ନୂଆଦିଲ୍ଳୀ: ଲସ ଏଞ୍ଜେଲସରୁ ବୋଷ୍ଟନ ଅଭିମୁଖେ ୟୁନାଇଟେଡ୍ ଏୟାରଲାଇନ୍ସର ବିମାନରେ ଯାତ୍ରା କରୁଥିବା ମାସାଚୁଟ୍ସ ଲିଓମିନଷ୍ଟରର ଜଣେ ୩୩ ବର୍ଷିୟ ବ୍ୟକ୍ତିଙ୍କୁ ଗିରଫ କରାଯାଇଛି। ପ୍ରଥମେ ବ୍ୟକ୍ତି ଜଣକ ଜରୁରୀକାଳୀନ ଦ୍ବାରା ଖୋଲିବାକୁ ଚେଷ୍ଟା କରିଥିଲେ। ପରେ ଜଣେ ବିମାନ କର୍ମଚାରୀଙ୍କ ବେକରେ ଛୁରୀ ମାରିବା ଉଦ୍ୟମ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି।
ବିମାନ ମଧ୍ୟରେ ବିପଦପୂର୍ଣ୍ଣ ଅସ୍ତ୍ର ବ୍ୟବହାର କରି ବିମାନ କ୍ରିୟୁମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି। ସୋମବାର ସନ୍ଧ୍ୟାରେ ବୋଷ୍ଟନ୍ ଲୋଗାନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅଭିଯୁକ୍ତ ଟୋରେସ୍ଙ୍କ ଗିରଫ କରାଯାଇଥିଲା ଏବଂ ଆଜି ଆମେରିକାର ଜିଲ୍ଲା କୋର୍ଟ ମାଜିଷ୍ଟ୍ରେଟ୍ ଜଜ୍ ଡେନ୍ଙ୍କ ନିକଟରେ ହାଜର ହୋଇଥିଲେ। ତାଙ୍କ ମାମଲାର ଶୁଣାଣି ଆଗାମୀ ୯ ତାରିଖରେ ହେବ ବୋଲି ସୂଚନା ରହିଛି।
ସୂଚନାରୁ ପ୍ରକାଶ ଯେ ମାର୍ଚ ୫, ୨୦୨୩ରେ ଟୋରେସ୍ ଲସ ଏଞ୍ଜେଲସରୁ ବୋଷ୍ଟନ୍ ଅଭିମୁଖେ ଯାଉଥିବା ଏକ ବିମାନରେ ଚଢ଼ିଥିଲେ। ବିମାନଟି ଅବତରଣ କରିବାର ପ୍ରାୟ ୪୫ ମିନିଟ୍ ପୂର୍ବରୁ ବିମାନ କର୍ମଚାରୀମାନଙ୍କୁ କକ୍ପିଟ୍ରୁ ସୂଚାଇ ଦିଅାଯାଇଥିଲା ଯେ ବିମାନର ପାର୍ଶ୍ୱରେ ଥିବା ଜରୁରିକାଳୀନ ଦ୍ବାର ଖୋଲିବାକୁ ଉଦ୍ୟମ କରାଯାଉଛି। ଯାଞ୍ଚ ପରେ, ଜଣେ ବିମାନ କର୍ମଚାରୀ ଜାଣିବାକୁ ପାଇଲେ ଯେ କବାଟର ଲକିଂ ହ୍ୟାଣ୍ଡେଲଟିକୁ ବାହାର କରି ଦିଆଯାଇଛି।
ଏହି କାର୍ଯ୍ୟ ଟୋରେସ୍ କରିଥିବା ଜଣାପଡ଼ିବା ପରେ ଜନୈକା ବିମାନ କର୍ମଚାରୀ ଏ ବିଷୟ ତାଙ୍କୁ ପଚାରିବାରୁ ସେ ଯୁକ୍ତି କରିଥିଲେ ଯେ ତାଙ୍କୁ ଭିଡିଓ ଫୁଟେଜ୍ ଦେଖାଯାଉ। ତାଙ୍କ ନାମରେ ଆସିଥିବା ଅଭିଯୋଗ ଅମୂଳକ ବୋଲି କହିବା ସହ ସେ ବିମାନର ମୁଖ୍ୟଦ୍ବାର ପାଖକୁ ଯାଇ ସେଠାରେ ଛିଡ଼ା ହୋଇଥିବା ଜଣେ କର୍ମଚାରୀଙ୍କୁ ଏକ ଧାରୁଆ ଭଙ୍ଗାଚାମଚରେ ଆକ୍ରମଣ କରିଥିଲେ। ଏହାପରେ ଟୋରେସ୍ଙ୍କୁ କାବୁ କରି ନିଆଯାଇଥିଲା।