ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀର ଗ୍ରେଟର କୈଳାସ ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସେଠାରେ ଥିବା ଏକ ଜିମ୍‌ ବାହାରେ ଉପୁଜିଥିବା ଗୁଳିକାଣ୍ଡରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ପୁଲିସ୍‌ ରିପୋର୍ଟରୁ ଜଣାପଡ଼ିଛି ଯେ ଗୁଳି ଚାଳକ ପୀଡ଼ିତ ନାଦିର ଶାହାଙ୍କ ଉପରକୁ ୧୧ ରାଉଣ୍ଡ୍‌ ଗୁଳି ଚାଳନା କରିଥିବା ବେଳେ ୮ ରାଉଣ୍ଡ୍‌ ଗୁଳି ତାଙ୍କ ଶରୀରରେ ବାଜିଥିଲା। ଗୁରୁବାର ଦିନ ଡାକ୍ତରଖାନାରେ ପୀଡିତଙ୍କର ମୃତ୍ୟୁ ଘଟିଛି।

Advertisment

ଏତଦ୍‌ବ୍ୟତୀତ, ହତ୍ୟାକାରୀ ହତ୍ୟା କରିବା ପୂର୍ବରୁ ପ୍ରାୟ ଏକ ଘଣ୍ଟା ଧରି ତଦାରଖ କରିଥିଲା। ସେ ଜିମ୍‌ ପାଖରେ ଜଗିକି ରହିଥି‌ଲେ ଓ ସୁଯୋଗ ପାଇବା ମାତ୍ରେ ନାଦିର୍‌ଙ୍କୁ ହତ୍ୟା କରିଥିଲେ।

ଏହି ଘଟଣା ପରେ ସୋସିଆଲ ମିଡିଆରେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଗୋଲ୍ଡି ବ୍ରାର୍‌ଙ୍କ ଘନିଷ୍ଠ ସହଯୋଗୀ ତଥା ଗ୍ୟାଙ୍ଗଷ୍ଟର ରୋହିତ ଗୋଡାରାଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି। ଚଳିତ ମାସ ଆରମ୍ଭରେ କାନାଡାର ଭାନକୋଭର ଦ୍ୱୀପରେ ପଞ୍ଜାବୀ ଗାୟକ ଏପି ଢିଲୋଁଙ୍କ ଘର ବାହାରେ ଘଟିଥିବା ଗୁଳି ବିନିମୟ ପାଇଁ ମଧ୍ୟ ଗୋଡାରାଙ୍କୁ ଦାୟୀ କରାଯାଉଥିଲା।

ଇଣ୍ଡିଆ ଟୁଡେ ଦ୍ୱାରା ପ୍ରକାଶ କରାଯାଇଥିବା ସିସିଟିଭି ଫୁଟେଜରେ ଶାହା ଏକ କଳା ଏସୟୁଭି ପାଖରେ ଠିଆ ହୋଇଥିବା ବେଳେ ଅନ୍ୟ ଜଣେ ବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଉଥିବା ଦେଖିବାକୁ ମିଳିଛି।

କିଛି ସେକେଣ୍ଡ ପରେ ଏକ ଚେକ୍ ସାର୍ଟ ପିନ୍ଧିଥିବା ଜଣେ ବ୍ୟକ୍ତି ଶାହାଙ୍କ ନିକଟକୁ ଆସି ଅତର୍କିତ ଭାବରେ ଗୁଳି ଚଳାଇଥିଲେ। ଆକ୍ରମଣକାରୀ ଶାହାଙ୍କ ଉପରକୁ ଗୁଳି ଚଳାଇବାରୁ ଅନ୍ୟ ଜଣକ ଦୌଡ଼ି ପଳାଉଥିବାର ଦେଖାଯାଉଛି। ଏହା ପରେ ଆକ୍ରମଣକାରୀ ଏକ ବାଇକ୍‌ରେ ଘଟଣାସ୍ଥଳରୁ ପଳାଇ ଯାଇଥିଲେ।

ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ସେମାନେ ଜିମ୍ ନିକଟରେ ପ୍ରାୟ ୧୦ ରାଉଣ୍ଡ ଗୁଳିର ଶବ୍ଦ ଶୁଣିଥିଲେ। ସୂତ୍ରରୁ ପ୍ରକାଶ ଯେ ନାଦିର ଶାହାଙ୍କର ଅପରାଧିକ ଇତିହାସ ରହିଛି।