ନୂଆଦିଲ୍ଳୀ: ଜାବନସାଥୀଙ୍କ ଭିତରେ ଦିନକୁ ଦିନ ବିଶ୍ବାସ କମ୍ ଓ ସନ୍ଦେହ ବଢ଼ିବାରେ ଲାଗିଛି। ଏହି ସନ୍ଦେହ କାରଣରୁ ଅପରାଧର ମାତ୍ରା ମଧ୍ୟ ବଢ଼ିଚାଲିଛି। ଜଣେ ବ୍ୟକ୍ତି ପତ୍ନୀଙ୍କ ଚରିତ୍ର ଉପରେ ସନ୍ଦେହ କରି ଏକ ଜଘନ୍ୟ କାଣ୍ଡ ଘଟାଇଥିବା ପରି ଏକ ମାମଲା ସାମ୍ନାକୁ ଆସିଛି। ବ୍ୟକ୍ତି ଜଣକ ତାଙ୍କ ପୁଅକୁ ନିଜ ପୁଅ ବୋଲି ଅସ୍ବୀକାର କରିବା ସହ ପ୍ରମାଣ ପାଇଁ ଡିଏନ୍ଏ ପରୀକ୍ଷା ବି କରାଇଥିଲେ। ଏତିକିରେ ମନ ବୁଝିଲାନି ଯେ, ସେ ଶେଷରେ ନିଜ ପତ୍ନୀଙ୍କୁ ହତ୍ୟା ବି କରିଦେଲେ।
ବ୍ୟକ୍ତିଙ୍କର ସନ୍ଦେହ ଥିଲା ତାଙ୍କ ପତ୍ନୀଙ୍କର ବାହାରେ କାହା ସହ ଅନୈତିକ ସଂପର୍କ ରହିଛି। ଏହି କାରଣରୁ ନିଜର ୪ ବର୍ଷର ପୁଅକୁ ସେ ଅନ୍ୟ କାହାର ପିଲା ବୋଲି ଭାବୁଥିଲେ। ସନ୍ଦେହର ମାତ୍ରା ଏତେ ବଢ଼ି ଯାଇଥିଲା ଯେ ହସ୍ପିଟାଲ୍ ନେଇ ପୁଅର ଡିଏନ୍ଏ ଟେଷ୍ଟ୍ କରାଇଲେ ସନ୍ଦେହୀ ସ୍ବାମୀ। ରିପୋର୍ଟରେ ସବୁକିଛି ଠିକ୍ ଅସିଲା, ପୁଅ ତାଙ୍କର ବୋଲି ପ୍ରମାଣିତ ହେଲା। ହେଲେ ପତ୍ନୀଙ୍କ ଉପରୁ ସନ୍ଦେହ କମିଲା ନାହିଁ। ଫଳରେ ସେ ତାଙ୍କୁ ଏକ ଛୁରୀରେ ୩୭ ଥର ମାରିବାରୁ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା।
ଘଟଣାଟି ୭ ବର୍ଷ ତଳର। ବ୍ୟକ୍ତିଙ୍କ ପୁଅ ୭ ବର୍ଷ ପରେ ତାଙ୍କର ବୟାନ ଦେବା ପରେ ବ୍ୟକ୍ତିଙ୍କୁ ଏବେ ଦଣ୍ଡିତ କରାଯାଇଛି। ତାଙ୍କ ପୁଅ କହିଛନ୍ତି ଯେ ହତ୍ୟାକାରୀ ଚିକିତ୍ସକ ଉମେଶ ବୋବ୍ଲେ ୨୦୧୬ ମସିହା ଡିସେମ୍ବର ମାସର ଏକ ରାତିରେ ତାଙ୍କ ପତ୍ନୀ ତନୁଜା ବୋବ୍ଲେଙ୍କୁ ଥରେ କି ଦୁଇ ଥର ନୁହେଁ, ୩୭ ଥର ଛୁାରୀ ଭୁସି ହତ୍ୟା କରିଥିଲେ।
ଚାରି ବର୍ଷର ପୁଅ ଝରକା ସେପାଖରୁ ସବୁକିଛି ଦେଖୁଥିଲା। ଏହା ପରେ ଉମେଶ ପୁଲିସକୁ ଡାକି ଆତ୍ମସମର୍ପଣ କରିଥିଲେ। ଏହି ମାମଲା ବହୁ ବର୍ଷ ଧରି ଚାଲିଥିଲା। ତନୁଜା ତା’ ପୂର୍ବରୁ ଉମେଶଙ୍କ ବିରୋଧରେ ଘରୋଇ ହିଂସା ମାମଲା ରୁଜୁ କରିସାରିଥିଲେ।
ତନୁଜାଙ୍କ ପରିବାର ସଦସ୍ୟ ମଧ୍ୟ ଅଭିଯୋଗ ଆଣିଥିଲେ ଯେ ଉମେଶ ତନୁଜାଙ୍କ ଚରିତ୍ର ଉପରେ କ୍ରମାଗତ ସନ୍ଦେହ କରୁଥିଲେ। କାମରୁ ବିଳମ୍ବରେ ଫେରିଲେ ଉମେଶ ପିଟାପିଟି କରୁଥିଲେ।
ଘଟଣାର ଏତେ ବର୍ଷ ପରେ ପିଲାଟି ଏବେ କୋର୍ଟରେ କହିଛି ଯେ, ‘‘ମୋ ବାପା ମା’ଙ୍କୁ ଛୁରୀରେ ହତ୍ୟା କରିଛନ୍ତି। ମୁଁ ସବୁକିଛି ଦେଖୁଥିଲି। ମୁଁ କିଛି କହି ନଥିଲି।’’ କୋର୍ଟ ଏହି ସାକ୍ଷ୍ୟକୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରିଥିଲେ। କୋର୍ଟ ଏବେ ଉମେଶଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।