ନୂଆଦିଲ୍ଲୀ: ରକ୍ତ କର୍କଟ ରୋଗରେ ପୀଡ଼ିତ ଜନୈକ ବ୍ୟକ୍ତି ଫେସ୍ବୁକ୍ରେ ଲାଇଭ୍ ଷ୍ଟ୍ରିମିଙ୍ଗ କରି ଆତ୍ମହତ୍ୟା କରିବା ଘଟଣା ଦେଶବ୍ୟାପି ଆଲୋଡ଼ନ ସୃଷ୍ଟି କରିଛି। ସଂପୃକ୍ତ ରକ୍ତ କର୍କଟ ଆକ୍ରାନ୍ତ ବ୍ୟକ୍ତି ଜଣକ ଫେସ୍ବୁକ୍ରେ ଲାଇଭ୍ ଷ୍ଟ୍ରିମିଙ୍ଗ କରି ଆତ୍ମହତ୍ୟା ଉଦ୍ୟମ କରୁଥିବା ଜାଣିବାକୁ ପାଇବା ପରେ ତାଙ୍କ ବନ୍ଧୁମାନେ ତାଙ୍କୁ ଅବିଳମ୍ବେ ଫୋନ୍ କରି ଆତ୍ମହତ୍ୟାରୁ ବିରତ ରଖିବାକୁ ବହୁ ଚେଷ୍ଟା କରିଥିଲେ ସୁଦ୍ଧା ସେମାନଙ୍କ ସବୁ ଚେଷ୍ଟା ବୃଥା ଯାଇଥିଲା।
ହସ୍ତଗତ ହୋଇଥିବା ଘଟଣାର ବିବରଣୀରୁ ପ୍ରକାଶ, ସିଲିଗୁଡ଼ିରେ ରହୁଥିବା ଅରିନ୍ଦମ୍ ଦତ୍ତ ନାମକ ଜନୈକ ବ୍ୟକ୍ତି ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ଥିଲେ। ପୂର୍ବରୁ ଜଲପାଇଗୁଡ଼ିରେ ରହୁଥିବା ଅରିନ୍ଦମଙ୍କୁ ତାଙ୍କ ପତ୍ନୀ ଛାଡ଼ପତ୍ର ଦେଇ ଚାଲିଯିବା ପରେ ସେ ସିଲିଗୁଡ଼ି ଚାଲିଆସି ଗୋଟିଏ କାଫେ କରିଥିଲେ। ତେବେ, ଗତ କିଛିଦିନ ତଳେ ସେ ରକ୍ତ କର୍କଟ ରୋଗରେ ଆକ୍ରାନ୍ତ ଥିବା ଜାଣିବା ପରେ ମାନସିକ ସ୍ତରରେ ବିଷାଦଗ୍ରସ୍ତ ହୋଇ ପଡ଼ିଥିଲେ। ଏପରସ୍ଥିତିରେ ଗତ ଶନିବାର ଦିନ ସେ ରହୁଥିବା କଠୋରି ଏକ ଲାଇଲନ୍ ରଶି ବେକରେ ବାନ୍ଧି ସିଲିଂ ଫ୍ୟାନ୍ରୁ ଝୁଲି ଆତ୍ମହତ୍ୟା କରିଥିଲେ ଏବଂ ଯାହାର ଲାଇଭ୍ ଷ୍ଟ୍ରିମିଙ୍ଗ ଫେସ୍ବୁକ୍ରେ କରିଥିଲେ। ଏଘଟଣା ଦେଖିବା ପରେ ତାଙ୍କର ବହୁ ବନ୍ଧୁ ତାଙ୍କୁ ଫୋନ୍ କରିବା ସହ ମେସେଜ୍ କରି ଏଥିରୁ ନିବୃତ କରାଇବାକୁ ଚେଷ୍ଟା କରିଥିଲେ; ମାତ୍ର ସେମାନଙ୍କର ସବୁ ଚେଷ୍ଟା ବୃଥା ଯାଇଥିଲା।