କଦଳୀ ମାଡ଼ରେ ଦୋକାନୀ ଆହତ, ଅଧିକ ଦର ‌କହିବାରୁ ରାଗିଗଲେ ଗ୍ରାହକ

ୱେଲିଂଟନ୍‌: ନିଉଜିଲାଣ୍ଡ୍‌ର ୱେଲିଂଟନ୍‌ଠାରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ କଦଳୀ ଦୋକାନୀ ଓ ଗ୍ରାହକ ମଧ୍ୟରେ ଯେଉଁଭଳି ଭାବେ ପାଟିତୁଣ୍ଡ ହୋଇଛି ତାହା ଏବେ ସମସ୍ତଙ୍କୁ ଚକିତ କରିଛି। ଜାଣିବାକୁ ମିଳିଛି ଯେ ଦୋକାନୀ ଜଣକ କହୁଥିବା ଦର ଗ୍ରାହକଙ୍କୁ ପସନ୍ଦ ନ ହେବାରୁ ସେ ସେହି ଦୋକାନରୁ କଦଳୀ ଉଠାଇ ଦୋକାନୀଙ୍କ ଉପରକୁ ଫୋପାଡ଼ିଥିଲେ।

କଦଳୀ ଫୋପାଡ଼ି ଦୋକାନୀଙ୍କ ସହ ଗଣ୍ଡଗୋଳ କରିଥିବା ଗ୍ରାହକ ଜଣକ ହେଉଛନ୍ତି ସେସାର୍‌ ରୋବର୍ଟ। ତାଙ୍କୁ ୪୩ ବର୍ଷ। ସେ ଦୋକାନୀଙ୍କୁ ଦୁର୍ବ୍ୟବହାର କରିଛନ୍ତି ବୋଲି ତାଙ୍କ ବିରୋଧରେ ଅଭିଯୋଗ ହୋଇଛି। ଏହାପରେ ମାମଲା କୋର୍ଟକଚେରିକୁ ଚାଲି ଯାଇଥିଲା।

ଏହି ମାମଲାର ବିଚାର କରି ୱେଲିଂଟନ୍‌ ଜିଲ୍ଲା ଅଦାଲତର ବିଚାରପତି ଟିମ୍‌ ବ୍ଲାକ୍‌ କହିଛନ୍ତି, ‘ଏପରି ମାମଲା ମୋ ଜାଣିବାରେ ପ୍ରଥମ। ପୂର୍ବରୁ ମୋ ପାଖକୁ କେବେ ଏହି ଧରଣର ମାମଲା ଆସିନାହିଁ। କଦଳୀକୁ ବି ଅସ୍ତ୍ର କରି କାହାକୁ ଆକ୍ରମଣ କରାଯାଇପାରେ ବୋଲି ମୁଁ ପ୍ରଥମ ଥର ଜାଣିଲି।’

ଘଟଣାଟି ଗତ ବର୍ଷ ନଭେମ୍ବର ୨୫ ତାରିଖର। ଗତ ବର୍ଷ କଳଦୀ ଦୋକାନୀ ଦିନେଶ ପଟେଲ୍‌ଙ୍କ ସହ ସେସାର୍‌ ରୋବର୍ଟଙ୍କର ଝଗଡ଼ା ହୋଇଥିଲା। ଯେତେବେଳେ ଯୁକ୍ତି ତର୍କ ବଢ଼ିଗଲା ରୋବର୍ଟ ଏକ କଦଳୀ ଫେଣା ଧରି ପଟେଲ୍‌ଙ୍କ ଉପରକୁ ଫିଙ୍ଗିଲେ ଓ ପଟେଲ୍‌ ଆହତ ହୋଇଥିଲେ।

 

ସମ୍ବନ୍ଧିତ ଖବର