ପଡ଼ୋଶୀଙ୍କ ସହ କଜିଆ କରି ଜର୍ମାନ୍‌ ସେଫର୍ଡ କୁକୁର ଛାଡ଼ିଲେ ପଡ଼ୋଶୀ

ବେଙ୍ଗାଲୁରୁ: ଜଣେ ଲୋକ ତାଙ୍କ ପଡ଼ୋଶୀ ଏବଂ ପଡ଼ୋଶୀଙ୍କ ମାଆଙ୍କ ଉପରକୁ ନିଜ ଜର୍ମାନ୍‌ ସେଫର୍ଡ କୁକୁର ଛାଡ଼ି ଦେଇ ସେମାନଙ୍କୁ ଖଣ୍ଡିଆଖାବରା କରି ପକାଇଛନ୍ତି।

ଘଟଣାଟି ଘଟିଛି ପୂର୍ବ ବେଙ୍ଗାଲୁରୁ ଅନ୍ତର୍ଗତ କେ ଆର୍‌ ପୁରମ୍‌ ଠାରେ। ଘର ସାମ୍ନାରେ ସେ କୁକୁର ମଳତ୍ୟାଗ କରିବା କାମକୁ ପଡ଼ୋଶୀ ଏବଂ ତାଙ୍କ ମାଆ ବିରୋଧ କରିବାରୁ କୁକୁରକୁ ବୁଲାଇ ନେଉଥିବା ଖାଉନ୍ଦ ତାକୁ ଖୋଲି ଦେଇଥିଲେ।

ଫଳରେ ସେ ଉଗ୍ରମୁଖା କୁକୁର ୨୨ ବର୍ଷିୟ ଜନାଥନ ଫର୍ଣ୍ଣାଣ୍ଡିଜ୍‌ ଏବଂ ତାଙ୍କ ୪୦ ବର୍ଷୀୟ ମାଆ ବିଜୟା ଫ୍ରାନ୍‌ସିସ୍‌ଙ୍କୁ ରାମ୍ପୁଡ଼ି ଖଣ୍ଡିଆଖାବରା କରିବା ସହ ଲମ୍ଫମାରି ସେମାନଙ୍କୁ ତଳେ ପକାଇ ଲୁଗାପଟା ଚିରି ପକାଇଥିଲା। କୁକୁର ଜନାଥନ୍‌ଙ୍କ ହାତକୁ ମଧ୍ୟ କାମୁଡ଼ି ପକାଇଛି।

ଦେଖଣାହାରୀମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଧାଇଁ ଯାଇଥିଲେ ମଧ୍ୟ କୁକୁର ସେମାନଙ୍କୁ ଛାଡ଼ି ନ ଥିଲା। ଫଳରେ ସେମାନେ ଠେଙ୍ଗାବାଡ଼ି ଧରି କୁକୁରକୁ ଗୋଡ଼ାଇଥିଲେ।

କେ ଆର୍‌ ପୁରମ୍‌ ନିକଟ ନାରାୟଣପୁର ଅନ୍ତର୍ଗତ ଗାନ୍ଧୀ ରାସ୍ତାରେ କଜିଆ ଆରମ୍ଭ ହୋଇଥିଲା ଗତ ଶନିବାର ଦିନ। ପଡ଼ୋଶୀ ଆଲାନ୍‌ଙ୍କୁ ଜର୍ମାନ୍‌ ସେଫର୍ଡ କୁକୁର ନେଇ ତାଙ୍କ ଘର ସାମ୍ନା ପରିସରକୁ ପଶିବାକୁ ବିଜୟା ମନା କରିଥିଲେ। ଆଲାନ୍‌ଙ୍କର ଚାରିଟିଯାକ ପୋଷା କୁକୁର ସେଇ ଗୋଟାଏ ଜାଗାରେ ଦୈନିକ ମଳତ୍ୟାଗ କରନ୍ତି ବୋଲି ବିଜୟା ଅଭିଯୋଗ କରିଥିଲେ।

ଆଲାନ୍‌ ମତେ ପଚାରିଲେ କୁକୁର ସେ ସ୍ଥାନକୁ ମଇଳା କରୁଥିବାର ତୁମେ ଦେଖିଛ କି? ହଁ ଦେଖିଛି ବୋଲି ଜନାଥନ୍‌ କହିବାରୁ ଆଲାନ୍‌ ତାଙ୍କ କୁକୁର ମଧ୍ୟରୁ ଗୋଟିକୁ ଚେନ୍‌ରୁ ଖୋଲି ଦେଲେ। କୁକୁର ଧାଇଁ ଯାଇ ତାଙ୍କୁ କାମୁଡ଼ି ପକାଇଲା। ସେ ଏବେ ଚିକିତ୍ସିତ ହେଉଛନ୍ତି। ତାଙ୍କର ହାତ ଚଡ଼କି ଯାଇଛି।

ପରେ ବିଜୟା ଯାଇ ଆଲାନ୍‌ଙ୍କ ଜେଜିମା ରାଣୀଙ୍କୁ ଏ କଥା କହିଲେ। ସେ ମଧ୍ୟ ବିଜୟାଙ୍କୁ ଗାଳିଫଜିତ୍‌ କଲେ। ତେଣୁ ବିଜୟା ଆଲାନ୍‌ ଓ ରାଣୀଙ୍କୁ ବିରୋଧରେ ଥାନାରେ ଫେରାଦ ହୋଇଥିଲେ। ଆଲାନ୍‌ଙ୍କୁ ଗିରଫ କରାଯାଇ ଜାମିନ୍‌ରେ ଛାଡ଼ି ଦିଆଯାଇଛି।

ସମ୍ବନ୍ଧିତ ଖବର