ତିରୁଅନନ୍ତପୁରମ୍‌: ବୁଧବାର ସକାଳେ କେରଳର କୋଲାମ୍‌ ଅନ୍ତର୍ଗତ ପାରାବୂର ଅଞ୍ଚଳରେ ଜଣେ ୮୫ ବର୍ଷିୟ ଶଯ୍ୟାଶାୟୀ ବ୍ୟକ୍ତିଙ୍କୁ ତାଙ୍କ ପୁଅ ପେଟ୍ରୋଲ୍‌ ଢାଳି ପୋଡ଼ି ମାରି ପକାଇଥିବା କଥା ପୁଲିସ କହିଛି।

Advertisment

ଅର୍ଥନୈତିକ ବିବାଦ କାରଣରୁ ପୁଅ ଏଭଳି କରିଥିବା କୁହାଯାଉଛି। ମୃତ ବ୍ୟକ୍ତି ହେଉଛନ୍ତି କୋଟ୍ଟାପୁରମ୍‌ ନିକଟ ତେକ୍କେ କାଲ୍ଲୁମପୁରତୁବାସୀ ଶ୍ରୀନିବାସନ। ସେ କିଡ୍‌ନି ଓ ହୃଦ୍‌ରୋଗରେ ଆକ୍ରାନ୍ତ ହୋଇ ଶଯ୍ୟାଶୟୀ ଥିଲେ।

publive-image Image Courtesy of Mathrubhumi English

ପୁଲିସ କହିଛି, ୫୨ ବର୍ଷିୟ ଅନୀଲ କୁମାର ସବୁବ‌େଳେ ବାପାଙ୍କୁ ଟଙ୍କା ମାଗୁଥିଲା। କିନ୍ତୁ, ଆର୍ଥିକ ସମସ୍ୟା ଯୋଗୁଁ ବାପା ତାଙ୍କୁ ଟଙ୍କା ଦେଉ ନ ଥିଲେ। ବୁଧବାର ସକାଳେ ଅନୀଲ କୁମାର ଘରେ ପହଞ୍ଚି ପୁଅକୁ ପାଠ ପଢ଼ାଇବାକୁ ବିଦେଶ ପଠାଇବେ ବୋଲି ବାପାଙ୍କୁ ଟଙ୍କା ମାଗିବା ସହିତ ଗୋଟାଏ ଅଟୋ କିଣିବାକୁ ଆଉ ୧ ଲକ୍ଷ ଟଙ୍କା ମାଗିଲେ।

କିନ୍ତୁ, ଟଙ୍କା ନାହିଁ ବୋଲି ବାପା କହିବାରୁ ଉତ୍‌କ୍ଷିପ୍ତ ହୋଇ ଅନୀଲ ସାଥିରେ ଆଣିଥିବା ପେଟ୍ରୋଲ୍‌ ବୋତଲରୁ ବାପାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲେ। ସେତେବେଳେ ଅନୀଲଙ୍କ ୭୨ ବର୍ଷୀୟ ମାଆ ବସୁମତୀ ଓ ଜଣେ ‘ହୋମ୍‌ ନର୍ସ’ ବି ସେଠାରେ ଉପସ୍ଥିତ ଥିଲେ।

ଚିତ୍କାର କରି ନର୍ସ ଘରୁ ବାହାରକୁ ବାହାରି ଆସିବାରୁ ପଡ଼ୋଶୀମାନେ ଧାଇଁ ଯାଇ ନିଆଁ ଲିଭାଇଥିଲେ। ତୁରନ୍ତ ଶ୍ରୀନିବାସନ୍‌ଙ୍କୁ ପାରିପ୍ପଲ୍ଲୀ ମେଡିକାଲ୍‌ କଲେଜ୍‌ ହସ୍ପିଟାଲ୍‌କୁ ନିଆଯାଇଥିଲା। କିନ୍ତୁ, ସେ ମୃତ ବୋଲି ଡାକ୍ତର ଘୋଷଣା କଲେ।

ଘର ନିକଟରୁ ହିଁ ଅଭିଯୁକ୍ତ ଅନୀଲଙ୍କୁ ପୁଲିସ ଗିରଫ କରି ତାଙ୍କ ନାଁରେ ନରହତ୍ୟା ମାମଲା ରୁଜୁ କରିଛି।