ଅହମଦାବାଦ: ଶନିବାର ବିଳମ୍ବିତ ରାତ୍ରୀରେ ବଦଜ ଠାରେ ନିଜ ପୁରୁଣା ପତ୍ନୀଙ୍କ ଆଡ଼କୁ ଅନାଇବା କାରଣରୁ ଜଣେ ବ୍ୟକ୍ତି ଅଡୁଆରେ ପଡ଼ିଯାଇଛନ୍ତି। ପତ୍ନୀଙ୍କର ନୂଆ ସ୍ୱାମୀ ଏ କଥାକୁ ଅପମାନ ବୋଲି ଧରିନେଇ ପୁରଣା ସ୍ୱାମୀଙ୍କୁ ବହେ ମାଡ଼ ଦେଇଛନ୍ତି। ଏହି ଗଣ୍ଡଗୋଳରେ ଅନ୍ୟୂନ ଚାରି ଜଣ ଆହତ ହୋଇଥିବା ଜଣାପଡ଼ିଛି।
ନିଜ ପ୍ରଥମ ପତ୍ନୀଙ୍କ ସ୍ୱାମୀ ତାଙ୍କୁ ମାଡ଼ ଦେଇଛନ୍ତି ବୋଲି ବଦଜର ସୋହରାବଜି ପରିସରରେ ରହୁଥିବା ୨୯ ବର୍ଷିୟ ଅଟୋରିକ୍ସା ଚାଳକ ହରେଶ ଲାଲ୍ଓ୍ଵାନି ଥାନାରେ ଅଭିଯୋଗ ଦାଏର କରିଛନ୍ତି।
ଦାଏର୍ ହୋଇଥିବା ଏତଲା ଅନୁସାରେ, ଚାରି ବର୍ଷ ତଳେ ଲାଲ୍ଓ୍ଵାନି ମନିଷାଙ୍କୁ ବିଭା ହୋଇଥିଲେ ଏବଂ ପ୍ରାୟ ବର୍ଷେ ତଳେ ସେମାନଙ୍କର ବିବାହ ବିଚ୍ଛେଦ ଘଟିଥିଲା।
ଲାଲ୍ଓ୍ଵାନି କହନ୍ତି: ଶନିବାର ରାତିରେ ମୋ ଘର ସାମ୍ନାରେ ଚାଲିଥିବା କାର୍ଯ୍ୟକ୍ରମରେ ମୁଁ ଗର୍ବା କରୁଥିଲି। ସେଠାରେ ମନୀଷା ମଧ୍ୟ ଗର୍ବା କରୁଥିଲା। ମୁଁ ତା’ ଆଡ଼େ ଅନାଇବାରୁ ତା’ ସ୍ୱାମୀ ଅଶୋକ ଦୁର୍ଗେଶ ତେଜଓ୍ଵାନି ରାଗିଯାଇ ଅକାରଣରେ ମୋତେ ଗାଳିଫଜିତ କଲେ।
ତା’ପରେ ତେଜଓ୍ଵାନି ବାଡ଼ିରେ ଲାଲ୍ଓ୍ଵାନିଙ୍କ ମୁଣ୍ଡକୁ ପିଟିବାରୁ ସେ ଲହୁଲୁହାଣ ହୋଇଥିଲେ। ଲାଲ୍ଓ୍ଵାନିଙ୍କ ପରିବାର ଏ କଥା ଜାଣି ଧାଇଁ ଆସିଲେ ଏବଂ ଲାଲ୍ଓ୍ଵାନିଙ୍କୁ ଛାଡ଼ି ଦେବାକୁ କହିଲେ। କିନ୍ତୁ ତେଜଓ୍ଵାନି ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ମାରଧର କରିବାରୁ ସେମାନଙ୍କ ମଧ୍ୟରୁ ତିନି ଜଣ ଆହତ ହୋଇଥିଲେ।
ସେଠାରୁ ହଟି ନ ଗଲେ ପରିଣାମ ଭୟାବହ ହେବ ବୋଲି ତେଜଓ୍ଵାନିଙ୍କ ବାପା ଦୁର୍ଗେଶ ଲାଲ୍ଓ୍ଵାନି ଏବଂ ତାଙ୍କ ପରିବାର ଲୋକଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏହା ପରେ ଲାଲ୍ଓ୍ଵାନି ଓ ତାଙ୍କ ପରିବାର ଲୋକେ ତେଜଓ୍ଵାନି ଓ ତାଙ୍କ ବାପାଙ୍କ ବିରୋଧରେ ଥାନାରେ ଫେରାଦ ହୋଇଥିଲେ।
ପୁଲିସ ତେଜଓ୍ଵାନି ଓ ତାଙ୍କ ବାପାଙ୍କୁ ବୁକ୍ କରିଛି।