ବାୟୁସେନା ଘାଟିରେ ଆତ୍ମଘାତୀ ଆକ୍ରମଣ ଯୋଜନା

ଶ୍ରୀନଗରରେ ହାଇ ଆଲର୍ଟ

ଶ୍ରୀନଗର : ଜମ୍ମୁ କଶ୍ମୀରରେ ପୁଣି ଥରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ଯୋଜନା କରୁଛନ୍ତି। ବିଭିନ୍ନ ସୁରକ୍ଷା ପ୍ରତିଷ୍ଠାନ ଏବେ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ରହିଛି। ଶ୍ରୀନଗର ଏବଂ ଅବନ୍ତିପୁରା ବାୟୁସେନା ଘାଟିରେ ଆତଙ୍କବାଦୀମାନେ ବଡ଼ ଆତ୍ମଘାତୀ ଆକ୍ରମଣ ଯୋଜନା କରୁଛନ୍ତି ବୋଲି ଗୁଇନ୍ଦା ସୂତ୍ରରୁ ଜଣାପଡ଼ିଛି। ଏନେଇ ଶ୍ରୀନଗରରେ ଏବେ ହାଇ ଆଲର୍ଟ ଜାରି ହୋଇଛି। ବିଭିନ୍ନ ପ୍ରତିରକ୍ଷା ପ୍ରତିଷ୍ଠାନ ଗୁଡ଼ିକରେ ସୁରକ୍ଷା ବଢ଼ାଇ ଦିଆଯାଇଛି।
ରିପୋର୍ଟ ଅନୁଯାୟୀ ଆତଙ୍କବାଦୀମାନେ ଏଥର ଆକ୍ରମଣ ପାଇଁ କୌଣସି ଗାଡ଼ି ବ୍ୟବହାର ନକରି ସିଧାସଳଖ ମାନବ ବୋମା ବ୍ୟବହାର କରିବା ଯୋଜନା କରୁଛନ୍ତି। ଗତ ଫେବ୍ରୁଆରି ୧୪ ତାରିଖରେ ହୋଇଥିବା ପୁଲୱାମା ଆତ୍ମଘାତୀ ଆକ୍ରମଣଠାରୁ ଆତଙ୍କବାଦୀମାନେ ଭିନ୍ନ ଢ଼ଙ୍ଗରେ ଆକ୍ରମଣ ପାଇଁ ଯୋଜନା କରିଛନ୍ତି। ସେମାନେ ଆଇଇଡି ଦ୍ବାରା ବିଭିନ୍ନ ସୁରକ୍ଷା ପ୍ରତିଷ୍ଠାନ, ସାମରିକ ଶିବିର ଏବଂ କୋଠାଗୁଡ଼ିକ ଉଡ଼ାଇ ଦେବା ଯୋଜନା ରଖିଛନ୍ତି। ଉଲ୍ଲେଖଯୋଗ୍ୟ ପୁଲୱାମା ଆକ୍ରମଣର ପ୍ରତିଶୋଧ ନେଇ ଭାରତ ପାକିସ୍ତାନର ବାଲାକୋଟରେ ବିମାନ ଆକ୍ରମଣ କରିଥିଲା। ତେବେ ଏହା ପରଠାରୁ ଭାରତର ବିଭିନ୍ନ ସ୍ଥାନରେ ଆତଙ୍କବାଦୀମାନେ ଆକ୍ରମଣ ଯୋଜନା କରୁଥିବା ନେଇ ଗୁଇନ୍ଦା ସୂତ୍ରରୁ ଜଣାଯାଇଛି। ଗତ ମାସରେ ମଧ୍ୟ ଖବର ମିଳିଥିଲା ଯେ ଜୈସ୍‌ ଆତଙ୍କବ‌ାଦୀମାଦେ ପୁଣିଥରେ ପୁଲୱାମା‌ରେ ଏକ ବଡ଼ ଧରଣର ଆକ୍ରମଣ ଯୋଜନା କରୁଛନ୍ତି। ‌ ଇତିମଧ୍ୟରେ ଭାରତର ଜୋର୍‌ଦାର ପ୍ରୟାସ ଯୋଗୁଁ ଜାତିସଂଘ ମସୁଦ୍‌ ଆଝାରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଥିବାରୁ ଭାରତରେ ଅଧିକ ଆକ୍ରମଣ ପାଇଁ ମସୁଦ୍‌ ଷଡ଼ଯନ୍ତ୍ର ଚଳାଇଛି। ଏଥିପାଇଁ ତାକୁ ପାକ୍‌ ସେନାର ସମସ୍ତ ସହାୟତା ମିଳୁଥିବା ଜଣାପଡ଼ିଛି। ପାକିସ୍ତାନ ସରକାର କେବଳ ଲୋକଦେଖାଣିଆ ଭାବେ ମସୁଦ୍‌ର କିଛି ସମର୍ଥକଙ୍କୁ ଗିରଫ କରିଥିବା ବେଳେ ମସୁଦ୍‌ ବିରୋଧରେ ବଳିଷ୍ଠ ପ୍ରମାଣ ରହିଥିବା ସତ୍ତ୍ବେ ତାକୁ ଗିରଫ କରାଯାଉନାହିଁ।

ସମ୍ବନ୍ଧିତ ଖବର