ଗ୍ୱାଲିୟର: ବିବାହକୁ ଆଉ ମାତ୍ର ଚାରି ଦିନ ବାକି ଥିଲା। ମାତ୍ର ବାପ ଗୁଳିରେ ଚାଲିଗଲା ଝିଅର ଜୀବନ। ତାହା ପୁଣି ପୁଲିସ୍‌, ପଞ୍ଚାୟତ ଲୋକଙ୍କ ସମ୍ମୁଖରେ। ଝିଅ ଅନ୍ୟତ୍ର ପ୍ରେମ କରୁଥିବାରୁ ବାପା ନେଇଥିବା ଏପରି ଚରମ ପଦକ୍ଷେପ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଘଟଣାଟି ହେଉଛି ମଧ୍ୟ ପ୍ରଦେଶାର ଗ୍ୱାଲିୟରର। 

Advertisment

୨୦ ବର୍ଷୀୟା ଯୁବତୀ ତନୁ ଗୁର୍ଜର ଭିକି ନାମକ ଜଣେ ଯୁବକଙ୍କୁ ପ୍ରେମ କରୁଥିଲେ। ସେହି କାରଣରୁ ସେ ତାଙ୍କ ପରିବାର ଦ୍ୱାରା ଆୟୋଜିତ ବିବାହକୁ ଖୋଲାଖୋଲି ବିରୋଧ କରୁଥିଲେ। ନିଜ ପସନ୍ଦର ପୁରୁଷଙ୍କୁ ବିବାହ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଯାହା ତାଙ୍କ ବାପାଙ୍କୁ ଆଦୌ ପସନ୍ଦ ହୋଇନଥିଲା। 

ମଙ୍ଗଳବାର ସନ୍ଧ୍ୟା ପ୍ରାୟ ୯ଟା ବେଳେ ନିଜ ବନ୍ଧୁକରୁ ଗୁଳି ଚଳାଇ ଝିଅର ଜୀବନ ନେଇଥିଲେ ବାପା। ପୀଡିତାଙ୍କ ବାପା ମହେଶ ଗୁର୍ଜର ତାଙ୍କ ଝିଅ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଏକ ଭିଡିଓ ଦେଖି କ୍ରୋଧିତ ହୋଇ ଏକ ଦେଶୀ ବନ୍ଧୁକ ବ୍ୟବହାର କରି ତାଙ୍କ ଜୀବନ ନେଇଥିବା ସୂଚନା ରହିଛି। ତନୁଙ୍କ ସମ୍ପର୍କୀୟ ଭାଇ ରାହୁଲ ହତ୍ୟା ସମୟରେ ତନୁଙ୍କ ବାପାଙ୍କୁ ସ‌ହଯୋଗ କରି ସେ ମଧ୍ୟ ଗୁଳି ଚଳାଇଥିଲେ ବୋଲି ଅଭିଯୋଗ ହୋଇଛି।

ଯୁବତୀ ଜଣକ ହତ୍ୟାକଣ୍ଡର କିଛି ସମୟ ପୂର୍ବରୁ ସୋସିଆଲ୍‌ ମିଡିଆରେ ଭିଡିଓ ପୋଷ୍ଟ୍‌ କରି କହିଥିଲେ ଯେ ତାଙ୍କୁ ତାଙ୍କ ପରିବାର ଲୋକ ତାଙ୍କ ଇଚ୍ଛା ବିରୋଧରେ ବାହା କରାଉଛନ୍ତି। ସେ ସେହି ଭିଡିଓରେ ନିଜ ବାପାଙ୍କ ନାମ ବ୍ୟତୀତ ଅନ୍ୟ ପରିବାର ସଦସ୍ୟଙ୍କ ନାମ ବି ଉଲ୍ଲେଖ କରିଥିଲେ। 

୫୨ ସେକେଣ୍ଡର ଭିଡିଓରେ ସେ ତାଙ୍କ ଜୀବନ ପ୍ରତି ଭୟ ପ୍ରକାଶ କରି ତାଙ୍କ ବାପା ମହେଶ ଏବଂ ପରିବାରର ଅନ୍ୟ ସଦସ୍ୟଙ୍କୁ ତାଙ୍କ ଦୁର୍ଦ୍ଦଶା ପାଇଁ ଦାୟୀ କରିବା ପରେ ଏହି କାଣ୍ଡ ଘଟିଥିଲା। 

ତେବେ ସେ ଆହୁରି ବି କହିଥିଲେ, ‘‘ମୁଁ ଭିକିଙ୍କୁ ବିବାହ କରିବାକୁ ଚାହୁଁଛି। ମୋ ପରିବାର ପ୍ରଥମେ ରାଜି ହୋଇଥିଲେ ମଧ୍ୟ ପରେ ମନା କରିଥିଲେ। ସେମାନେ ମୋତେ ପ୍ରତିଦିନ ମାରନ୍ତି ଏବଂ ହତ୍ୟା ଧମକ ଦିଅନ୍ତି। ଯଦି ମୋ ସହିତ କିଛି ହୁଏ, ତେବେ ମୋ ପରିବାର ଦାୟୀ ରହିବ।"