ହୋଟେଲ୍‌ର ୨୧ ତାଲାରେ ଯୁବତୀଙ୍କୁ ପଣବନ୍ଦୀ ରଖି ‌ତଳକୁ ଟେଲିଭିଜନ୍‌ ଓ ଆସବାବ୍‌ପତ୍ର ଫିଙ୍ଗିଲେ ଯୁବକ

ଲାସ୍‌ ଭେଗାସ୍‌: ଲାସ୍‌ ଭେଗାସ୍‌ ଷ୍ଟ୍ରିପ୍‌ରେ ଥିବା ପ୍ରସିଦ୍ଧ ‘ସିଜର୍ସ ପାଲେସ୍‌’ ହୋଟେଲ୍‌ ଜଣେ ଯୁବତୀଙ୍କୁ ପଣବନ୍ଦୀ ରଖିଥିବା ବ୍ୟକ୍ତିଙ୍କୁ ପୁଲିସ ଗିରଫ କରିଥିବା କଥା ‘ଦି ଇଣ୍ଡିପେଣ୍ଡେଣ୍ଟ୍‌’ ସମ୍ବାଦପତ୍ର ରିପୋର୍ଟ କରିଛି।

ପୁଲିସ କହିବା ଅନୁସାରେ, ସନ୍ଦିଗ୍ଧ ହେଉଛନ୍ତି ବହୁ ଦିନରୁ ଖୋଜାପଡ଼ିଥିବା ମାଥ୍ୟୁ ମ୍ୟାନିକ୍ସ୍‌। ମଙ୍ଗଳବାର ସକାଳେ ସେ ଉକ୍ତ ହୋଟେଲ୍‌ର ୨୧ ତାଲାରେ ଥିବା ଗୋଟାଏ କୋଠାରିରେ ଜଣେ ଯୁବତୀଙ୍କୁ ପଣବନ୍ଦୀ ରଖିଥିଲେ। ଉକ୍ତ ଯୁବତୀଙ୍କ ସହିତ ତାଙ୍କର ସମ୍ପର୍କ କେବେ ଭଲ ତ କେତେ ବେଳେ ଖରାପ ଥିଲା।  ପ୍ରାୟ ୫ ଘଣ୍ଟା ପରେ ମ୍ୟାନିକ୍ସ୍‌ଙ୍କୁ ସେ ହୋଟେଲ୍‌ରୁ ଧରି ହାଜତକୁ ନିଆଯାଇଥିଲା।

Image Courtesy of The Independent

ଲାସ୍‌ ଭେଗାସ୍‌ ପୁଲିସ କ୍ୟାପ୍ଟେନ୍‌ ଷ୍ଟିଫେନ୍‌ କନେଲ୍‌ କହିଛନ୍ତି, ହୋଟେଲ୍‌ ସୁରକ୍ଷା ବିଭାଗ ସୂଚନା ଦେଲା କି, ଜଣେ ଯୁବକ ଓ ଜଣେ ଯୁବତୀ ପାଟିତୁଣ୍ଡ କରୁଛନ୍ତି। ଯୁବକଜଣକ ସେ ଯୁବତୀଙ୍କୁ ବଳପୂର୍ବକ ଗୋଟାଏ କୋଠରି ଭିତରକୁ ନେଇଯାଇଛନ୍ତି।

ମ୍ୟାନିକ୍ସ୍‌ ଉକ୍ତ ସୁଉଚ୍ଚ ଅଟ୍ଟାଳିକାର ୨୧ ତାଲା ଝରକା ବାଟେ ଟେଲିଭିଜନ୍‌, ଆସବାବ୍‌ପତ୍ର, ଗଦି ଏବଂ ଅନ୍ୟାନ୍ୟ ଅନେକ ଜିନିଷ ତଳକୁ ଫିଙ୍ଗିବାରୁ ତଳେ ସୁଇମିଙ୍ଗ୍‌ ପୁଲ୍‌ରେ ଥିବା ଲୋକେ ଆତଙ୍କିତ ହୋଇପଡ଼ିଥିଲେ। କିନ୍ତୁ, ଏଥିଯୋଗୁଁ କେହି ଆହତ ହୋଇ ନ ଥିବା ଜଣାପଡ଼ିଛି।

ସମ୍ପ୍ରତି ପୁଲିସ ହେପାଜତରେ ଥିବା ଉକ୍ତ ଯୁବତୀ ମଧ୍ୟ ଆହତ ହୋଇ ନ ଥିବା କଥା ପୁଲିସ ଅଫିସର୍‌ ଆଡେନ୍‌ ଓକ୍ୟାମ୍ପୋଗୋମେଜ୍‌ କହିଛନ୍ତି।

ସୂଚନାଯୋଗ୍ୟ, ୨୯ ତାଲାବିଶିଷ୍ଟ ଏହି ହୋଟେଲ୍‌ରେ ୪୦୦୦ କୋଠାରି ଅଛି।

ସମ୍ବନ୍ଧିତ ଖବର