ସ୍କୁଟର୍‌ରେ ମା’ଙ୍କୁ ନେଇ ତୀର୍ଥ ଭ୍ରମଣ, ୨୦ ବର୍ଷର ପୁରୁଣା ବଜାଜ୍‌ ଚେତକ ସ୍କୁଟର‌ରେ ବୁଲିଲେ ଦୀର୍ଘ ୪୮,୧୦୦ କିମି

ବେଙ୍ଗାଲୁରୁ : ମହୀଶୁରର ଡି କୃଷ୍ଣ କୁମାର ନାମକ ଜଣେ ୩୭ ବର୍ଷୀୟ ବ୍ୟକ୍ତି ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। କୃଷ୍ଣ କୁମାର ତାଙ୍କର ୭୦ ବର୍ଷୀୟା ମା’ଙ୍କୁ ସ୍କୁଟର୍‌ରେ ବସାଇ ତୀର୍ଥଯାତ୍ରା କରାଇବା ପ୍ରସଙ୍ଗ ଭାଇରାଲ୍‌ ହୋଇଛି। କୃଷ୍ଣ କୁମାରଙ୍କ ବିରଳ କାହାଣୀ ନନ୍ଦି ଫାଉଣ୍ଡେସନ୍‌ର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମନୋଜ କୁମାରଙ୍କ ଦ୍ବାରା ଟ୍ବିଟରରେ ସେୟାର କରାଯାଇଛି। ମନୋଜ କୁମାରଙ୍କ ଦ୍ବାରା ସେୟାର କରାଯାଇଥିବା ଭିଡିଓରୁ ଜଣାପଡ଼ିଛି ଯେ ଡି କୃଷ୍ଣ କୁମାର ତାଙ୍କ ମା’ଙ୍କୁ ତୀର୍ଥଯାତ୍ରାରେ ବୁଲାଇବାପାଇଁ ତାଙ୍କ ଚାକିରି ଛାଡ଼ି ଦେଇଛନ୍ତି। ତେବେ ମା’ଙ୍କୁ ସେ କୌଣସି ଦାମୀ କାର୍‌ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ତୀର୍ଥଯାତ୍ରାରେ ନେଇନାହାନ୍ତି। ବରଂ ୨୦ ବର୍ଷର ପୁରୁଣା ବଜାଜ୍‌ ଚେତକ ସ୍କୁଟର‌ରେ ସେ ତାଙ୍କ ମା’ଙ୍କୁ ଦୀର୍ଘ ୪୮,୧୦୦ କିମି ବୁଲାଇଛନ୍ତି। କୃଷ୍ଣ କୁମାର କହିଛନ୍ତି, ତାଙ୍କ ମା ଜୀବନରେ ଯେଉଁ ତ୍ୟାଗ କରିଛନ୍ତି ‌ସେଥିଲାଗି ‌ସେ କେବଳ ପର୍ଯ୍ୟାପ୍ତ ସମୟ ପାଇବାର ହକ୍‌ଦାର ନୁହନ୍ତି ବରଂ ସେ ବିଶେ‌ଷ ସମ୍ମାନର ମଧ୍ୟ ଅଧିକାରିଣୀ। ମା’ଙ୍କ ପାଇଁ ଏତିକି ବି ଯଥେଷ୍ଟ ନ‌ୁହେଁ ବୋଲି କୃଷ୍ଣକୁମାର କହିଛନ୍ତି।

କୃଷ୍ଣ କୁମାର ତାଙ୍କ ମା’ଙ୍କୁ ସ୍କୁଟରରେ ବସାଇ ଭାରତର ସମସ୍ତ ପ୍ରମୁଖ ତୀର୍ଥସ୍ଥାନଗୁଡ଼ିକ ବୁଲାଇ ଦେଖାଇଛନ୍ତି। ଗତ ବର୍ଷ ଜାନୁଆରିରେ କୃଷ୍ଣକୁମାର ଏବଂ ତାଙ୍କ ମା’ ତୀର୍ଥଯାତ୍ରାରେ ବାହାରିଥିଲେ। ଯାତ୍ରା ସମୟରେ ସେମାନେ ‌ହୋଟେଲ୍‌ରେ ରହିବା ପରିବର୍ତ୍ତେ ମଠ ଓ ମନ୍ଦିରରେ ରହୁଥିଲେ। କୃଷ୍ଣକୁମାର ତାଙ୍କ ମା’ଙ୍କ ପାଇଁ ଯେଉଁ ମହତ କାର୍ଯ୍ୟ କରିଛନ୍ତି ତାହା ଜାଣିବା ପରେ ବିଶିଷ୍ଟ ଶିଳ୍ପପତି ଆନନ୍ଦ ମହିନ୍ଦ୍ରା ତାଙ୍କୁ ଏବେ ଏକ କାର୍‌ ଦେବାକୁ ଚାହିଛନ୍ତି। ଆନନ୍ଦ ମହିନ୍ଦ୍ରା ଟ୍ବିଟର୍‌ରେ କହିଛନ୍ତି, ଏହା ଏକ ଚମତ୍କାର କଥା। ଏଭଳି ବ୍ୟକ୍ତିଙ୍କ ସହ ମତେ ଭେଟ କରାଇଲେ ମୁଁ ତାଙ୍କୁ ବ୍ୟକ୍ତିଗତ ଭା‌ବେ ଏକ କାର୍‌ ଉପହାର ଦେବି। ତେଣୁ ପରବର୍ତ୍ତୀ ତୀର୍ଥଯାତ୍ରାରେ ସେ ତାଙ୍କ ମା’ଙ୍କୁ ନେଇ ସୁରୁଖୁରୁରେ ଯାଇପାରିବେ ବୋଲି ଆନନ୍ଦ ମହ‌ିନ୍ଦ୍ରା କହିଛନ୍ତି।

ସମ୍ବନ୍ଧିତ ଖବର