ନୂଆଦିଲ୍ଲୀ : ସୁପ୍ରିମ କୋର୍ଟ ଓ କେନ୍ଦ୍ର ସରକାର ଦେଶରେ ଚାଲିଥିବା ମାଗଣା ସଂସ୍କୃତିକୁ ନେଇ ଚିନ୍ତା ପ୍ରକଟ କରିଥିବାବେଳେ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯାହାକି ଏହି ବିତର୍କକୁ ଆହୁରି ତେଜି ଦେଇଛି ।
ପଂଜାବର ହୋସିଆରପୁରରେ ଜଣେ ବ୍ୟକ୍ତି ମର୍ସିଡିଜ କାରରେ ଆସି କଣ୍ଟ୍ରୋଲ ଦୋକାନରୁ ଗରିବ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ୨ ଟଙ୍କିଆ ଗହମ ବସ୍ତାରେ ଭର୍ତ୍ତି କରି କାରର ଡିକିରେ ଭର୍ତ୍ତିକରୁଥିବାର ଭିଡିଓ ଭାଇରାଲ ହୋଇଛି । ସୋସିଆଲ ମିଡିଆରେ ଅନେକ ଲୋକ ସଂପୃକ୍ତ ବ୍ୟକ୍ତିକୁ ସମାଲୋଚନା କରୁଛନ୍ତି ।
ପଂଜାବ ସରକାରଙ୍କ ଅଟା-ଡାଲ ସ୍କିମରେ ଗରିବ ଲୋକମାନଙ୍କୁ ଗହମ ଓ ଡାଲି ସୁଲଭ ମୂଲ୍ୟରେ ଯୋଗାଇ ଦିଆଯାଉଛି । ଦାରିଦ୍ର୍ୟ ସୀମା ତଳେ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ସ୍କିମ କରାଯାଇଛି । କିନ୍ତୁ କିଛି ଲୋକ ସ୍ବଚ୍ଛଳ ହୋଇ ବି ସରକାରଙ୍କ ଏହି ସ୍କିମର ଫାଇଦା ନେଉଛନ୍ତି ।
ତେବେ ସଂପୃକ୍ତ ବ୍ୟକ୍ତି ସଫେଇ ଦେଇ କହିଛନ୍ତି ଯେ, ଏହି କାରଟି ତାଙ୍କର ନୁହେଁ । ସେ ନିଜେ ଜଣେ ଗରିବ ଲୋକ । ତାଙ୍କର ଜଣେ ସଂପର୍କୀୟ କାରକୁ ତାଙ୍କ ଘରେ ରଖି ବିଦେଶ ଯାଇଛନ୍ତି । ଏଣୁ ସେ ମଝିରେ ମଝିରେ କାରକୁ ଷ୍ଟାର୍ଟ କରି ଚଳାନ୍ତି । ସେଦିନ ସେ କାରକୁ ଧରି କଣ୍ଟ୍ରୋଲ ଦୋକାନ ଆସିଥିଲେ ।
ଗତ ମାସରେ ଦେଶରେ ଚାଲିଥିବା ମାଗଣା ସଂସ୍କୃତିକୁ ରେବଡ଼ି ସଂସ୍କୃତି କହି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମାଲୋଚନା କରିଥିଲେ ।