ଯୌନ ସଂପର୍କ ସ୍ଥାପନ ପାଇଁ ମନା କରିବାରୁ ପ୍ରେମିକାକୁ ହତ୍ୟା ଉଦ୍ୟମ କଲେ ଯୁବକ

ବାନ୍ଦ୍ରା: ମୁମ୍ବାଇ ମହାନଗରୀରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ଏକ ସର୍ବସାଧାରଣ ସ୍ଥାନରେ ଯୌନ ସଂପର୍କ ସ୍ଥାପନ ପାଇଁ ମନା କରିବାରୁ ପ୍ରେମିକାକୁ ହତ୍ୟା ଉଦ୍ୟମ କରିଛନ୍ତି ଜଣେ ଯୁବକ।

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ବାନ୍ଦ୍ରା ସହରର ଏକ ସାର୍ବଜନୀନ ସ୍ଥାନରେ ପ୍ରେମିକାଙ୍କ ସହ ଅନ୍ତରଙ୍ଗ ହେବା (ଯୌନ ସଂପର୍କ ସ୍ଥାପନ)କୁ ମନା କରିବାରୁ ତାଙ୍କୁ ଗଳା କାଟି ହତ୍ୟା କରିବା ଏବଂ ପଥରରେ ମୁଣ୍ଡ ପିଟିବା ଅଭିଯୋଗରେ ଜଣେ ୨୮ ବର୍ଷୀୟ ଯୁବକଙ୍କୁ ଗିରଫ କରାଯାଇଛି। ଆକ୍ରମଣରେ ଗୁରୁତର ଆହତ ହୋଇଥିବା ଯୁବତୀଙ୍କ ଅବସ୍ଥା ଏବେ ସ୍ଥିର ରହିଛି ଏବଂ ତାଙ୍କ ପ୍ରେମିକଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ରୁଜୁ କରାଯାଇଛି ବୋଲି ପୁଲିସ ସୂତ୍ରରୁ ପ୍ରକାଶ।

ଏହି ପ୍ରେମୀ ଯୁଗଳ ମୁମ୍ବାଇର ଏକ ଲୋକପ୍ରିୟ ଉପକୂଳ ଏବଂ ଉପକୂଳବର୍ତ୍ତୀ ଅଞ୍ଚଳ ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡରେ ବସିଥିବା ବେଳେ ଏହି ଘଟଣା ଘଟିଥିଲା। ପୁଲିସ କହିଛି ଯେ ଅଭିଯୁକ୍ତ ଆକାଶ ମୁଖାର୍ଜୀ ମୁମ୍ବାଇ ଉପକଣ୍ଠ କଲ୍ୟାଣର ବାସିନ୍ଦା। ସେ ଏବଂ ତାଙ୍କ ପ୍ରେମିକା ଗୋଟିଏ କମ୍ପାନିରେ ଏକାଠି ସହକର୍ମୀ ଥିଲେ। ଗତ କିଛି ବର୍ଷ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।

ବୁଧବାର ଦିନ ଦୁହେଁ କଲ୍ୟାଣରୁ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ (ସିଏସଏମଟି)କୁ ଏକ ଲୋକାଲ ଟ୍ରେନରେ ଯାତ୍ରା କରିଥିଲେ ଏବଂ ସନ୍ଧ୍ୟାରେ ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡ ଯିବା ପୂର୍ବରୁ ଗେଟ୍‌ ୱେ ଅଫ୍‌ ଇଣ୍ଡିଆ ଏବଂ ଗିରଗାଓଁ ଚୌପାଟି ଭଳି ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କରିଥିଲେ। କିଛି ସମୟ ପରେ ମୁଖାର୍ଜୀ ତାଙ୍କ ପ୍ରେମିକାଙ୍କୁ କହିଥିଲେ ଯେ ସେ ତାଙ୍କୁ ବିବାହ କରିବା ପାଇଁ ତାଙ୍କ ଧର୍ମ ଗ୍ରହଣ କରିଛନ୍ତି। ଏହାପରେ ସେ ତାଙ୍କ ସହ ଅନ୍ତରଙ୍ଗ ହେବା ସହ ଯୌନ ସଂପର୍କ ସ୍ଥାପନ କରିବାକୁ ଦାବି କରିବାରୁ ଯୁବତୀ ଜଣକ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ।

ଯୌନ ସଂପର୍କ ସ୍ଥାପନକୁ ଯୁବତୀ ଜଣକ ପ୍ରତ୍ୟାଖାନ କରିବା ପରେ କ୍ରୋଧିତ ହୋଇ ପ୍ରେମିକ ମୁଖାର୍ଜୀ ପ୍ରଥମେ ତାଙ୍କ ଗଳା କାଟିବାକୁ ଚେଷ୍ଟା କରିଥିଲେ ଏବଂ ତାଙ୍କ ମୁଣ୍ଡକୁ ପଥରରେ ମାଡ଼ କରିଥିଲେ। ପରେ ସେ ତାଙ୍କୁ ଏକ ନାଳରେ ବୁଡ଼ାଇ ଦେବାକୁ ଚେଷ୍ଟା କରିବା ବେଳେ ଯୁବତୀ ଜଣକ ସାହାଯ୍ୟ ପାଇଁ ଚିତ୍କାର କରିବା ଆରମ୍ଭ କରିଥିଲେ।

ଘଟଣାସ୍ଥଳ ନିକଟରେ ଉପସ୍ଥିତ ଥିବା ଲୋକମାନେ ପୁଲିସକୁ ଫୋନ୍‌ କରି ଘଟଣା ସଂପର୍କରେ ଖବର ଦେବା ସହ ଅଭିଯୁକ୍ତ ମୁଖାର୍ଜୀଙ୍କୁ ଅଟକ ରଖିଥିଲେ ଓ ଯୁବତୀଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଇଥିଲେ। ପରେ ଯୁବତୀଙ୍କ ବୟାନକୁ ଆଧାର କରି ବାନ୍ଦ୍ରା ପୁଲିସ ମୁଖାର୍ଜୀଙ୍କୁ ହତ୍ୟା ଉଦ୍ୟମ ଅଭିଯୋଗରେ ଗିରଫ କରିଥିଲା। ଏହି ଘଟଣାରେ ଗୁରୁତର ଆହତ ଯୁବତୀଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ ସ୍ଥିର ରହିଛି।

ସମ୍ବନ୍ଧିତ ଖବର