ତିରୁବନନ୍ତପୁରମ୍/କନ୍ୟାକୁମାରୀ: କରେଳରେ କୋଭିଡ୍-୧୯ ପଜିଟିଭ୍ ବାହାରିଥିବା ଜଣେ ବ୍ୟକ୍ତିଙ୍କୁ ତାମିଲନାଡୁ ନେଗେଟିଭ୍ କହିବା ଯୋଗୁଁ ବଡ଼ ଗୋଳମାଳିଆ ପରିସ୍ଥିତି ସୃଷ୍ଟି ହୋଇଛି।
କନ୍ୟାକୁମାରୀର ସମ୍ପୃକ୍ତ ୬୮ ବର୍ଷିୟ ବ୍ୟକ୍ତିଜଣକ କରୋନାଭାଇରସ୍ ଦ୍ବାରା ଆକ୍ରାନ୍ତ ହୋଇଥିବା କଥା ପରୀକ୍ଷାରୁ ଜଣାପଡ଼ିବା ପରେ ତାଙ୍କୁ ତିରୁବନନ୍ତପୁରମ୍ ମେଡିକାଲ୍ କଲେଜରେ ଭର୍ତ୍ତି କରାଯାଇଥିଲା। ଏବେ କେରଳ ସକ୍ରିୟ ସଂକ୍ରମଣ ତାଲିକାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ରଖିଥିବାରୁ ତାମିଲନାଡୁ ସେ ବ୍ୟକ୍ତିଙ୍କୁ ନେଗେଟିଭ୍ ବୋଲି ଦାବି କରୁଛି।
ସେ ବ୍ୟକ୍ତିଙ୍କ ପୁତ୍ର ବିନୋଦ ଗଣମାଧ୍ୟମକୁ କହିଛନ୍ତି, ଏପ୍ରିଲ୍ ୨୬ ତାରିଖ ଦିନ ମୋ ବାପାଙ୍କର ଭୀଷଣ ପେଟଟଣା ହେବାରୁ ତାଙ୍କୁ ତିରୁବନନ୍ତପୁରମର ପରସାଳାର ଏକ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ସେ ଦୁଇ ଦିନ ରହିଥିଲେ। ଏହା ପରେ ତାଙ୍କୁ ନେୟାଟ୍ଟିଙ୍କାରା ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ତାଙ୍କ ଠାରେ କରୋନାଭାଇରସ୍ ସଂକ୍ରମଣ ଲକ୍ଷଣ ଦେଖାଦେବାରୁ ମଙ୍ଗଳବାର ଦିନ ରାଜୀବ ଗାନ୍ଧୀ ସେଣ୍ଟର୍ ଫର୍ ବାୟୋଟେକ୍ନୋଲଜି ତାଙ୍କ ଠାରୁ ନମୁନା ନେଇଥିଲା।
ତାଙ୍କର ଆର୍ଟି-ପିସିଆର୍ ପରୀକ୍ଷା ପଜିଟିଭ୍ ବାହାରିବାରୁ ତାଙ୍କୁ ମେଡିକାଲ୍ କଲେଜ୍ ହସ୍ପିଟାଲ୍କୁ ସ୍ଥାନାନ୍ତରଣ କରାଯାଥିଲା। ସେଠାରେ ବୁଧବାର ଦିନ ସଂଗ୍ରହ କରାଯାଇଥିବା ତାଙ୍କ ସ୍ବାବ୍ ଆଦି ନମୁନା ନେଗେଟିଭ୍ ବାହାରିଲା। ତେଣୁ ସେ ସଂକ୍ରମିତ ନୁହନ୍ତି ବୋଲି ତାମିଲନାଡୁ ସରକାରୀ କର୍ତ୍ତୃପକ୍ଷ ଦାବି କରୁଛନ୍ତି।
ଏବେ ସରକାରୀ କର୍ତ୍ତୃପକ୍ଷମାନେ ପୁଣି ଥରେ ପରୀକ୍ଷା ପାଇଁ ଆଲପୁଝାର ‘ଏନ୍ଆଇଭି’କୁ ଯାଇଥିବା ତାଙ୍କ ନମୁନା ଫଳାଫଳକୁ ଅପେକ୍ଷା କରିଛନ୍ତି।