏହି ଜରିମାନା ରାଶିକୁ ରାଜ୍ୟ ଆଇନ ସେବା ପ୍ରାଧୀକରଣରେ ଜମା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର